ଋଷିକୂଲ୍ୟା ନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପିପଳପଙ୍କା ଠାରେ ଡ୍ୟାମ ନିର୍ମାଣ ପ୍ରତ୍ୟାହାର କରିବା ସଂଗେ ସଗେ ବେଆଇନ୍ ବାଲି ଉଠାଣ ବନ୍ଦ କରିବା ଦାବୀ ନେଇ ଶନିବାର ଋଷିକୂଲ୍ୟା ନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପ୍ରଦାନ କରିଛନ୍ତି । ଋଷିକୂଲ୍ୟା ନଦୀ ତାହାର ଉପନଦୀ ଜରଉ ବଡ ନଦୀ, ହ୍ରଦନଦୀ, ବାଘୁଆ, ଧନେଇ ଘୋଡାହାଡ ନଦୀର ଚିରନ୍ତନ ଜଳଧାରାରେ ନିଜକୁ ଜୀବନ୍ତ କରି ଆସିଛି । ଉକ୍ତ ଉପନଦୀ ମାନଙ୍କ ଉପରେ ଡ୍ୟାମ ନିର୍ମାଣ ଯୋଗୁଁ ଋଷିକୂଲ୍ୟାର ଜଳ କମି ଥିଲେ ମଧ୍ୟ ଜଳ ପ୍ରବାହ କମ୍ ଜଣାପଡୁ ନଥିଲା । କିନ୍ତୁ ଗତ ସରକାର ଅଳ୍ପ ଜମି ଜଳସେଚନ ପାଇଁ ଟାଟା ଶିଳ୍ପକୁ ପାଣି ଯୋଗାଇଦେବା ଉଦ୍ଦେଶ୍ୟରେ ଋଷିକୂଲ୍ୟା ନଦୀର ମୂଳ ଓ ମୁଖ୍ୟ ଜଳ ସ୍ରୋତ ଅଡଙ୍ଗୀ ନଦୀର ପିପଳପଙ୍କା ଠାରେ ଏକ ଡ୍ୟାମ କରିବାର ପ୍ରସ୍ତାବ ରଖିଛନ୍ତି । ଯାହାଦ୍ୱାରା ଡ୍ୟାମର ନିମ୍ନ ଭାଗରେ ଥିବା ଗଂଜାମ, ଛତ୍ରପୁର ଓ ପୁରୁଷୋତ୍ତମପୁର ଆଦି ବ୍ଲକ ସହ ପୂରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଶତାଧିକ ଗ୍ରାମର ଜନସାଧାରଣଙ୍କ ନିମନ୍ତେ ନିର୍ମିତ ମେଗା ଜଳ ଯୋଗାଣ ପ୍ରକଳ୍ପ ଅଦରକାରୀ ହୋଇ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ । ଗତ ଖରାଦିନେ ଘୋର ଜଳ ସଂକଟ ସମୟରେ ଉକ୍ତ ପ୍ରକଳ୍ପ ଦ୍ୱାରା ଯୋଗାଉଥିବା ଜଳ ହିଁ ହଜାର ହଜାର ଲୋକଙ୍କ ମୁଖ୍ୟ ପାନୀୟ ଜଳର ସହାୟକ ଥିଲ।। ଡ୍ୟାମ ନିର୍ମାଣ ପରେ ବର୍ଷାଦିନ ବ୍ୟତିତ ନଦୀର ଉଭୟ ପାଶ୍ୱର୍ରେ ଥିବା କୂଅ, ପୋଖରୀ ଗୁଡିକ ଶୁଖିଯିବ । ଶହ ଶହ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇଯିବ । ପ୍ରକାଶ ଥାଉକି ଅତ୍ୟଧିକ ବାଲି ଚାଲାଣ ଯୋଗୁଁ ନଦୀର ଗର୍ଭ ଖାଲ ହୋଇ ସମୁଦ୍ରର ଲୁଣି ପାଣି ଯାଉଛି । ଏହି ପ୍ରକଳ୍ପ ହେଲେ ଆଗାମୀ ଦିନରେ ଲୋକମାନେ ପାଣି ପାଇଁ ହାହାକାର ହେବ । ଏଣୁ ଋଷିକୂଲ୍ୟା ନଦୀର ସୁରକ୍ଷା ନିମନ୍ତେ ପିପଳପଙ୍କା ଠାରେ ପ୍ରସ୍ତାବିତ ଡ୍ୟାମ ନିର୍ମାଣକୁ ପ୍ରତ୍ୟାହାର କରିବା ସଂଗେ ସଂଗେ ଲୋକଙ୍କ ପିଇବା ପାଣିର ସୁବିଧା ନିମନ୍ତେ ମେଗାଜଳ ପ୍ରକଳ୍ପର ନିମ୍ନଭାଗ କରପଡା ନିକଟରେ ଏକ ବ୍ୟାରେଜ୍ ନିର୍ମାଣ କଲେ ସମୁଦ୍ର ପାଣି ମେଗା ପ୍ରକଳ୍ପ ପାଖକୁ ଆସି ପାରିବ ନାହିଁ ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ନଦୀ ବଞ୍ଚାଅ ଅଭିଯାନର ସଭାପତି ତଥା ଆଇନଜିବୀ ଦୁର୍ଯ୍ୟୋଧନ ରେଡ୍ଡୀ, ସମ୍ପାଦକ ତଥା ଯୁବନେତା ରଂଜନ କୁମାର ବେହେରା, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ସଂଜୀବ ରେଡ୍ଡୀ, ଏ.ରାଜାରାଓ ରେଡ୍ଡୀ, ଏନ.ଭୀମସେନ ରେଡ୍ଡୀ, ଶୁକ୍ରୁ ବେହେରା, ମିଥୁନ ବେହେରା, ଟୁକୁନା ବେହେରା , କ୍ରିଷ୍ଣା ରେଡ୍ଡୀ, ମାଗତା ବେହେରା, ଜି.ବୈଷ୍ଣବ ରେଡ୍ଡୀ ଓ ଗଙ୍ଗାଧର ରେଡ୍ଡୀଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।