ଜଙ୍ଗଲର ରାଜା ନିଜ ସାମ୍ରାଜ୍ୟରେ ଅସୁରକ୍ଷିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଙ୍ଗଲର ରାଜା କିନ୍ତୁ ନିଜ ସାମ୍ରାଜ୍ୟରେ ଆଜି ଅସୁରକ୍ଷିତ । ଘଞ୍ଚ ଜଙ୍ଗଲରେ ବି ବାଘ ନିଜକୁ ସୁରକ୍ଷିତ ମଣୁ ନାହିଁ । ଶିକାରୀଙ୍କ ବେଧଡକ ଶିକାର ଯୋଗୁଁ ବିଶ୍ୱରେ ବ୍ୟାଘ୍ର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବାଘର ପରମ ଶତ୍ରୁ ପାଲଟିଯାଇଛି ମଣିଷ । ଜୈବବିବିଧତାର ସନ୍ତୁଳନ ରକ୍ଷା ପାଇଁ ବାଘର ଉପସ୍ଥିତି ନିତାନ୍ତ ଜରୁରୀ ବୋଲି ବିଶ୍ୱ ବ୍ୟାଘ୍ର ଦିବସ ପାଳନ ଅବସରରେ ପରିବେଶବିତ୍ ସୁଶାନ୍ତ ସାହୁ ଅତିଥି ରୂପେ ଯୋଗ ଦେଇ ମତପ୍ରକାଶ କରିଛନ୍ତି । ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖଟିକୁ ବ୍ୟାଘ୍ର ଦିବସ ରୂପେ ପାଳନ କରାଯାଉଛି । ଏହି କ୍ରମରେ ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ବୁଲ୍ସଆଇ’ ପକ୍ଷରୁ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ଏନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀର ବିଦ୍ୟାର୍ଥୀମାନେ ବାଘ ମୁଖା ପିନ୍ଧି ଗ୍ରାମରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଏହି ଅବସରରେ ‘ବୁଲ୍ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଯୋଗ ଦେଇ କହିଥିଲେ ବାଘ ରହିଲେ ଜଙ୍ଗଲ ରହିବ । ଜଙ୍ଗଲ ରହିଲେ ପରିବେଶ ସନ୍ତୁଳନ ଠିକ୍ ଠାକ୍ ରହିପାରିବ । ଏଣୁ ବାଘଙ୍କ ପାଇଁ ପ୍ରାକୃତିକ ସ୍ଥଳୀକୁ ସୁରକ୍ଷିତ ରଖିବା ପାଇଁ ଆମ୍ଭେମାନେ ଯତ୍ନବାନ ହେବା ସହ ଜଙ୍ଗଲ ଆଇନ ସଂଶୋଧନର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଗ୍ରାମବାସୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।