ଅସ୍ମିତା – ବିଚାର
ଡ. କାଳୀପ୍ରସନ୍ନ ଶତପଥୀ
ମୁଁ ଜାଣିଛି ଏହାକୁ କେହି ପଢ଼ିବେ ନାହିଁ କିମ୍ବା ପଢ଼ିଲେ ବୁଝିଲେ ସୁଦ୍ଧା କିଛି କରିପାରିବେ ନାହିଁ । କାରଣ ସେମାନଙ୍କର ସତ୍ସାହସ ନାହିଁ । ବର୍ତ୍ତମାନ ଓଡ଼ିଶାରେ ଅସ୍ମିତା ଏକ ସଙ୍କ୍ରାମକ ବ୍ୟାଧି ରୂପ ଧାରଣ କରିଛି । କେତେକ ତଥାକଥିତ ଶିକ୍ଷିତ ସାହିତ୍ୟିକ, ରାଜନୀତିକ, ସ୍ୱାର୍ଥପ୍ରେମୀ ଶାସକୀୟ ଅନୁଗ୍ରହ ଆଶାୟୀ ପଦପ୍ରତିଷ୍ଠାଲୋଭୀ ଯେଉଁ ମାନଙ୍କ ପାଖରେ ଅନୁଚର ବଳ, ଅର୍ଥ ବଳ, ଖବରକାଗଜ /ଗଣମାଧ୍ୟମ ବଳ, ଛାପାଖାନା ବଳ, କ୍ଷମତା ବଳ, ଲାଇସେନ୍ସ ବଳ, (ଯାହାର ଅର୍ଥ ଅନୁମତିପ୍ରାପ୍ତ ଏବଂ ସ୍ୱତନ୍ତ୍ର କ୍ଷମତା ଦୁରୁପଯୋଗ) ପ୍ରକୃତ ଶବ୍ଦର ଅର୍ଥ ନ ବୁଝିବା ବଳ ଏବଂ ନିଜ ପ୍ରଚାର ଓ ପ୍ରସାର ପାଇଁ ଅନର୍ଥ ସୃଷ୍ଟି କରିବା ବଳ ପ୍ରବଳ ମାତ୍ରାରେ ରହିଛି ସେମାନେ ନିଜ ଅଜ୍ଞତା ଓ ଭୁଲ କୁ ବିଜ୍ଞତାର ମାପକାଠି ଭାବରେ ବ୍ୟବହାର କରୁଛନ୍ତି । ପ୍ରକୃତରେ ଅସ୍ମିତାର ମୌଳିକ ନକାରାତ୍ମକ ଭାବକୁ ସକାରାତ୍ମକ ଭାବରେ ଗ୍ରହଣ କରିବାକୁ ଆଗ୍ରହୀ ଓ ଯତ୍ନବାନ୍ ହୋଇଛନ୍ତି । ଅସ୍ମିତା ଶବ୍ଦର ଅର୍ଥ ଅହଙ୍କାରକୁ ଐଶ୍ୱରିକ ସତ୍ତା ଭାବରେ ଗ୍ରହଣ କରି ପ୍ରଚାର ଓ ପ୍ରସାର କରୁଛନ୍ତି । ଅହଙ୍କାର ଏକ ଚିତ୍ତବୃତ୍ତି । ଗୀତାରେ (୩/୨୭)ଅହଙ୍କାରବିମୂଢ଼ାତ୍ମା ନିଜକୁ ସର୍ବମୟ କର୍ତ୍ତା ବୋଲି ଭାବେ । ଅସ୍ମିତା ଶବ୍ଦର ବ୍ୟବହାର ତା\’ ବାଟରେ ମାତ୍ର ଅହଂ ଜ୍ଞାନ, ସୋହମ୍, ଅହଂ ବ୍ରହ୍ମାସ୍ମି, ତତ୍ତ୍ୱମସି – -ଜୀବୋ ବ୍ରହ୍ମୈବ ନାପରଃ ପ୍ରଭୃତି ବେଦାନ୍ତ ସମ୍ବନ୍ଧୀୟ ବ୍ୟାଖ୍ୟା କରୁଛନ୍ତି । କୌଣସି ସଂସ୍କୃତ ବା ଓଡ଼ିଆ ଗ୍ରନ୍ଥରେ ଲେଖା ହୋଇନାହିଁ ଅସ୍ମିତାର ଅର୍ଥ ସେହି ବ୍ରହ୍ମ ହିଁ ମୁଁ । ମୁଁ ହିଁ ବ୍ରହ୍ମ ଅଟେ ।ତୁମେ ହିଁ ବ୍ରହ୍ମ ଅଟ । ମୁଁ ସେହି ଜୀବ ହିଁ ପରମାତ୍ମା ବା ବ୍ରହ୍ମ । ଏହିପରି ଆତ୍ମଜ୍ଞାନକୁ ସର୍ବଜ୍ଞାନ ସତ୍ୟତା ର ମାପକାଠି ବୋଲି ବିଚାର କରିବା ଅନୁଚିତ । ଆମ ହାତରେ କ୍ଷମତା ଅଛି, କଲମ ଅଛି ଆମର ବହୁତ ସମର୍ଥକ ଅଛନ୍ତି ତେଣୁ ଅସ୍ମିତା ଅର୍ଥକୁ ଆମେ ଗୌରବ ବା ସ୍ୱାଭିମାନ ଅର୍ଥରେ ବ୍ୟବହାର କରିବାକୁ ପ୍ରତିଜ୍ଞାବଦ୍ଧ । ଆମର ଭାଷା ସାହିତ୍ୟ ସଂସ୍କୃତି ଯେଉଁ ଆଡ଼କୁ ଯାଉଛି ଯାଉ । ସିଗାରେଟ୍ ଖୋଳ ଉପରେ ଧୂମପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନକାରାତ୍ମକ ବାଣୀ ଲେଖାଯାଇଛି ମାତ୍ର ସିଗାରେଟ୍ ଧୂଆଁକୁ ପିଇବାକୁ ସକାରାତ୍ମକ ଭାବରେ ଯୋଜନା ଅବିରତ ଚାଲୁ ରହିଛି । ଅସ୍ମିତା ଏକ ନକାରାତ୍ମକ ଶବ୍ଦ ଜାଣି ସୁଦ୍ଧା ସିଗାରେଟ୍ ଧୂଆଁକୁ ପାନ କରିବା ଯାହା ଅସ୍ମିତାକୁ ସକାରାତ୍ମକ ଚିନ୍ତାଧାରାରେ ବର୍ଣ୍ଣନା କରିବା ତାହା । ଶୁଣ୍ଡୀର ସାକ୍ଷୀ ମାତାଲ । ଗାଲୁଆଙ୍କର ବାରବାଟୀ ଚାଷ ପରି ଗଣତନ୍ତ୍ର ଯୁଗରେ ଗଣମତ ଗଣମାଧ୍ୟମ ପ୍ରଭାବରେ ପ୍ରକୃତ ଗୁଣ ବା ସତ୍ୟ (ଅସ୍ମିତା ର ରହସ୍ୟ) ଲୁଚି ଯାଉଛି । ଧର୍ମପଦ, ଗଣତନ୍ତ୍ରର ପ୍ରଭାବରେ ଅସ୍ମିତା ବିସର୍ଜନ କରି ଆତ୍ମବଳି ଦେଇଥିଲେ, ଆଉ କେହି ଦ୍ୱିତୀୟ କୋଣାର୍କ ଗଢ଼ିଲେଣି ବା ସେହିପରି ମନ୍ଦିର ଚୂଡ଼ା ସମ୍ପୂର୍ଣ୍ଣ କରିଛନ୍ତି!! ଆମ ପୂର୍ବପୁରୁଷ କୌଣାର୍କ ଗଢ଼ିଥିଲେ ତେଣୁ ଆମେ ସବୁଠୁଁ ବଢ଼ିଆ । ଏହି ଅସ୍ମିତା ହିଁ ଆମ ପତନର ମୁଖ୍ୟ କାରଣ । ମହାପ୍ରଭୁ ଜଗନ୍ନାଥଙ୍କୁ ଆମ ଗୌରବ ନାମରେ ଅସ୍ମିତାର ଉଦାହରଣ ସ୍ୱରୂପ ଉପସ୍ଥାପନ କରିବା ଚରମ ଅସ୍ମିତା ।