୬୩ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ପୋଲିସ ପକ୍ଷରୁ ୬୩ ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ସହରର ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ପାଳିତ ହୋଇଯାଇଛି। ପୂର୍ବାଞ୍ଚଳ ଜୋନ ପୋଲିସ ଉପ ମହା ନିରୀକ୍ଷଣ ପିନାକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠାର ଆଭିମୁଖ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ୧୯୬୨ ମସିହା ଭାରତ-ଚୀନ ଯୁଦ୍ଧରେ ଭାରତୀୟ ସେନା ବାହିନୀଙ୍କୁ ସହଯୋଗ କରିବା ସହିତ ଦେଶର ତତ୍କାଳୀନ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠାରେ ପୁଲିସ ସହ ସମନ୍ୱୟ ରକ୍ଷା ପୂର୍ବକ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ସମଗ୍ର ଦେଶରେ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଆସୁଛି। ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା, ରାତ୍ରୀକାଳୀନ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ ସହ ନିଷ୍କାମ ସେବା ପ୍ରଦାନ କରୁଥିବା ଗୃହରକ୍ଷୀ ବାହିନୀ ସଂପ୍ରତି ପୋଲିସ ବିଭାଗର ଏକ ଅବିଚ୍ଛେଦ ଅଂଗ ହୋଇଥିବା ସେ କହିଥିଲେ। ବନ୍ୟା, ବାତ୍ୟା ପ୍ରଭୃତି ଜରୁରୀକାଳୀନ ପରିସ୍ଥିତିରେ ଗୃହରକ୍ଷୀଙ୍କ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟଧାରା ସେମାନଙ୍କୁ ଜନ ସାଧାରଣଙ୍କ ଠାରେ ଆସ୍ଥାଭାଜନ କରିପାରିଛି ବୋଲି ଡ଼ିଆଇଜି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ଗୃହସଚିବ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ହୋମଗାର୍ଡ଼ ମହାନିର୍ଦ୍ଦେଶକଙ୍କ ଠାରୁ ଆସିଥିବା ଶୁଭେଚ୍ଛା ବାର୍ତ୍ତାକୁ ମୁଖ୍ୟ ଅତିଥି ଡ଼ିଆଇଜି ଶ୍ରୀ ମିଶ୍ର ପାଠ କରିଥିଲେ। ଏହା ସହିତ ଗ୍ରାମରକ୍ଷୀଙ୍କ ଦ୍ୱାରା ପ୍ରଦର୍ଶିତ ସାମୂହିକ ପ୍ୟାରେଡ଼୍ ଅଭିବାଦନ ସେ ଗ୍ରହଣ କରିଥିଲେ। ଗୃହରକ୍ଷୀ ବାହିନୀର ସମାଦେଷ୍ଟା ତଥା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ଓ ଆଇପିଏସ ପ୍ରୋବେସନର ମନିଷା ସଗୁନ ମଞ୍ଚାସୀନ ଥିଲେ । ଆଡିସିନାଲ ଏସପି ନିରଞ୍ଜନ ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଆରଆଇ ଭାଗିରଥି ବେହେରା ଓ ଭୂପେନ୍ଦ୍ର ନାଥ ତିରିଆ ସାମୁହିକ ପ୍ୟାରେଡ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ଓ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଡିସିନାଲ ଏସପି ଗାୟତ୍ରୀ ପ୍ରଧାନ, ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ,  ଡିଏସପି ନିର୍ମଳା ଗୋଚ୍ଛାୟତ, ଡିଏସପି ନିବେଦିତା ସୋରେନ, ଡିଏସପି ତପସ୍ଵିନୀ କହଁର, ହୋମଗାର୍ଡ ଡିଏସପି ଜୁଏଲ ଓରାମ, ଡିଏସପି ବ୍ରଜ ମୋହନ ପ୍ରଧାନ, ଆଇଆଇସି ପର୍ଶୁରାମ ସାହୁ, ଟାଉନ ଥାନା ଅଧିକାରୀ ବିଜୟ କୁମାର ଦାସ, ଶିଳ୍ପାଂଚଳ ଥାନା ଅଧିକାରୀ ସସ୍ମିତା ମଲ୍ଲିକ , ସହଦେବଖୁଣ୍ଟା ଥାନା ଅଧିକାରୀ ବିରଞ୍ଚି ସାହୁ, ସଦର ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଜିଲ୍ଲା ପୋଲିସ ର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ