କାଶ୍ମୀରରେ ପୁଣି ଆତଙ୍କବାଦ
୨୦୧୯ ଅଗଷ୍ଟ ୫ତାରିଖ ଦିନ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ସମ୍ବିଧାନର ୩୭୦ଧାରା ଉଚ୍ଛେଦ ସହ ରାଜ୍ୟମାନ୍ୟତା ରଦ୍ଦ କରି ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ପରିଣତି କରିବା ଇତିମଧ୍ୟରେ ପାଂଚବର୍ଷ ପୂରଣ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କର ଆକସ୍ମିକ କଠୋର ନିଷ୍ପତି ଏବଂ ଅଦଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଶାନ୍ତ ଜାମ୍ମୁ-କାଶ୍ମୀରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା । ଅବଶ୍ୟ ସେତେବେଳେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଗ୍ରହଣ କରିଥିବା ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥାକୁ ଇତିମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର କରି ନେଇଛନ୍ତି । କିନ୍ତୁ କେନ୍ଦ୍ରଶାସିତ ଅଂଚଳରେ ସ୍ୱାଭାବିକ ଅବସ୍ଥା ଫେରିବା, ଆତଙ୍କବାଦ ବନ୍ଦ ହେବା ନେଇ ଯେଉଁ ଆଶା କରାଯାଉଥିଲା, ତାହା କେବଳ ଆଶାରେ ରହିଯାଇଛି ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । ସରକାରୀ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ଜୁଲାଇ ମାସରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୨ଜଣ ଯବାନ ସହିଦ୍ ହୋଇଥିବାବେଳେ ଗତ ପାଂଚ ବର୍ଷ ମଧ୍ୟରେ ୧୨୫ଜଣ ଯବାନ ସହିଦ୍ ହୋଇଛନ୍ତି । ସେହିପରି ଏଇ ଅବଧି ମଧ୍ୟରେ ଆତଙ୍କବାଦୀଙ୍କୁ ମୃତ୍ୟୁ ସଂଖ୍ୟା ମଧ୍ୟ ଏହାଠାରୁ ଅଧିକ ରହିଥିବା ସାଧାରଣ ନିରୀହ ଲୋକଙ୍କ ମୃତ୍ୟୁ ମଧ୍ୟ କିଛି କମ୍ ନୁହେଁ । ନିକଟରେ ଜାମ୍ମୁ-କାଶ୍ମୀରର ଜାମ୍ମୁ ରେଜିଆନର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ସେନା ବାହିନୀର ଜଣେ କ୍ୟାପଟେନଙ୍କ ସହ ୪ଜଣ ଯବାନ ସହିଦ୍ ହେବା ଏବଂ ଜାମ୍ମୁର ସୀମାନ୍ତ ଘଂଚ ପାହାଡିଆ ଅଂଚଳରେ ବାରମ୍ବାର ସେନାଗାଡି ଉପରେ ଆକ୍ରମଣ ଘଟଣା ଏବେ କେନ୍ଦ୍ରଶାସିତ ଅଂଚଳକୁ ପୁନର୍ବାର ଆତଙ୍କବାଦ ପ୍ରତ୍ୟାବର୍ତନ କରିଥିବା ସଂକେତ ପ୍ରଦାନ କରିଛି ବୋଲି କୁହାଯାଇପାରିବ । କେବଳ ଏତିକି ନୁହେଁ, କାଶ୍ମୀର ଉପତ୍ୟକାରୁ ଦୃଷ୍ଟି ଫେରାଇ ଆତଙ୍କବାଦୀମାନେ ଏବେ ଜାମ୍ମୁ ଅଂଚଳକୁ ନିଶାଣ କରିଥିବା କୁହାଯାଇପାରେ । ଗତ ମାସରେ ରିଆସି ଜିଲ୍ଲାରେ ଗୋଟିଏ ତୀର୍ଥଯାତ୍ରୀ ବସ ଉପରେ କରିଥିଲେ, ଯେଉଁ ଘଟଣାରେ ୧୦ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଜାମ୍ମୁ-କାଶ୍ମୀର ଆତଙ୍କବାଦୀ ପୁଣି ସକ୍ରୀୟ ହୋଇପଡିଥିବା ଗତ ମାସରେ ଘଟିଥିବା କେତେକ ଘଟଣା ଆତଙ୍କବାଦକୁ ସୁନିଶ୍ଚିତ କରିଛି । ପ୍ରଧାନମନ୍ତ୍ରୀ ଏକ ଜରୁରୀ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତି ସମ୍ପର୍କରେ ବିଚାର ବିମର୍ଶ କରିବା ଆତଙ୍କବାଦର ଗଭୀରତା ସମ୍ପର୍କରେ ସଂକେତ ଦିଏ । କହିବା ବାହୁଲ୍ୟ ଯେ, ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିକଟ ଭବିଷ୍ୟତରେ ଯେକୌଣସି ସମୟରେ କେନ୍ଦ୍ରଶାସିତ ଅଂଚଳର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ସମ୍ଭାବନା ରହିଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ପୁର୍ନଗଠନ ଠାରୁ ଆରମ୍ଭ କରି ଭୋଟର ତାଲିକା ସଂଶୋଧନ ମଧ୍ୟ ହୋଇପାରିଛି । କହିବା ବାହୁଲ୍ୟ ଯେ, ଗତ ଲୋକସଭା ନିର୍ବାଚନରେ ଜାମ୍ମୁ-କାଶ୍ମୀରରେ ଯେଉଁଭଳି ମତଦାନ ହାର ଅଦ୍ଭୂତପୂର୍ବ ଥିଲା । ଯାହାକି ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ଜନସାଧାରଣ ଉତ୍କଣ୍ଠିତ ଥିବା ସ୍ପଷ୍ଟ ସଂକେତ ପ୍ରଦାନ କରିଛି । କହିବା ବାହୁଲ୍ୟ ଯେ, ଗତ ତିନି ଦଶନ୍ଧି ପରେ ରାଜ୍ୟବାସୀ ବୁଲେଟକୁ ଖାତିର ନକରି ବ୍ୟାଲେଟରେ ସେମାନଙ୍କର ମତ ଦେଇଥିଲେ । ପ୍ରଥମ ଥର ପାଇଁ ହାରାହାରି ମତଦାନ ହାର ଗତ ତିନି ଦଶନ୍ଧି ପରେ ସର୍ବୋଚ୍ଚ ଥିଲା । ଉଲ୍ଳେ୍ଖ କରାଯାଇପାରେ ଯେ, ଗତ ୧୦ବର୍ଷ ପରେ ଜାମ୍ମୁ-କାଶ୍ମୀରରେ ଏହା ହେବ ପ୍ରଥମ ବିଧାନସଭା ନିର୍ବାଚନ । ଏହା ନିସନ୍ଦେହ ଯେ, ଲୋକସଭା ନିର୍ବାଚନରେ ସର୍ବୋଚ୍ଚ ମତଦାନ ହାର ପରେ ବିଧାନସଭା ନିର୍ବାଚନ ପାଇଁ ଉଭୟ କେନ୍ଦ୍ର ସରକାର, କେନ୍ଦ୍ରଶାସିତ ଅଂଚଳ ପ୍ରଶାସନ ଏବଂ ଭାରତର ନିର୍ବାଚନ କମିଶନରଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି । ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ଆସନ୍ନ ହୋଇପଡିଥିବାବେଳେ ନିକଟରେ କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀ ଢାଂଚାରେ କେନ୍ଦ୍ର ସରକାର ଉପ-ରାଜ୍ୟପାଳଙ୍କ କ୍ଷମତା ବୃଦ୍ଧି କରିଛନ୍ତି । ଏହି କ୍ଷମତାବଳରେ ଏଣିକି ଉପ-ରାଜ୍ୟପାଳ ସର୍ବଭାରତୀୟ ସେବା ଅଧିକାରୀ କ୍ୟାଡର ପୋଲିସ ନିଯୁକ୍ତି ଏବଂ ବଦଳୀ କ୍ଷେତ୍ରରେ ଚୂଡାନ୍ତ କ୍ଷମତାପ୍ରାପ୍ତ ଅଧିକାରୀ ଅର୍ଥାତ ପୋଲିସ ନିଯୁକ୍ତି ଓ ବଦଳୀ ଉପରେ ନିର୍ବାଚିତ ସରକାରର କୌଣସି କର୍ତୃତ୍ୱ ରହିବ ନାହିଁ । ଚଳିତବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ର ସରକାର ଉପ-ରାଜ୍ୟପାଳମାନଙ୍କ କ୍ଷମତାବୃଦ୍ଧି କରିଛନ୍ତି । କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ କେନ୍ଦ୍ର ସରକାର ନିଜର କର୍ତୃତ୍ୱ ପରିସର ବୃଦ୍ଧି କରିଥିବାରୁ ନିର୍ବାଚିତ ସରକାରର କ୍ଷମତା ନେଇ ଆଶଙ୍କା ପ୍ରକାଶ ପାଇବା ସ୍ୱାଭାବିକ । କେବଳ ଏତିକି ନୁହେଁ, ଜାମ୍ମୁ-କାଶ୍ମୀରକୁ ପୁନର୍ବାର ରାଜ୍ୟପାହ୍ୟା ପଦାନ ପ୍ରସ୍ତାବ, ଯାହାକି ଯଥାଶୀଘ୍ର ସମ୍ଭବ ପାଇଁ କେନ୍ଦ୍ର ସରକାର ବାରମ୍ବାର ଘୋଷଣା କରିଥିବାବେଳେ ଏବେ ପୁନଃ ରାଜ୍ୟପାହ୍ୟା ପ୍ରସ୍ତାବ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶର ସମ୍ବିଧାନ ଅନୁଯାୟୀ ରାଜ୍ୟର ନିର୍ବାଚିତ ସରକାରଙ୍କ ଦ୍ୱାରା ରାଜ୍ୟ ପରିଚାଳିତ ହୋଇଥାଏ । କେନ୍ଦ୍ର ସରକାରଙ୍କ ପ୍ରତିନିଧି ରାଜ୍ୟପାଳଙ୍କର କ୍ଷମତା ସୀମିତ ହୋଇଥାଏ । ଜାମ୍ମୁ-କାଶ୍ମୀରକୁ ଯଦି ପୁନର୍ବାର ରାଜ୍ୟାପାହ୍ୟା ପ୍ରଦାନ କରାଯାଏ, ତେବେ କେନ୍ଦ୍ରର କ୍ଷମତା କାର୍ଯ୍ୟକାରୀ ହେବ କିପରି? ଆତଙ୍କବାଦି ଉପଦ୍ରୃତ ଅଶାନ୍ତ ଅଂଚଳରେ ଜନସାଧାରଣଙ୍କର ହୃଦୟ ଏବଂ ମନୋଭାବକୁ କେନ୍ଦ୍ର ସରକାର ପ୍ରଥମେ ଜିଣିିବା ଜରୁରୀ । ଏଥିପାଇଁ କେନ୍ଦ୍ର ସରକାର କୌଣସି ରାଜନୈତିକ ଅଭିସନ୍ଧି ନରଖି ସ୍ୱଚ୍ଛ ମନୋଭାବ ନେଇ କାର୍ଯ୍ୟ କରିବା ଜରୁରୀ । ବିଧାନସଭା ନିର୍ବାଚନ ସହ ତୁରନ୍ତ ରାଜ୍ୟପାହ୍ୟା ପ୍ରଦାନ ସହ ରାଜ୍ୟର ଶାସନ ଭାର ଜନସାଧାରଣଙ୍କ ଉପରେ ଛାଡିଦେବା ଉଚିତ । ଅନ୍ୟଥା ଆତଙ୍କବାଦୀଙ୍କ ପ୍ରତି ଜନସାଧାରଣଙ୍କ ସମର୍ଥନ ବୃଦ୍ଧି ପାଇବା ସହ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା ଏଡାଇ ଦିଆଯାଇନପାରେ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,