ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତିରେ ମହାଦୂର୍ନୀତି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତିରେ ମହାଦୁର୍ନୀତି ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତି ପାଇଁ ଗତ ୭.୭. ୨୦୨୩ରିଖରେ କେନ୍ଦ୍ରାପଡା ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ୱରୂପ କୁମାର ଦାଶଙ୍କ ନାମରେ ୩ଲକ୍ଷ ୫୦ହଜାର ଟଙ୍କାର କାର୍ଯ୍ୟାଦ୍ଦେଶ କେନ୍ଦ୍ରାପଡା ବିଡିଓ ପ୍ରଦାନ କରିଛନ୍ତି । କିନ୍ତୁ ଭରତପୁର ପ୍ରାଥମିକ ବିଦ୍ୟାଳୟ ମରାମତି କରାଯିବା ନାମରେ କେବଳ ପୁରୁଣା ଶ୍ରେଣୀଗୃହର ବାହାର ପାଶ୍ୱର୍ କାନ୍ଥର ପ୍ଲାଷ୍ଟରକୁ ଛଡାଇ ନିମ୍ନମାନର ପ୍ଲାଷ୍ଟର କରାଯିବା ସହ ନିମ୍ନମାନର ରଙ୍ଗ ବୋଳି ଦିଆଯାଇଛି । ସଂପୃକ୍ତ କନିଷ୍ଠଯନ୍ତ୍ରୀ ବିଲରେ ଦର୍ଶାଇଥିବା କବାଟ ମରାମତି, ଆସବାବପତ୍ର ସ୍ଥାନାନ୍ତର, ବିଦ୍ୟାଳୟର ଫାଉଣ୍ଡେସନରେ ବାଲି ଭର୍ତ୍ତି କରିବା, କବାଟ ଝରକା ଭାଙ୍ଗି କାଢି ଦେବା, ସିମେଣ୍ଟ ଙ୍କକ୍ରିଟର ବ୍ୟବହାର ହୋଇଥିବା, ଇଟା ବ୍ୟବହୃତ ହୋଇଥିବା, ଡିସଟେମ୍ପର ମରାଯାଇଥିବା, ପୁରୁଣା କାଠ ଓ ଲୁହାରେ ରଙ୍ଗ ଦିଆଯିବା ପ୍ରଭୃତି କାର୍ଯ୍ୟ ହୋଇଥିବା ଉଲ୍ଲେଖ କରାଯାଇଥିବା ବେଳେ ପ୍ରକୃତରେ ସେଭଳି କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ ହେମନ୍ତ କୁମାର ବିଶ୍ୱାଳ ବାଲି, ମେଣ୍ଟାଲ, ଚିପ୍ସ, ଓ ଇଟା ଯୋଗାଇ ଦେଇ ଡିପାର୍ଟମେଣ୍ଟାଲି ଜେ.ଇ.ଙ୍କ ଠାରୁ ୬୭ହଜାର ୬୮୧ଟଙ୍କା ବୁଝି ନେଇଥିବା ଏକ ରସିଦ ଲେଖି ଦେଇଛନ୍ତି । ପ୍ରକୃତରେ ଏସବୁର ବ୍ୟବହାର ଏଭଳି ପରିମାଣରେ ହୋଇନଥିବା ଅଭିଯୋଗ ହୋଇଛି । ଅନ୍ୟ ଏକ ଆଶ୍ଚର୍ଯ୍ୟର କଥା ହେଉଛି ସେହି ହେମନ୍ତ କୁମାର ବିଶ୍ୱାଳ ଆସବାବପତ୍ର ସ୍ଥାନାନ୍ତରଣ ଓ କବାଟ ମରାମତିକୁ ଯୋଗାଇଦେଇ ଡିପାର୍ଟମେଣ୍ଟାଲି ଜେ.ଇ.ଙ୍କ ଠାରୁ ୧୨ହଜାର ୨ଶହ ଟଙ୍କା ବୁଝି ନେଇଥିବା ଅନ୍ୟ ଏକ ରସିଦ ରହିଛି । ଏଥିରୁ ଏହି ପ୍ରକଳ୍ପରେ କେତେ ପରିମାଣର ଦୁର୍ନିତୀ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି । ଅନ୍ୟଏକ ଇନଭଏସରେ ସିମେଣ୍ଟ୍‌, ଏନାମେଲ ପେଣ୍ଟ୍‌, ୱାଲ ପ୍ରାଇମର, ଡିସଟେମ୍ପର, ୱେଦର କୋଟ୍‌, ଫାଇବର ଡୋର, ସେରାମିକ ୱାଲ ଟାଇଲ ଓ ସେରାମିକ ଫ୍ଲୋର ଟାଇଲ୍ ପ୍ରଭୃତି ୬୯ହଜାର ୨୫୮ଟଙ୍କାର ସାମଗ୍ରୀ ବଳଭଦ୍ରପୁରର ମେସର୍ସ ଆର.କେ. ସପ୍ଲାଏ ଏଜେନ୍ସୀରୁ କିଣାଯାଇଥିବା ବେଳେ ଏସବୁ ସାମଗ୍ରୀକୁ ହେମନ୍ତ କୁମାର ବିଶ୍ୱାଳ ସଂପୃକ୍ତ ସଂସ୍ଥା ଠାରୁ ଡିପାର୍ଟମେଣ୍ଟାଲୀ ଜେ.ଇ.ଙ୍କ ପାଇଁ ଗ୍ରହଣ କରିଥିବା ଦର୍ଶାଯାଇଛି । ଏକାବ୍ୟକ୍ତି ଡିପାର୍ଟମେଣ୍ଟାଲୀ ଜେ.ଇ.ଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଇ ଦେଇଥିବା ବେଳେ ଏପଟେ ସେହି ବ୍ୟକ୍ତି ଡିପାର୍ଟମେଣ୍ଟାଲୀ ଜେ.ଇ.ଙ୍କ ପାଇଁ ସାମଗ୍ରୀ ଗ୍ରହଣ କରୁଛନ୍ତି । ଏହା ସୂଚାଇ ଦେଉଛି ଯେ ଏହି ପ୍ରକଳ୍ପରେ କିଭଳି ଦୁର୍ନୀତି ହୋଇଛି । ଅନ୍ୟ ଏକ ଇନଭଏସରେ ୫୫ହଜାର ଟଙ୍କାର ସାନିଟାରୀ ସାମଗ୍ରୀ ପୁରୁଷୋତ୍ତମପୁରର ମେସର୍ସ ସାଇ ଏଣ୍ଟରପ୍ରାଇଜେସରୁ କିଣାଯାଇଥିବା ଓ ସେସବୁ ସାମଗ୍ରୀ ହେମନ୍ତ କୁମାର ବିଶ୍ୱାଳ ଗ୍ରହଣ କରିଥିବା ଦର୍ଶାଯାଇଥିବା ବେଳେ ଜେ.ଇ.ଙ୍କ ବିଲରେ କିନ୍ତୁ ପିଏଚ ଓ ସାନିଟାରୀ ୱାର୍କ ପାଇଁ ୪୯ହଜାର ଟଙ୍କାର ସାମଗ୍ରୀ କିଣାଯାଇଥିବା ଦର୍ଶାଯାଇଛି । କେଉଁଟା ପ୍ରକୃତରେ ଠିକ ଭାଉଚର ନା ଜେ.ଇ. ପ୍ରସ୍ତୁତ କରିଥିବା ବିଲ ତାହା ଜଣାପଡୁନି । ସେହିପରି ୧ଲକ୍ଷ ୨୦ହଜାର ୯୯୦ଟଙ୍କା ଯେଉଁ ‘ମଷ୍ଟରରୋଲ’ ବିଲରେ ସଂଲଗ୍ନ ହୋଇଛି ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଅଭିଯୋଗ ହୋଇଛି । ମଷ୍ଟରରୋଲରେ ସ୍ୱାକ୍ଷର କରିଥିବା ଲୋକ କେହିନଥିବା ଓ ସମସ୍ତ ସ୍ୱାକ୍ଷର ଜାଲ କରାଯାଇଥିବା ଅଭିଯୋଗ ହୋଇଛି । ଏସମସ୍ତ ତଥ୍ୟ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଉପରେ ଆଧାରିତ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାୟ ବର୍ଷକ ପୂର୍ବରୁ ୫ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଏହି ବିଦ୍ୟାଳୟର ମରାମତି କରାଯାଇଥିବା ବେଳେ ପୁନର୍ବାର ସେହି ବିଦ୍ୟାଳୟର ମରାମତି କିପରି ଆବଶ୍ୟକ ପଡିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପ୍ରକଳ୍ପରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ନେଇ ଭରତପୁର ଗ୍ରାମର ଚିତ୍ତରଞ୍ଜନ ଦାସ, ସଞ୍ଜୟ କୁମାର ଦାସ, ଗୋପାଳ ଚରଣ ଦାସ, ବିରଜା ମହାନ୍ତି, ବରଦାକାନ୍ତ ଚୈାଧୁରୀ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହି ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରିଛନ୍ତି । ଏହି ଘଟଣାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ