ଅନ୍ୟ ଲୋକଙ୍କ ଏକାଉଣ୍ଟ କୁ ଯାଇଛି ଆବାସ ଟଙ୍କା, ଗୁହାଳ ଘରେ ଗୋରୁ ସହିତ ରାତ୍ରିଯାପନ କରୁଛନ୍ତି ବୃଦ୍ଧ ଦମ୍ପତ୍ତି
ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାର ଗରିବ ଅସହାୟ ଲୋକ ମାନଙ୍କୁ ପକ୍କା ଘରେ ରହିବା ପାଇଁ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ବେଳେ ହାଟଡିହି ବ୍ଲକରେ ଅନେକ ଲୋକ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ଆବାସ ଯୋଜନାରେ ଘର ପାଇ ମଧ୍ୟ ଘର ନିର୍ମାଣ କରିପାରୁ ନାହାନ୍ତି। ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଛନ୍ତି। ରହିବା ପାଇଁ ଘର ନଥିବା ବେଳେ ସଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଗୋଲାପ ନାଇକ। ଅଭିଯୋଗ ଅନୁଯାଇ ହାଟଡ଼ିହି ବ୍ଲକ ସଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ବାସୁଦେବ ନାଇକ ଓ ତାଙ୍କ ପତ୍ନୀ ଗୋଲାପ ନାଇକ ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି। ସେ ଭଙ୍ଗା ଚାଳଘରେ ବସବାସ କରୁଛନ୍ତି। ଗୋଟିଏ ଘର ଭିତରେ ଗୋରୁ ଗାଇଙ୍କୁ ରଖିବା ସହ ଆଉ ଗୋଟିଏ ପାଖରେ ବୃଦ୍ଧ ଦମ୍ପତ୍ତି ରହୁଛନ୍ତି। ଏପରିକି ଘରର କାନ୍ଥ ଭାଙ୍ଗି ପଡ଼ିଥିବାରୁ ନିଜ ପିନ୍ଧା ଶାଢ଼ୀକୁ ଘେରାଉ କରି ଛନ୍ତି। ଯାହା ନିଜ ଆଖିରେ ନଦେଖିଲେ ବିଶ୍ୱାସ ହେବନି। ପର ଘରେ କାମଧନ୍ଦା କଲେ ପେଟ ପୋଷୁଥିବା ଏହି ପରିବାରର ଆର୍ଥିକ ସାମର୍ଥ୍ୟ ନଥିବାରୁ ଘର ଖଣ୍ଡିଏ କରିପାରୁ ନାହାନ୍ତି। ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଆବେଦନ କରିଥିଲେ। ଆବେଦନ ସମୟରେ ସେ ଗ୍ରାମ୍ୟ ବ୍ୟାଙ୍କ ଏକାଉଣ୍ଟ ନମ୍ବର ସହ ନିଜର ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିଥିଲେ। ଗତ ନଭେମ୍ବର ମାସରେ ସଡଙ୍ଗ ପଞ୍ଚାୟତର ସରପଞ୍ଚ ତାଙ୍କୁ ତୁମ ଏକାଉଣ୍ଟ କୁ ୪୦ହଜାର ଟଙ୍କା ଯାଇଛି ଘର କର ବୋଲି କହିବାପରେ ସେ ବ୍ୟାଙ୍କକୁ ଯାଇ ଚେକ କରିବାରୁ ଟଙ୍କା ଯାଇନଥିବା ଜାଣିବାକୁ ପାଇଥିଲେ। ସେ ତୁରନ୍ତ ସରପଞ୍ଚ ଙ୍କ ସମେତ ବ୍ଲକ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇଥିଲେ। ତାଙ୍କ ଟଙ୍କା ସେହି ଗ୍ରାମର ଜ୍ୟୋତ୍ସ୍ନାରାଣୀ ନାଇକ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟ କୁ ଯାଇଛି ବୋଲି ବ୍ଲକ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ସେହିଦିନ ଠାରୁ ପ୍ରାୟେ ପ୍ରତିମାସ ବାସୁଦେବବ୍ଲକକୁ ଦୌଡୁଛନ୍ତି ଯେ ତାଙ୍କ କଥାକୁ କେହି ଶୁଣୁ ନାହାନ୍ତି ଓଲଟା ସେହି ବିଭାଗରେ ଥିବା କର୍ମଚାରୀଙ୍କ ବ୍ୟବହାରରେ ସେ ଅତିଷ୍ଠ ହୋଇପଡିଛନ୍ତି। ସେଥିପାଇଁ ସେ ଆଉ ଘର ପାଇବା ଆଶା ମଧ୍ୟ ଛାଡ଼ିଦେଇଛନ୍ତି। ସେ ସେହି ଭଙ୍ଗା ଚାଳଘରଟିରେ ଯେପରିଭାବେ କାଳାତିପାତ କରୁଛନ୍ତି ତାହା ଅତ୍ୟନ୍ତ ହୃଦୟ ବିଦାରକ। ଖାଲି ସେହି ବ୍ୟକ୍ତି ନୁହନ୍ତି ସେହି ଗ୍ରାମର ଧୁଶାସନ ସାହୁ, ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମର କାଞ୍ଚନ ପ୍ରଧାନ, ମଞ୍ଜୁଲତା ମହାନ୍ତିଙ୍କ କ୍ଷେତ୍ରରେ ହୋଇଛି। ମଞ୍ଜୁଲତା ମହାନ୍ତିଙ୍କ ଟଙ୍କା ତାଙ୍କରି ଗ୍ରାମର ଅନ୍ୟଜଣେ ଏକାଉଣ୍ଟ କୁ ମଧ୍ୟ ପଳାଇ ଥିବାରୁ ସେ ଘର କରି ପାରୁ ନାହାନ୍ତି ବୋଲି କହିଛନ୍ତି। ବିଭିନ୍ନ ପଞ୍ଚାୟତରେ ଏହିପରି ଅନେକ ହିତାଧିକାରୀଙ୍କ ଟଙ୍କା ଭିନ୍ନ
ଏକାଉଣ୍ଟ କୁ ପଳାଇ ଥିବାରୁ ବିଚରା ଆବାସ ଯୋଜନାର ହିତାଧିକାରୀ ମାନେ ଘର କରିବାରୁ ବଞ୍ଚିତ ହୋଇ ରହିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଙ୍କୁ ପଚାରିବାରେ ସେ ଏପରି ଅନିୟମିତତା କୁ ସ୍ୱୀକାର କରି କହିଛନ୍ତି ଯେ ବ୍ଲକରେ ମୋଟ ୨୧୧ ଜଣ ହିତାଧିକାରୀଙ୍କ ଏପରି ସମସ୍ୟା ହୋଇଥିଲା। ଆଧାର ବେଶ ରେ ପେମେଣ୍ଟ ହେଉଥିବା ଯୋଗୁଁ ଏପରି ହୋଇଛି। ଏନେଇ କମିଟି ଗଠନ କରି ୯୫ଭାଗ ଲୋକଙ୍କ ସମସ୍ୟା ସମାଧାନ କରା ଯାଇଥିବା ବେଳେ ଆଉ ମାତ୍ର ୧୨/୧୩ ଜଣଙ୍କ ସମସ୍ୟା ରହିଛି। ଆଜିବି ଜଣେ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଆ ଯାଇଛି। ଆଉ ଯେଉଁ କିଛି ଲୋକଙ୍କ ସମସ୍ୟା ରହିଛି ଅତିଶୀଘ୍ର ସମାଧାନ କରିବୁ ବୋଲି କହିଛନ୍ତି।