ଗୁଜବ ପ୍ରଘଟ କରନ୍ତୁ ନାହିଁ

ଦିପ୍ତିମୟୀ ନାୟକ
ବିଶ୍ୱାସ ମୂଳରେ ଭଗବାନ ଥାଆନ୍ତି ବୋଲି ଅନେକ ଲୋକ କୁହନ୍ତି କିନ୍ତୁ ସେମାନେ ଜାଣିନଥାନ୍ତି ଭଗବାନଙ୍କ ନାଁ ନେଇ କିଛି ଲୋକ ଲୋକଙ୍କ ଭାବାବେଗ ସହ ଖେଳନ୍ତି | ତେବେ ରାତି ପାହିଲେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଗୁଡିକୁ ଖୋଲିଦେଲେ ଏମିତି ଲାଗେ ଯେମିତି ସତରେ ଲୋକଙ୍କୁ ବୋକା ବନେଇବା ପାଇଁ ଏଠି କିଏ କେତେ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି | ହେଲେ ଆମ ଲୋକ ବିଶ୍ୱାସ ମୂଳରେ ଭଗବାନ କହି ବୋକା ବନିଚାଲିଛନ୍ତି | ଅନେକ ଲୋକଙ୍କର ଅନେକ ଗୁଡିଏ ସମସ୍ୟା ଥାଏ | କିଏ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଥାଏ ତ ଆଉ କିଏ ନିଜ ଜୀବନର କିଛି ସମସ୍ୟା ଭିତରୁ ମୁକୁଳିବାକୁ ଚାହୁଁଥାଏ ତ ପୁଣି କିଏ କିଛି ପାଇବାକୁ ଆଶା କରିଥାଏ | ଆଉ ଏସବୁ କେମିତି ସମାଧାନ ହେବ ସେଥିରେ ମୁଣ୍ଡ ନଖେଳେଇ ଆଜିକାଲିର କିଛି ଲୋକ ଗୁଜବ କଥାରେ ମୁଣ୍ଡ ଖେଳେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଯେଉଁ ସମସ୍ୟା ଗୁଡିକୁ ସେମାନେ ନିଜେ ସମାଧାନ କରିପାରିବେ ସେହିମାନେ ହିଁ ଗୁଜବ କଥାକୁ ବିଶ୍ୱାସ କରି ସେହି ସମସ୍ୟା ଗୁଡିକରେ ଛନ୍ଦି ହୋଇଯାଇଥାନ୍ତି | ଯେମିତିକି ଅନେକ ଦିନରୁ ସୋସିଆଲ ମିଡିଆରେ ଘୁରିବୁଲୁଛି ଏହି ପୋଷ୍ଟଟିକୁ ୨୧ ଜଣଙ୍କୁ ସେୟାର କରନ୍ତୁ ଆପଣଙ୍କ ସବୁ ମନସ୍କାମନା ପୂରଣ ହେବ | ଆପଣଙ୍କ ବାପା ମା’ଙ୍କୁ ଯଦି ଆପଣ ସତରେ ଭଲ ପାଉଥିବେ ତେବେ ଆପଣ ଏହି ପୋଷ୍ଟଟିକୁ ଅଧିକରୁ ଅଧିକ ସେୟାର କରିବେ | ଯଦି ଆପଣଙ୍କର ବ୍ରେକଅପ ହୋଇଛି ତେବେ ଏହାକୁ ସେୟାର କରନ୍ତୁ ଆପଣଙ୍କ ଜୀବନସାଥି ଆପଣଙ୍କ ପାଖକୁ ଚାଲିଆସିବ | ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଏହି ପୋଷ୍ଟକୁ ସେୟାର କରନ୍ତୁ | ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଏହାକୁ ସେୟାର କରନ୍ତୁ | ଏମିତି ଅନେକ କଥା ସେହି ପୋଷ୍ଟ ଗୁଡିକରେ ଦେଖିବାକୁ ମିଳିଥାଏ | ଲୋକମାନେ ମଧ୍ୟ ସେସବୁ କଥାକୁ ବିଶ୍ୱାସ କରି ନିଜ ଜୀବନର କୌଣସି ସମାଧାନ କରିବାକୁ ପ୍ରୟାସ ନକରି ସେମାନେ ଏହି ସହଜ ସୁନ୍ଦର ଉପାୟକୁ ବାଛି ନେଇ ସେୟାର କରିବାକୁ ଲାଗିଯାଆନ୍ତି କିନ୍ତୁ ସେମାନେ ବୁଝିବା ଦରକାର ସେମାନେ କାହିଁକି ଆଉ କଣ ପାଇଁ ଏହି ଗୁଜବକୁ ବିଶ୍ୱାସ କରୁଛନ୍ତି | ସେୟାର କରିଦେଲେ ଯଦି କିଛି ଲୋକଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା ତାହାଲେ ଏ ଦୁନିଆରେ ଡାକ୍ତରଙ୍କର କିଛି ଆବଶ୍ୟକତା ନଥାନ୍ତା କି କାହାକୁ କୌଣସି ପରିଶ୍ରମ କରିବାକୁ ପଡୁନଥାନ୍ତା |ଲୋକମାନେ ଯଦି ଭଗବାନଙ୍କୁ ବିଶ୍ୱାସ କରୁଛନ୍ତି ତେବେ ଠିକ ଅଛି କିନ୍ତୁ ଏହି ଗୁଜବ କଥାକୁ ବିଶ୍ୱାସ କରିବା କେତେ ଠିକ ତାହା କେବଳ ସେମାନେ ଜାଣନ୍ତି | ତେବେ ଏଠାରେ ଗୋଟେ କଥା କହିବି ସୋସିଆଲ ମିଡିଆରେ ଯେଉଁମାନେ ଏମିତି ଗୁଜବ ପୋଷ୍ଟ କରି ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସେମାନଙ୍କ ବିରୋଧରେ ସରକାର କିଛି ଦୃଢ ପଦକ୍ଷେପ ନିଅନ୍ତୁ | ସୋସିଆଲ ମିଡିଆରେ ମଧ୍ୟ ଏହି ଗୁଜବ ପୋଷ୍ଟ ଗୁଡିକ ପାଇଁ କିଛି ରୋକ ଲଗାନ୍ତୁ | ଯାହାଫଳରେ କୌଣସି ଲୋକ ସୋସିଆଲ ମିଡିଆର ଦୂରୁପଯୋଗ କରିବେ ନାହିଁ | କାହିଁକି ନା ଏହି ଗୁଜବ ଏହି ଅନେକ ସମୟରେ କିଛି ଲୋକଙ୍କ ମନରେ ଅଜବ ଚିନ୍ତାଧାରା ସୃଷ୍ଟି କରୁଛି | ତେଣୁ ଲୋକଙ୍କୁ ମଧ୍ୟ ଅନୁରୋଧ ଗୁଜବ କଥାକୁ ବିଶ୍ୱାସ କରନ୍ତୁନି | ଆପଣଙ୍କ ଜୀବନରେ ଯେତେବେଳେ ଯାହା କିଛି ଘଟୁଛି ତାହାର ସମାଧାନ ରାସ୍ତା ଖୋଜନ୍ତୁ କିନ୍ତୁ ଏମିତି ଗୁଜବ ପୋଷ୍ଟକୁ ବିଶ୍ୱାସ କରି ନିଜ ବହୁମୂଲ୍ୟ ସମୟ ଆଦୌ ବର୍ବାଦ କରନ୍ତୁ ନାହିଁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ