ଛତ୍ରପୁର ରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଙ୍କଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଅଂଚଳର ଜନ ସାଧାରଣ ମାନେ ଯୋଗ ଦେଇ ସେମାନଙ୍କ ଅଭିଯୋଗ ଗୁଡିକ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଭେଟି ଅବଗତ କରାଇଛନ୍ତି । ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ ସମସ୍ୟା, ଆବାସ ଗୃହ ଯୋଗାଇବା, ରାସନ କାର୍ଡ ଭଳି ବିଭିନ୍ନ ସାମୁହିକ ଅଭିଯୋଗ ଗୁଡିକ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା,ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଗଞ୍ଜାମ ଏସପି ଜଗମୋହନ ମୀନା, ଡୁଡା ପିଡି ରବିନ୍ଦ୍ର କୁମାର ପଟେଲ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଆଜି ୨୧୩ଟି ଅଭିଯୋଗର ଶୁଣାଣୀ କରିଥିଲେ । ସେଥି ମଧ୍ୟରୁ ୨୦୪ ଟି ବ୍ୟକ୍ତିଗତ ହୋଇଥିବା ବେଳେ ୯ ଟି ସାମୁହିକ ଅଭିଯୋଗ ରହିଛି । କେତେକ ଅଭିଯୋଗ ଗୁଡିକର ଆଶୁ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ଗୁଡିକର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ୧୧ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୧ ଲକ୍ଷ ୫୩ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଛତ୍ରପୁର ଏସଡିପିଓ ଗୌରହରି ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ, ଛତ୍ରପୁର ବିଇଓ ସୀତାରାମ ପାତ୍ର, ଡେପୁଟିକଲେକ୍ଟର ଭାବତୋଷ ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି. ପଦ୍ମା ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।