ଶିଖର ପଂଚାୟତରେ ୬ ଶହ ଏକର ଚାଷ ଜମିରେ ହୋଇପାରୁନାହିଁ ଚାଷ କାର୍ଯ୍ୟ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖର ପଂଚାୟତରେ ରହିଛି ଶିଖର ପାଟ । ଏହି ପାଟଟିରେ ପଂଚାୟତର ଶାଳିଜଙ୍ଗା, ବୋଦଳ, ଶିଖର, ସାରେଇକୂଳ, ବିଲିପଡା, ଅଙ୍ଗେଶ୍ୱରପଡା, ନଳାଙ୍ଗ ଆଦି ଗ୍ରାମର ୨ ହଜାର ଚାଷୀଙ୍କର ପାଖିପାଖି ୬ଶହ ଏକର ଚାଷ ଜମି ରହିଛି । ପାଟ ଟିକୁ ଉକ୍ତ ପଂଚାୟତର ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ବର୍ତମାନ ଏହି ପାଟରୁ ଉଦବୃତ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ କରିପାରୁ ନାହାନ୍ତି । ସ୍ଥାନୀୟ ଚାଷୀଙ୍କ କହିବା ମୁତାବକ ଏହି ପାଟରେ ଉଠାଜଳସେଚନ ବିଭାଗ ପକ୍ଷରୁ ୩ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ମହାବାତ୍ୟା ପରେ ଉକ୍ତ ପ୍ରକଳ୍ପରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ପମ୍ପ ହାଉସ ଗୁଡିକ ଅଚଳ ହୋଇ ପଡି ରହିଛି । ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ବର୍ଷା ଉପରେ ନିର୍ଭର କରୁଛନ୍ତି । ପାଣିପାଗର ପରିବର୍ତନ ଯୋଗୁ ଠିକ୍ ସମୟରେ ବର୍ଷା ହେଉ ନାହିଁ । ଯାହାଫଳରେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଚାଷୀମାନେ ବର୍ଷାକୁ ଚାହିଁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଅଗଷ୍ଟ ମାସ ପରେ ଉକ୍ତ ପାଟରେ ରୁଆ ରୋଇ କାର୍ଯ୍ୟ ସରିବା ପରେ ଅତ୍ୟାଧିକ ବର୍ଷା ହେବା ଯୋଗୁ ପାଟ ଟି ଜଳମଗ୍ନ ହୋଇଥାଏ । ଯାହାଫଳରେ ଧାନ ଗଛ ଗୁଡିକ ପଚି ନଷ୍ଟ ହୋଇଥାଏ । ଚାଷୀ ହଳ କରି ଧାନ ରୁଆ ରୋଇ କରିବାରେ ଯେଉଁ ଅର୍ଥ ବ୍ୟୟ କରିଥାଏ ସେତିକି ଅର୍ଥ ମଧ୍ୟ ପାଏ ନାହିଁ । ଉଦବୃତ ବର୍ଷା ଜଳକୁ ନିଷ୍କାସନ କରାଯିିବା ପାଇଁ ୨୦୧୦ ମସିହାରେ ସ୍ଥାନୀୟ ଚାଷୀମାନେ ତତ୍କାଳିନ ବିଧାୟକ ବିଷ୍ଣୁ ଦାସଙ୍କୁ ଅଭିଯୋଗ କରିଥିଲେ । ତତ୍କାଳିନ ବିଧାୟକ ତାଙ୍କ ନିଜସ୍ୱ ପାଣ୍ଠିରୁ ହୋମ ପାଇପ ପକାଇବା ପାଇଁ ୫ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଇଥିଲେ । କିନ୍ତୁ ଉକ୍ତ କାର୍ଯ୍ୟ କୌଣସି କାରଣବଶତଃ କରାଯାଇ ପାରି ନଥିଲା । ପରେ ବିଧାୟକ ଚିରଂଜିବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲିଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ପାଟ ଟି ଦେବୀନଦୀର ବାମ ପାଶ୍ୱର୍ରେ ଅବସ୍ଥିତ ହୋଇଥିବା ବେଳେ ପ୍ରତି ବର୍ଷ ଜଳସେଚନ ବିଭାଗ ପକ୍ଷରୁ ନଦୀ ବନ୍ଧ କାର୍ଯ୍ୟ କରାଯାଇ ବନ୍ଧକୁ ଉଚ୍ଚ କରାଯାଉଛି । ସେହିପରି ପାଟର ଚତୁଃପାଶ୍ୱର୍ରେ ବିଭିନ୍ନ ଗ୍ରାମ ରହିଥିବା ବେଳେ ଗାଁ ରାସ୍ତା,ପୂର୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଗୁଡିକୁ ବିଭାଗ ପକ୍ଷରୁ ପନଃ ନିର୍ମାଣ ଓ ସଂପ୍ରସାରଣ ଫଳରେ ରାସ୍ତା ଗୁଡିକ ଉଚ୍ଚ ହୋଇଗଲାଣି । ରାସ୍ତା ମଧ୍ୟ ଦେଇ ରହି ଥିବା ଜଳ ନିଷ୍କାସନ ପଥ ଗୁଡିକ ଜନସାଧାରଣ ବାସ ଗୃହ ନିର୍ମାଣ କରିବା ଦ୍ୱାରା ତାହା ବନ୍ଦ ହୋଇ ଗଲାଣି । ଅତ୍ୟାଧିକ ବର୍ଷା କିମ୍ବା ନଦୀରେ ବନ୍ୟା ଜଳ ଆସିଲେ ଉକ୍ତ ପାଟ ଜଳମଗ୍ନ ହୋଇ ଦୀର୍ଘ ଦିନ ଧରି ରହୁଛି । ଯାହାଫଳରେ ଚାଷୀ ଧାନ ଅମଳ କରି ପାରୁନାହିଁ । ତେଣୁ ଉକ୍ତ ପାଟରେ କିଛି ଗୋଚର ଜମି ରହିଛି । ଉକ୍ତ ଗୋଚର ଜମି ଦେଇ ଏକ ସ୍ଥାୟୀ ନାଳ ଶିଖର ହନୁମାନ ମନ୍ଦିର, ବାଂଶ ଦେଇ ଗୋବରୀ ନାଳକୁ ସଂଯୋଗ କରାଗଲେ ଏହି ପାଟରୁ ସହଜରେ ଜଳ ନିଷ୍କାସନ ହୋଇପାରିବ ବୋଲି ଚାଷୀ ନିରଂଜନ ନାୟକ, ସୁରେନ୍ଦ୍ର ନାୟକ, ଚିନ୍ମୟ ମୁଦୁଲି, ବିର କିଶୋର ପରିଡା ଆଦି ମତବ୍ୟକ୍ତ କରିଛନ୍ତି । ତେଣୁ ଚାଷୀଙ୍କ ସମସ୍ୟାଙ୍କୁ ସମାଧାନ ପାଇଁ ସ୍ଥାୟୀ ପ୍ରତିକାର କରିବାକୁ ସେମାନେ ଜିଲ୍ଲା ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।