ଇଗ୍‌ନାଇଟିଙ୍ଗ ମାଇଣ୍ଡସ୍‌, ପ୍ରେରଣା ଗ୍ରୀନ ଆର୍ମି ଓ ଆଲାଟିକ୍ ପକ୍ଷରୁ ଓଡ଼ିଶାରେ ୧କୋଟି ଗଛ ଲାଗିବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି, ଶୀତଳତା ପ୍ରଦାନ ମାଧ୍ୟମରେ ପୃଥିବୀକୁ ସୁରକ୍ଷିତ ରଖିବା ସହ ଜୀବଜଗତକୁ ସୁରକ୍ଷା ଦେବା ପାଇଁ ଇଗ୍‌ନାଇଟିଙ୍ଗ ମାଇଣ୍ଡସ୍‌, ପ୍ରେରଣା ଗ୍ରୀନ୍ ଆର୍ମି ଓ ଆଲାଟିକ୍ ଅନୁଷ୍ଠାନ ପକ୍ଷରୁ ଚଳିତବର୍ଷ ୧କୋଟି ବୃକ୍ଷ ବିଭିନ୍ନ ସ୍ଥାନରେ ରୋପଣ କରାଯିବ । ରବିବାର ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ଯେ, ପ୍ରଧାନମନ୍ତ୍ରୀ ମା’ ପାଇଁ ଗଛଟିଏ ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ନିଜ ମା’ ସୁରକ୍ଷିତ ରହିବା ସହିତ ପୃଥିବୀ ମା’ ମଧ୍ୟ ସୁରକ୍ଷିତ ରହିବ । ଯାହଦ୍ୱାରା ପୃଥିବୀପୃଷ୍ଠରେ ଥିବା ସମସ୍ତ ଜୀବଜଗତ ସୁରକ୍ଷିତ ରହିବେ ।ଶ୍ରୀମତୀ ପାଢୀ ବୃକ୍ଷରୋପଣ କରିବା ପରେ ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିରେ ସ୍ଥାନୀୟ ଆଇଆରସି ଭିଲେଜ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରି ଡକ୍ଟର ଶ୍ରୀଚନ୍ଦନ କହିଲେ, ସ୍କୁଲ୍‌, କଲେଜ ଆଦି ସ୍ଥାନରେ ଛାତ୍ରଛାତ୍ରୀମାନଙ୍କ ମାଧ୍ୟମରେ ଓଡ଼ିଶାରେ ସବୁଜ ବଳୟ ସୃଷ୍ଟି କରି ପରିବେଶରେ ସନ୍ତୁଳନ ରକ୍ଷା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମ ଆରମ୍ଭରେ ଇଗ୍‌ନାଇଟିଙ୍ଗ ମାଇଣ୍ଡସ୍ ସଂଗଠନର ପାଟ୍ରୋନ ପ୍ରଫେସର ପ୍ରଫୁଲ୍ଲ କୁମାର ଧଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇ ଓଡ଼ିଶାର ସାମ୍ପ୍ରତିକ ପରିବେଶର ସ୍ଥିତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଗ୍‌ନାଇଟିଙ୍ଗ ମାଇଣ୍ଡସ୍ ସଂଗଠନର ପ୍ରତିଷ୍ଠାତା ମିଷ୍ଟର କରୁଣାକର ରେଡ୍ଡି କହିଲେ ଯେ, ଏଭଳି କାର୍ଯ୍ୟକ୍ରମ ଭାରତବର୍ଷର ବିଭିନ୍ନ ସ୍ଥାନରେ କରାଯାଉଥିବା ସ୍ଥଳେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବ । ଏଥିରେ ପୂର୍ବତନ ରାଜ୍ୟସଭା ସଦସ୍ୟ ସନ୍ତୋଷ କୁମାର ଯୋଗିନାପଲ୍ଲୀ ଯୋଗଦେଇ କହିଲେ ଯେ, ବର୍ତ୍ତମାନ ସମୟରେ ପୃଥିବୀ ସମ୍ମୁଖରେ ପରିବେଶ ପ୍ରଦୂଷଣ ସବୁଠାରୁ ବିଶେଷ ବିପଦ ହୋଇ ଠିଆ ହୋଇଛି । ଏହି ଅବସରରେ ଜଳର ଅପବ୍ୟବହାର ନକରି ସଦୁପଯୋଗ କରିବାକୁ ବାଚସ୍ପତି ଶ୍ରୀମତୀ ପାଢୀ ସମସ୍ତଙ୍କୁ ଶପଥପାଠ କରାଇଥିଲେ । ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ