ଆମେରିକା ପାର୍ଲିଆମେଣ୍ଟରେ ପାରିତ ହେଲା ରିଜଲ୍ଡ ତିବ୍ବତ ଆକ୍ଟ ଚନ୍ଦ୍ରଗିରିରେ ଆନନ୍ଦର ଲହରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆମେରିକା ପାର୍ଲିଆମେଣ୍ଟରେ ପାରିତ ହେଲା ରିଜଲ୍ଡ ତିବ୍ବତ ଆକ୍ଟ । ଏଥୁଥିପାଇଁ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ରହୁଥିବା ତିବ୍ବତୀୟ। ବୁଧବାର ଚନ୍ଦ୍ରଗିରି ତିବ୍ବତୀୟ ସେଟଲମେଣ୍ଟ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେରିକାକୁ ଧନ୍ୟବାଦ ଜଣାଇ ତିବ୍ବତୀୟମାନେ ଏନେଇ ଆନନ୍ଦ ପ୍ରକାଶ କରିଛନ୍ତି. ସେମାନଙ୍କ କହିବା ଅନୁଯାୟୀ, ଏହି ଆକ୍ଟ ଦ୍ୱାରା ତିବ୍ବତ ମୁକ୍ତି ଆନ୍ଦୋଳନକୁ ଆହୁରି ଶକ୍ତି ଯୋଗାଇବ। ତିବ୍ବତକୁ ଅକ୍ତିଆର କରି ରଖୁଥିବା ଚୀନ ପାଇଁ ଏହି ଆଇନ ଚିନ୍ତାର କାରଣ ପାଲଟିବ। ଏହି ଆଇନ ମାଧ୍ୟମରେ ତିବ୍ବତ-ଚୀନ ବିବାଦରେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚୀନକୁ ପରାମର୍ଶ ଦେଇଛି ଆମେରିକା। ଏଥିସହ ତିବ୍ବତ ଏକ ସ୍ଵତନ୍ତ୍ର ଦେଶ ଥିଲା। ତେଣୁ ଏହାର ମୁକ୍ତି ପାଇଁ ଚୀନ ପଦକ୍ଷେପ ନେବାକୁ ଆମେରିକାର ଏହି ଆକ୍ଟରେ ଉଲେଖ ରହିଛି। ସାରା ବିଶ୍ଵରେ ଆମେରିକା ପ୍ରଥମ ଦେଶ ଭାବେ ଏହି ଆକ୍ଟ ଲାଗୁ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଛନ୍ତି ତିବ୍ବତୀୟ। ୧୯୫୯ ମସିହା ଠାରୁ ତିବ୍ବତକୁ ଚୀନ ଅକ୍ତିଆର କରି ରଖୁଛି। ସେହି ଦିନ ଠାରୁ ସେମାନେ ଚୀନ ଦ୍ବାରା ବିତାଡିତ ହୋଇ ଭାରତର ବିଭିନ୍ନ ସ୍ଥାନରେ ସରଣାର୍ଥୀ ଜୀବନ ବିତାଉଛନ୍ତି । ୧୯୬୩ରୁ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳର ୫ଟି କ୍ୟାମ୍ପରେ ରହୁ ଛତି ତିବ୍ବତୀୟ । ସେପଟେ ତିବ୍ବତ ସ୍ଵାଧୀନତା ପାଇଁ ତିବ୍ବତୀୟମାନେ ଚୀନ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି। ଧର୍ମଗୁରୁ ଦଲାଇ ଲାମା ତିବ୍ବତ ମୁକ୍ତି ଆନ୍ଦୋଳନ ପାଇଁ ଅନେକ ପଦକ୍ଷେପ ନେବାସହ ବିଭିନ୍ନ ସମୟରେ ଅନ୍ତଃରାଷ୍ଟ୍ରୀୟ ସହଯୋଗ ଲୋଡିଛନ୍ତି। ତେଣୁ ଆମେରିକା ପାର୍ଲିଆମେଣ୍ଟରେ ପାରିତ ହୋଇଥିବା ତିବ୍ବତ ଆକ୍ତ ଆଗାମୀ ଦିନରେ ଭାରତ ସମେତ ସବୁ ଦେଶ ଲାଗୁ କରିବେ ବୋଲି କାର୍ଯ୍ୟକ୍ରମରେ ଯୋଗଦେଇଥିବା ତିବ୍ବତୀୟ ପାର୍ଲିଆମେଣ୍ଟ ସଦସ୍ୟ ଡାଓ୍ବା ସେରିଙ୍ଗ ଆଶା ରଖୁଛନ୍ତି। ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ତିବ୍ବତୀୟ ସେଟଲମେଣ୍ଟ ଅଧିକାରୀ ଖେପୋ ପେମା ଟେମ୍ପଲ, ଏଲଟିଏ ଅଧ୍ୟକ୍ଷ ଜାମ୍ପେ ଲ ଡୁଣ୍ଟପ୍, ଆରଏସ୍ଏସ୍ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ, ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବରାମ ସୁଆର, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମଲିକ, ବରିଷ୍ଠ ନେତା ଶିବରାମ ମହାଙ୍କୁଡ ପ୍ରମୁଖ ଯୋଗଦେଇଥିଲେ।