କେନ୍ଦ୍ରାପଡା ଜିଲ୍ଲା ହାକାଥନ ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ହାକାଥନ ପ୍ରତିଯୋଗିତା ପିତବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶୁଭାଶିଷ ଜେନା ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଶିଧ୍ କୁମାର ବାରିକ ଯୋଗଦେଇଥିଲେ । ଏହି ହାକାଥନ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଞ୍ଜିକୃତ ପ୍ରକଳ୍ପ ଗୁଡିକ ମଧ୍ୟରୁ ୧୧ଟି ମନୋନିତ ହାକାଥନ ପ୍ରକଳ୍ପକୁ ପ୍ରଦର୍ଶିତ କରାଯାଇଥିଲା । ଏହି ପ୍ରକଳ୍ପ ଗୁଡିକୁ ଭୁବନେଶ୍ୱରରୁ ଆସିଥିବା ଓ.ୟୁ.ଟି.ଆର. ବିଚାରକ ଏବଂ ସ୍ଥାନୀୟ ବିଚାରକମାନେ ମୂଲ୍ୟାୟନ କରି ସର୍ବଶ୍ରେଷ୍ଠ ପ୍ରକଳ୍ପକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଓ.ୟୁ.ଟି.ଆର.ର ଅଧ୍ୟାପକ ଡ. ପିୟୁଷ ରଞ୍ଜନ ରାଉତ, ମୁଖ୍ୟବକ୍ତା ଭାବେ ଇନ୍ଦୁପୁର ବିରୂପା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଅଟଳବିହାରୀ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଓ.ୟୁ.ଟି.ଆର.ର ବିରଞ୍ଚି ନାରାୟଣ ଖାଡଙ୍ଗା ଯୋଗଦେଇଥିଲେ । ରାଜ୍ୟସ୍ତରକୁ ମନୋନିତ ହୋଇଥିବା ହାକାଥନ ପ୍ରକଳ୍ପ ମଧ୍ୟରେ ପ୍ରଥମ ସ୍ଥାନ ଅଳଂକୃତ କରିଥିବା ରାଜନଗର ଚାନ୍ଦିବାଉଁଶମୂଳ ନଳିନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପ୍ରଜ୍ଞାପରମିତା ବିଶ୍ୱାଳଙ୍କୁ ନଗଦ ୧୫ହଜାର ଟଙ୍କାର ପ୍ରୋତ୍ସାହନରାଶି ସହ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ନିକିରାଇ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ନିହାରିକା ପ୍ରିୟଦର୍ଶିନୀ ବେହେରାଙ୍କୁ ୧୦ହଜାର ଟଙ୍କା ଓ ମାନପତ୍ର ଏବଂ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଗ୍ରହଣ କରିଥିବା ରାଜନଗର ଚାନ୍ଦିବାଉଁଶମୂଳ ନଳିନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ସୁମିତ୍ରା ଦାସ ଓ ଜୟସ୍ମିତା ନାୟକଙ୍କୁ ୫ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ହେମନ୍ତ କୁମାର ଶତପଥୀ, ଭାଗିରଥୀ ମହାନ୍ତି ଓ ଆଦିକନ୍ଦ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଶିକ୍ଷକ ଶିବନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।