ଲିଙ୍ଗରାଜ ସାହୁଙ୍କୁ ସେବା ପାଇଁ ସମ୍ମାନିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ପୁରୀ ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାପ୍ରଭୁଙ୍କର ବାହୁଡା ଯାତ୍ରା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନା ଦ୍ୱାରା ତ୍ରିଦିବସୀୟ ସ୍ୱେଚ୍ଛାସେବୀ ସେବା ଶିବିର ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସେବା ଶିବିର ଜୁଲାଇ ୧୫ ରୁ ଆରମ୍ଭ ହୋଇ ଜୁଲାଇ ୧୭ ପର୍ଯ୍ୟନ୍ତ ଚାଲିଥିଲା । ଏହି ସେବା ଶିବିରରେ ଶୁଦ୍ଧଜଳ ବିତରଣ, ଓଆରଏସ ବିତରଣ, ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ, ସମୁଦ୍ର ଓ ପବିତ୍ର ପୁଷ୍କରଣୀ ସଫେଇ, ମୁକ୍ତ ରନ୍ଧନ ଖାଦ୍ୟ ବିତରଣ, ରଥଖଳା-ବଡଦାଣ୍ଡ ସଫେଇ, ନିଖୋଜ ବ୍ୟକ୍ତିଙ୍କୁ ସଠିକ ପରାମର୍ଶ ଦେବା ଆଦି ତାଲିମ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦା ଗ୍ରାମର ସାମାଜିକ କର୍ମୀ ଲିଙ୍ଗରାଜ ସାହୁ ସାମିଲ ହୋଇ ସ୍ୱେଚ୍ଛାସେବୀମାନଙ୍କୁ ସେବା ସଂର୍ପକରେ ପରାମର୍ଶ ଦେବା ସହିତ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଯାହାଫଳରେ ସାମାଜିକ କର୍ମୀ ଶ୍ରୀ ସାହୁଙ୍କୁ ମହାବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉତରୀୟ ଓ ଚାରା ଆଦି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ତଥା ଶ୍ରୀ ଜଗନ୍ନାଥ ଅଧ୍ୟାତ୍ମିକ ତତ୍ୱ ପରିଷଦର ସଦସ୍ୟ ଡଃ ବଳରାମ ଦାସ, ମୁଖ୍ୟବକ୍ତା ଭାବେ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ହରପ୍ରିୟା ଦାସ, ସମ୍ମାନୀତ ଅତିଥି ଭାବେ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ କେନ୍ଦ୍ରର ସହ ସଂଯୋଜକ ନୀରଦବରଣ ଖୁଂଟିଆ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନାର ସଂଯୋଜକ ଡଃ ବିଶ୍ୱ ମୋହନ ଜେନା, ଡିପିଓ ଗୋଲକ ବିହାରୀ ଦଳାଇ ପ୍ରମୁଖ ଯୋଗ ଦେଇ ସାମାଜିକ କର୍ମୀ ଶ୍ରୀ ସାହୁଙ୍କୁ ସମ୍ମାନିତ କରିଥିଲେ ।