ଅଙ୍ଗନୱାଡି ସହାୟିକା ପଦବୀ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶରେ ଅନିୟମିତତା ଅଭିଯୋଗ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ୧୯ ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ପଦବୀ ପୂରଣ ନେଇ ବନ୍ତ ସମ୍ମନ୍ୱିତ ଶିଶୁ ବିକାଶ ସେବା ଯୋଜନା ଅଧିକାରିଣୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞାପନ ନଂ-୪୯୨/ତା-୨୫-୭-୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଇଚ୍ଛୁକ ପ୍ରାର୍ଥୀ ମାନେ ଅନ୍ଲାଇନ ବିଜ୍ଞାପନ ବାହାରିବାର ୧୫ ଦିନ ମଧ୍ୟରେ ଆବେଦନ କରିବାକୁ ଉଲ୍ଲେଖ ଥିଲା । ଏଥିସହ ଆବେଦନକାରୀ ମାନେ ମହିଳା ହୋଇଥିବା ବେଳେ ଉକ୍ତ ଅଙ୍ଗନୱାଡି କେନ୍ଦ୍ର ପରିସରଭୁକ୍ତ ବାସିନ୍ଦା ହୋଇଥିବେ । ସେମାନଙ୍କର ବୟସ ସୀମା ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ସହ ଶିକ୍ଷାଗତ ଯୋଗ୍ୟତା ଅତି କମରେ ଯୁକ୍ତ ଦୁଇ ପାସ କରିଥିବେ । ଏଥିସହ ସେମାନେ ଓଡିଆ ଲେଖିପଢି ପାରୁଥିବେ ଏବଂ ଅନୁସୂଚିତ ଜାତି, ଜନଜାତି, ବିଧବ, ଅନାଥ, ଶାରୀରିକ ଅକ୍ଷମ, ସ୍ୱାମୀ ପରିତ୍ୟକ୍ତା, ଅଧିକ ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ବିଜ୍ଞାପନରେ ଉଲ୍ଲେଖ କରାଯାଇଥିଲା । ମାତ୍ର ପ୍ରକାଶିତ ବିଜ୍ଞପ୍ତିରେ ତୃଟି ଥିବା ନେଇ ଆବେଦନକାରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ ନିଳୋକ ପଞ୍ଚାୟତର ଦୋଳପଦୀ, ଛୟାଳସିଂହ ପଞ୍ଚାୟତର କଣ୍ଟିଗଢିଆ, ମହୁଲଗଢିଆ, ହାଟଡିହୀ, ଦୋଳପଦୀ, ମହାନ୍ତିପଡା ପଞ୍ଚାୟତର ମହାନ୍ତିପଡା ୧, ସେଣ୍ଢତୀରା ପଞ୍ଚାୟତର ସେଣ୍ଢତୀରା, ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର କେନ୍ଦ୍ର ଉଲ୍ଲେଖ ରହିଛି । ମାତ୍ର ବଣିଆଗୁଡି, ତଳ ହାସିନପୁର, ତରାପୁର, ଭାରତୀମଠ, କୁଶବେଣ୍ଟି, ଜୟସିଂପୁର, ରାଣୀପୁର, ପତଡା, ଡମସାହି, ସାହାଡାପଲ୍ଲୀ, ମୋହନପୁର, ହଳଦି ପହଣୀ ଆଦି କେନ୍ଦ୍ର ଗୁଡିକ କେଉଁ ପଞ୍ଚାୟତରେ ବୋଲି ଉଲ୍ଲେଖ କରାଯାଇନାହିଁ । ଫଳରେ ଆବେଦନକାରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ନିଯୁକ୍ତି ବେଳେ ଯୋଗ୍ୟତା ଯୁକ୍ତ ଦୁଇ ଆବଶ୍ୟକ ପଡୁଥିବା ବେଳେ ସହାୟିକା ନିଯୁକ୍ତି ପାଇଁ କିପରି ଯୁକ୍ତ ଦୁଇ ଯୋଗ୍ୟତା କରାଯାଇଛି ବୋଲି ଆବେଦନକରୀ ମାନେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ପ୍ରକାଶିତ ବିଜ୍ଞପ୍ତି ସମ୍ପୃକ୍ତ ଅଙ୍ଗନୱାଡି କେନ୍ଦ୍ରରେ ଲଗା ଯିବା ସହ କର୍ମୀଙ୍କ ଜରିଆରେ ସଂପୃକ୍ତ କେନ୍ଦ୍ର ଅଧିନରେ ଥିବା ସମସ୍ତ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ଦସ୍ତଖତ କରାଯିବାର ନିମୟ ରହିଛି । ମାତ୍ର ପ୍ରକାଶିତ ବିଜ୍ଞପ୍ତିକୁ କର୍ମୀଙ୍କ ଜରିଆରେ ଜାଣିଶୁଣି ହାତଗଣତି କେତେ ଜଣ ଲୋକଙ୍କ ପାଖରେ ପହଞ୍ଚାଇ ଦସ୍ତଖତ କରାଯାଇଛି ବୋଲି ଅଭିଯୋଗ ହୋଇଛି । ସଂପୃକ୍ତ ପଞ୍ଚାୟତର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ସରପଞ୍ଚ ହୋଇଥିବା ବେଳେ ସେମାନଙ୍କ ଅଗୋଚରରେ ନୋଟିସ କରାଯିବା କେତେ ଦୂର ସମୀଚୀନ ବୋଲି ପ୍ରଶ୍ନ ଉଠିଛି । ତେବେ ମନୋମୁଖୀ ଭାବେ ବିଜ୍ଞପ୍ତି ପ୍ରକାଶରେ ଅନିୟମିତା କରାଯାଇଛି ବୋଲି ଅଭିଯୋଗ ହୋଇଛି । ଅପରପକ୍ଷେ ସହାୟିକା ଚୟନ ପୂର୍ବରୁ ଏବଂ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର ଖର୍ଚ୍ଚ ବାବଦ ଇ.ସି ପ୍ରଦାନ ବେଳେ ନିର୍ଦ୍ଦିଷ୍ଟ କର୍ମୀ ମାନଙ୍କ ଜରିଆରେ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଛି । ଏସଂପର୍କରେ ସିଡିପିଓଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।