ରାସନ ଚାଉଳ ନମିଳିବା ପ୍ରତିବାଦ ରେ କଳିଗାଁ ପଞ୍ଚାୟତ ଘେରାଉ କଲେ ହିତାଧିକାରୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ରାସନ ଚାଉଳ ନମିଳିବା ପ୍ରତିବାଦରେ କଳିଗାଁ ପଞ୍ଚାୟତ ଘେରାଉ କରିଛନ୍ତି ବଣିଆରି ଓ ମୁଦୁଲିପଦା ଗ୍ରାମର ହିତାଧିକାରୀ। ପ୍ରତି ଥର ଚାରି ପାଞ୍ଚ ବାର ପଞ୍ଚାୟତକୁ ଦୌଡ଼ିବା ପରେ ଦିଆ ଯାଉଛି ଚାଉଳ। ଜାଣିଶୁଣି ସେମାନଙ୍କୁ ହଇରାଣ କରାଯାଉଛି। ଏପରି ଅଭିଯୋଗ ଆଣି ଆଜି ପଞ୍ଚାୟତ ଘେରାଉ କରିଥିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ବଣିଆରି ଓ ମୁଦୁଲିପଦା ଗ୍ରାମର ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ଯେ ପଞ୍ଚାୟତକୁ ଚାଉଳ ଆସିଲେ ଅନ୍ୟ ୱାର୍ଡ ଗୁଡ଼ିକୁ ପ୍ରଥମେ ବଣ୍ଟନ କରି ଶେଷକୁ ୧ନଂ ୱାର୍ଡର ଏହି ଦୁଇଟି ଗ୍ରାମକୁ ଦେଇଥାନ୍ତି। ଯାହାଦ୍ବାରା ପ୍ରତି ଥର ଚାଉଳ ଅଭାବିର ଶିକାର ହେଉଛନ୍ତି। କିଛି ପାଉଛନ୍ତି ତ ଆଉ କିଛି ଚାଉଳ ବଦଳରେ ପଇସା ନେବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ ୱାର୍ଡକୁ ଚାଉଳ ବଣ୍ଟନ ସରିବା ପରେ ଆଜି ୧ନଂ ୱାର୍ଡ ଲୋକଙ୍କୁ ଚାଉଳ ନେବା ପାଇଁ ରିଟେଲର ଡକାଇଥିଲା। ଶହେରୁ ଉର୍ଦ୍ଧ୍ବ ହିତଧିକାରୀ ଚାଉଳ ପାଇଁ ଆସି ସକାଳ ୮ରୁ ବସିରହିଥିବା ବେଳେ ଦିନ ବାରଟା ବେଳକୁ ଚାଉଳ ନାହିଁ ଆସିଲେ ଦିଆଯିବ ବୋଲି କହି ରିଟେଲର ଲୋକଙ୍କୁ ଫେରାଇ ଦେଇଥିଲା। ଆମ ଘର ଅଁରା ଯାଇ ଚାଉଳ ଆଣିବାକୁ କହିବାରୁ ହିତାଧିକାରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରତିଥର ସେମାନଙ୍କୁ ଏପରି ହଇରାଣ କରୁଥିବାରୁ ଗରିବ ହିତାଧିକାରୀ ମାନେ ଚାଉଳ ମୁଠାଏ ପାଇଁ ଦୁଇ ତିନି ଦିନ କହ୍ମେଇ ହେବାକୁ ପଡୁଛି। ତିନି ଚାରି କିଲୋମିଟର ଦୂର ଆସି ନିରାଶ ହୋଇ ଫେରୁ ଥିବାରୁ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେବା ସହ ଲକ୍ଷ୍ମୀଧର ସାହୁ, କୋଦଣ୍ଡ ମାଝୀ, କାର୍ତ୍ତିକ ଜେନା, ନରେନ୍ଦ୍ର ସାହୁ, ଗଙ୍ଗାଧର ସାହୁ, ଶ୍ରୀକାନ୍ତ ଶାହୁ, ବିଳାସୀ ଜେନା, ଜହ୍ନ ମାଝୀ, ଝୁନୁ ସାହୁ, ଘନଶ୍ୟାମ ସାହୁ, ସାଧୁ ଚରଣ ସାହୁ, ଦିନେଶ ସାହୁ, ଅବିନାଶ ସାହୁ, ଗୋବିନ୍ଦ ପରିଡା, ମଦନ ସାହୁ, ମଦନ ମହାରଣା, ମଣି ସାହୁ, ବିଦ୍ୟାଧର ସାହୁ, ବାସୁଦେବ ସାହୁଙ୍କ ସମେତ ଅନେକ ଲୋକ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ବସି ରହିଥିଲେ। ଖବରପାଇ ହାଟଡ଼ିହି ବ୍ଲକ ଯୋଗାଣ ଅଧିକାରୀ ଟେଲିଫୋନ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ବୁଝାଶୁଝା କରିବା ପରେ ହିତାଧିକାରୀ ମାନେ ଘରକୁ ଫେରିଥିବା ଜଣାଯାଇଛି।