୫-ଟି କୁ ରୂପାନ୍ତରିତ କରି ଚୁପ ବସିଗଲେ ସରକାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ଓ ରାଜ୍ୟ ଶିକ୍ଷା ବିଭାଗର ଦୁରଦୃଷ୍ଟିର ଅଭାବ ଯୋଗୁଁ ଏବେ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକ ବନ୍ଦ ହେବାକୁ ବସିଛି, ସେପଟେ ପୂର୍ବ ସରକାର ସମୟରେ ଏହି ସ୍କୁଲ ଗୁଡିକୁ ୫-ଟିରେ ସାମିଲ କରାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୌନ୍ଦର୍ଯ୍ୟ କରଣ କରିବା ସହିତ ଅଧିକରୁ ଅଧିକ ଶ୍ରେଣୀଗୃହ ସବୁ ନିର୍ମାଣ କରୁଛନ୍ତି । ଯଦି ବିଦ୍ୟାଳୟ ଗୁଡିକୁ ବନ୍ଦ କରିବାପାଇଁ ସରକାର ଯୋଜନା ଥିଲା ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ୫-ଟିରେ ସାମିଲ କରୁଥିଲେ କାହିଁକି ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିଛନ୍ତି। ହାଟଡ଼ିହି ବ୍ଲକରେ ଅନେକ ଉଚ୍ଚ ବିଦ୍ୟାଳୟରେ ଏବେ ଏହି ସମସ୍ୟା ଦେଖାଦେଇଛି। ସୂଚନାରୁ ଜଣାଯାଇଛି ଯେ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅଧିକାଶଂ ହାଇସ୍କୁଲ ନଥିବା ପଞ୍ଚାୟତରେ ଗ୍ରାମବାସୀ ଓ ବୁଦ୍ଧିଜିବୀ ମାନଙ୍କ ଦ୍ବାରା ହାଇସ୍କୁଲ ସ୍ଥାପନ କରା ଯାଇଥିଲା । ଏହାଦ୍ଵାରା ସେ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସହଜରେ ମାଟ୍ରିକ ଶିକ୍ଷା ଶେଷ କରିପାରିଥିଲେ । ପୁର୍ବପରି ଏହି ସ୍କୁଲ ଗୁଡିକୁ ସରକାର ହାତକୁ ନେଇ ଶିକ୍ଷକ ଦରମା ସାଙ୍ଗକୁ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସମସ୍ତ ଦାୟିତ୍ଵ ସରକାର ବୁଝିବେ ବୋଲି ଆଶା କରାଯାଉଥିଲା । ମାତ୍ର ସରକାର ପୁର୍ବ ନିୟମକୁ ପ୍ରଚଳନ ନକରି ବିଦ୍ୟାଳୟ ଗୋଟିଏ କୁ ନିୟମ ଗୋଟିଏ ଭଳି ନୁତନ ନିୟମ ଲାଗୁ କରିଦେବା ଦ୍ଵାରା ଏହି ବିଦ୍ୟାଳୟ ଗୁଡିକରେ ଅନିଶ୍ଚିତତା ଲାଗି ରହିଛି । ଏବେ ରାଜ୍ୟ ସରକାର ଏହି ସବୁ ସ୍କୁଲ ଗୁଡିକୁ ଏଡେଡ ସ୍କୁଲ ଓ ନିଉ ଏଡେଡ଼ ର ନାମକରଣ କରି କେବଳ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଦରମା ଦେଇ ଖୁସି କରିଦେଲେ ସିନା କିନ୍ତୁ ସ୍କୁଲ ଗୁଡ଼ିକୁ ହାତକୁ ନେଲେନି । ଯେଉଁ ଶିକ୍ଷକମାନେ ସେତେବେଳେ ନିଯୁକ୍ତି ପାଇଥିଲେ ଏବେ ସେଥିମଧ୍ୟରୁ ଅନେକ ଅବସର ନେଲେଣି ତ ଆଉ କିଏ ମୃତ୍ୟୁ ବରଣ କରିସାରିଲେଣି । ସରକାରଙ୍କ ନିୟମାନୁଯାଇ ଏହିସବୁ ବିଦ୍ୟାଳୟ ମାନଙ୍କରେ ଆଉ ଶିକ୍ଷକ ନିଯୁକ୍ତି କରାଯାଇପାରୁ ନାହିଁ । ଫଳରେ ସେହିସବୁ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନରେ ଘୋର ବାଧା ଦେଖାଦେଇଛି । ଏପରିକି ଆଉ ଦିନ କେଇଟା ଭିତରେ ଏହିସବୁ ସ୍କୁଲ ବନ୍ଦ ହେବାକୁ ବସିଛି । ଗୋଟିଏ ଗୋଟିଏ ବିଦ୍ୟାଳୟରେ ମାତ୍ର ୨/୩ ଜଣ ଶିକ୍ଷକ ଓ କର୍ମଚାରୀ ‘ଥୁବାରୁ କିପରି ଶିକ୍ଷାଦାନ ହେଉଥିବ ତାହା ସହଜରେ ଅନୁମେୟ । ଉଦାହରଣ ସ୍ୱରୂପ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଞ୍ଚୋଳ ହାଇସ୍କୁଲଟି ୧୯୮୩ ମସିହାରେ ସ୍ଥାପନ ହୋଇଥିବାବେଳେ ଏଠାକାର ପୁର୍ବତନ ଛାତ୍ରଛାତ୍ରୀ ମାନେ ଏଠାରୁ ଶିକ୍ଷାଲାଭ କରି ଏବେ ଅନେକ ବଡ ବଡ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଏହି ବିଦ୍ୟାଳୟ ସ୍ଥାପନ ସମୟରେ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଆର୍ଟସ ଶିକ୍ଷକ, ଦୁଇଜଣ ବିଜ୍ଞାନ ଶିକ୍ଷକ, ଜଣେ ସଂସ୍କୃତ, ଜଣେ ହିନ୍ଦି, ଜଣେ ଖେଳ ଶିକ୍ଷକ, ଜଣେ କିରାଣୀ ଓ ତିନିଜଣ ଚତୁର୍ଥଶ୍ରେଣୀ କର୍ମଚାରୀ ଏହିପରି ମୋଟ ୧୨ଜଣ ଶିକ୍ଷକ ଶିକ୍ଷତ୍ରୀ ଓ କର୍ମଚାରୀ ନିଯୁକ୍ତି ପାଇଥିଲେ । କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଶିକ୍ଷକମାନେ ଅବସର ନେବାପରେ ଦିନକୁ ଦିନ ଶିକ୍ଷକ ଓ କର୍ମଚାରୀଙ୍କ ସଂଖ୍ୟା କମି କମି ଯାଉଛି । ଏବେ ଜଣେ ବିଜ୍ଞାନ ଶିକ୍ଷକ ଓ ଜଣେ ହିନ୍ଦି ଶିକ୍ଷକରେ ସ୍କୁଲ ଚାଲିଛି। ବିଜ୍ଞାନ ଶିକ୍ଷକ ଜଣକ ପ୍ରଧାନ ଶିକ୍ଷକ ଦାୟିତ୍ୱ ରେ ଥିବାରୁ ଅଧିକାଂଶ ସମୟ ସରକାରୀ ଅଫିସ ଯିବା ଆସିବାରେ ଯାଉଛି। ଅନ୍ୟ ଶିକ୍ଷକ ଜଣକ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ବ୍ୟସ୍ତ ରହୁଛନ୍ତି। ବିଦ୍ୟାଳୟରେ ତେଣୁ ଶିକ୍ଷାଦାନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏହି ବିଦ୍ୟାଳୟରେ ଶହଶହ ଛାତ୍ରଚାତ୍ରୀ ଅଧ୍ୟୟନ କରୁଥିବାବେଳେ ଶିକ୍ଷକ ଅଭାବକୁ ନେଇ ଅନେକ ଅଭିଭାବକ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଏଠାରେ ଶିକ୍ଷାଦାନ କରିବାକୁ ଉଚିତ ନମଣି ଭିନ୍ନ ସ୍କୁଲକୁ ନେଇ ଶିକ୍ଷାଲାଭ କରାଉଛନ୍ତି । ଏପରିକି ଅନେକ ଛାତ୍ରଛାତ୍ରୀ ଦୁର ଦୁରାନ୍ତ ସ୍କୁଲକୁ ନଯାଇ ଅଧାରୁ ପାଠ ମଧ୍ୟ ଛାଡି ଦେଲେଣି । ଏବେ ଦୁଇଟି ଶ୍ରେଣୀରେ ୪୦ରୁ ଉର୍ଷ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ଅଭାବ ଯୋଗୁଁ ପ୍ରାୟତ ଅନେକ ବିଷୟରେ ଶିକ୍ଷାଦାନ ଆରମ୍ଭ ହୋଇନି । କିନ୍ତୁ ଏହି ହାଇସ୍କୁଲକୁ ୫-ଟିରେ ରୁପାନ୍ତରିତ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଜ କରାଯାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ନାମରେ ସ୍ମାର୍ଟ କ୍ଲାସ ରୁମ, ଅତ୍ୟାଧୁନିକ ବିଜ୍ଞାନ ଗାର, ଇ ଲାଇବ୍ରେରୀ, ସାଇକେଲ ଷ୍ଟାଣ୍ଡ, ଆଦି କରାଯାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରେଣୀଗୃହ ନିର୍ମାଣର ବ୍ୟବସ୍ଥା କରାଯାଇଛି । ଯେଉଁଠି ଶିକ୍ଷକ ନାହାନ୍ତି ସେଠାରେ ଏସବୁର ମାନେ କଣ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି।ଖାଲି ଇଞ୍ଚୋଳ ହାଇସ୍କୁଲ ନୁଁହ, ଏହି ବ୍ଲକର ଶାଳଣିଆ ହାଇସ୍କୁଲରେ ମଧ୍ୟ ସମାନ ଅବସ୍ଥା। ଏଠାରେ ଜଣେ ସଂସ୍କୃତ ଓ ଜଣେ ହିନ୍ଦୀ ଶିକ୍ଷକ ରେ ବିଦ୍ୟାଳୟ ଟି ଚାଲିଛି। ଏ ଅଞ୍ଚଳର ଅନେକ ମେଧାବୀ ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ବେଳେ ଏବେ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇ ପଡିଛି। ବିଜ୍ଞାନ, ଗଣିତ, ଇଂରାଜୀ ଭଳି ବିଷୟରେ ପାଠ ପଢା ଆରମ୍ଭ ହୋଇପାରିନି। ସେହିପରି ପନ୍ଦାଡୋ ହାଇସ୍କୁଲରେ ଜଣେ ବିଜ୍ଞାନ ଶିକ୍ଷକ, ଜଣେ ହିନ୍ଦୀ ଶିକ୍ଷକ ଓ ଖେଳ ଶିକ୍ଷକଙ୍କୁ ନେଇ ସ୍କୁଲ ଚାଲିଛି। ସେହିପରି ମଉଦା ହାଇସ୍କୁଲରେ ଜଣେ ବିଜ୍ଞାନ ଓ ଜଣେ କଳା ଶିକ୍ଷକରେ ବିଦ୍ୟାଳୟ ଚାଲିଛି। ଏସବୁ ବିଦ୍ୟାଳୟକୁ ୫-ଟି ରେ ସାମିଲ କରି ସୌନ୍ଦର୍ଯ୍ୟ କରଣ କରିଥିଲେ ବି ସରକାର ଏହି ସବୁ ସ୍କୁଲ ମାନଙ୍କରେ ଶିକ୍ଷକ ନିଯୁକ୍ତି ନକରି ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଶିକ୍ଷକ ନିଯୁକ୍ତି କରି ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ଼ କରିବାକୁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ