ଆବାସ ଯୋଜନାରେ ଦିବ୍ୟାଙ୍ଗଙ୍କୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଅଧିନ ଗଣ୍ଡଗରା ଗ୍ରାମର ଦିବ୍ୟାଙ୍ଗ ବିଦ୍ୟାଧର ନାୟକଙ୍କୁ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଧରଙ୍କ ପତ୍ନୀ ଅରୁଣାବାଳା ନାୟକ ମୁଖ୍ୟମନ୍ତ୍ରୀ, ଭଦ୍ରକ ସାଂସଦ, ଜିଲାପାଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ବିଡିଓ ଓ କେନ୍ଦୁଆପଦା ସରପଞ୍ଚଙ୍କ ଠାରେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ବିଦ୍ୟାଧର ଜଣେ ଶାରୀରିକ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ ଦୀର୍ଘ ଦିନ ହେବ ରୋଗଗ୍ରସ୍ତ ହୋଇ ଘରେ ପଙ୍ଗୁ ସମ ପଡି ରହିଛନ୍ତି । ସେ ଚାଳ ଛପର ଘରେ ପରିବାର ସହିତ ରହିଆସୁଛନ୍ତି । ସେ ଜଣେ ଦିବ୍ୟାଙ୍ଗ ଯୋଗ୍ୟ ହିତାଧିକାରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁସନ୍ଧାନ ଅଧିକାରୀଙ୍କ ଦ୍ୱାରା ପକ୍କା ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କର ହିତାଧିକାରୀ ରେଜିଷ୍ଟ୍ରେସନ ନଂ-ଓଆର୧୫୨୯୨୮୦୫୪ ଅଟେ । ମାତ୍ର ବ୍ଲକର ଜନୈକ କର୍ମଚାରୀ ତାଙ୍କ ସ୍ୱାମୀଙ୍କ ନାମକୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ କରିଦେଇଛନ୍ତି । ଯାହା ଫଳରେ ସେ ଆବାସ ଯୋଜନାରେ ପକ୍କା ଘର ପାଇବାରୁ ବଂଚିତ ହୋଇଥିବା ବିଦ୍ୟାଧରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ସେହିଭଳି ଏହି ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମକୁ ବାଦ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ