ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବନ୍ଧୁ ଏମିତି ଏକ ଶବ୍ଦ ଯେଉଁଥିରେ ନା ଥାଏ କୌଣସି ସ୍ୱାର୍ଥ ନା ଥାଏ ଭେଦଭାବ । ନା ଥାଏ କୌଣସି ବୟସ ସୀମା । ଯାହା ସମସ୍ତଙ୍କ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ । ଜୀବନରେ ବନ୍ଧୁତ୍ୱର ଗୁରୁତ୍ୱ କ’ଣ ତା’ର ମହତ୍ତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ପାଳନ ହୋଇଥାଏ ବିଶ୍ୱ ବନ୍ଧୁତା ଦିବସ । ଆଜି ହେଉଛି ସେହି ବନ୍ଧୁତା ଦିବସ । ଏହି ଅବସରରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୧୦ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ରୂପେ ପରିଚିତ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ ତୂଳୀରେ ନିଖୁଣ ରୂପେ ଆଙ୍କିଛନ୍ତି ନିଜ ପ୍ରିୟ ‘ବୃକ୍ଷ’ ବନ୍ଧୁଙ୍କର ଚିତ୍ର । ସେ ଚିତ୍ରରେ ଦର୍ଶାଇଛନ୍ତି ‘ତୁ ମୋର ଜୀବନ ସାଥୀ’ । ତୁ ହେଉଛୁ ମୋ ହୃଦୟର ପ୍ରିୟ ସାଥୀ । ଏ ସଂପର୍କରେ ସେ କୁହନ୍ତି ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡା ହୋଇଥାଏ । ବସ୍ତୁବାଦୀ ଦୁନିଆଁରେ ବୃକ୍ଷ ଠାରୁ ପ୍ରିୟ ବନ୍ଧୁ ସଂସାରରେ କେହି ନାହିଁ । ବିପଦରେ ହେଉ ଅବା ଭଲ ସମୟରେ ହେଉ ସବୁଠି ସେ ପଡିଥାଏ ଦରକାର । ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ସବୁ ସମୟରେ ଆମ ପାଖରେ ଛିଡା ହୋଇଥାଏ । ଆସନ୍ତୁ, ବନ୍ଧୁତା ଦିବସରେ ବୃକ୍ଷ ସହ ବନ୍ଧୁ ବାନ୍ଧିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେବା ବୋଲି ଶାନ୍ତନୁ ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।