ଦେଖିବାକୁ ମିଳୁନି ହାତ ତିଆରି ଛତା ଓ ପଖିଆ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଏକ ଚାଷୀ ବହୁଳ ଅଞ୍ଚଳ। ବର୍ଷା ଋତୁରେ ଏହି ଅଞ୍ଚଳର ଚାଷୀ ମାନେ ବର୍ଷା ହେଲେ ବିଲରେ ଚାଷ କାର୍ଯ୍ୟ କରୁଥିବା ବେଳେ ହାତ ତିଆରି ଛତା ଓ ପଖିଆ ବ୍ୟବହାର କରୁଥିଲେ। ଏବେ ବଜାରରେ ବିଭିନ୍ନ ପ୍ରକାରର ଛୋଟ ବଡ କପଡ଼ାର ଛତା ମିଳୁଛି। ଏଣୁ ଚାଷୀ ମାନେ ଆଉ ହାତ ତିଆରି ଛତା ଓ ପଖିଆକୁ ବ୍ୟବହାର କରୁନାହାନ୍ତି। ତାଳପତ୍ର ଓ ବାଉଁଶ ପାତିଆରେ
କିଛି ବ୍ୟକ୍ତି ସୁଦୃଢ଼ ଛତା ଓ ପଖିଆ ତିଆରି କରୁଥିଲେ। ବିଭନ୍ନ ହାଟ, ବଜାରରେ ପଖିଆ ବହୁଳ ପରିମାଣରେ ବିକ୍ରି କରାଯାଉଥିଲା।
କେବଳ ଚାଷୀ ମାନେ ନୁହଁନ୍ତି ଗୋ ପାଳକ, ମେଣ୍ଢା, ଛେଳି, ଘୁଷୁରୀ ଜଗୁଥିବା ବ୍ୟକ୍ତି ମାନେ ଉଭୟ ବର୍ଷା ଓ ଖରା ଋତୁ ରେ ଏହି ଛତାକୁ ବ୍ୟବହାର କରୁଥିଲେ। ଏହି ଛତା ବି ବେଶ ମଜଭୁତ ଥିଲା। ଏହା ପ୍ରଚଣ୍ଡ ଖରା ହେଉ ବା ଲଗାଣ ବର୍ଷା ସବୁଥିରୁ ସୁରକ୍ଷା ପ୍ରଦାନ କରୁଥିଲା। ବ୍ରାହ୍ମଣଙ୍କ ପରିବାରରେ ବ୍ରତୋପନୟନ ଉତ୍ସବ ବି ଏହି ଛତାର ବ୍ୟବହାର ହୋଇ ଆସୁଥିଲା। ଏବେ ଆଉ ଏହି ଛତା ହାଟ, ବଜାରରେ ବିକ୍ରୀ ହେଉନାହିଁ। ଚାଷୀ, ଗୋପାଳକ, ମେଣ୍ଢା, ଛେଳି, ଘୁଷୁରୀ ଚରାଇବାକୁ ନେଉଥିବା ବ୍ୟକ୍ତି ମାନେ ବି ଆଉ ଏହି ଛତା ବ୍ୟବହାର କରୁ ନାହାଁନ୍ତି। ତାଳ ପତ୍ରରେ ସ୍ଵତନ୍ତ୍ର ଭାବେ ନିର୍ମିତ ପଖିଆ ବି ଆଉ ପୁରୀ ଜିଲ୍ଲା ରେ ଦେଖିବାକୁ ମିଳୁନି। ଏ ସବୁର ନିର୍ମାଣ, ତିଆରି, ବିକ୍ରୀ, ବ୍ୟବହାର ଏବେ ବନ୍ଦ ହୋଇଯାଇଛି। ଏଣୁ ଆଉ ଦେଖିବାକୁ ମିଳୁନି ହାତ ତିଆରି ଛତା ଆଉ ପଖିଆ।