ପର୍ବତାରୋହିଣୀ ବିଭାରାଣୀ ପାତ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଢେଙ୍କାନାଳ ଜିଲ୍ଲାର ଆନ୍ତର୍ଜାତୀୟ ପର୍ବତାରୋହିଣୀ ସୁଶ୍ରୀ ବିଭାରାଣୀ ପାତ୍ର ଚଳିତ ଅଗଷ୍ଟ ମାସ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଲ୍ବ୍ରସ୍କୁ ଯାତ୍ରା କରିବେ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଜଗବନ୍ଧୁ ଜରାଶ୍ରମ ଏବଂ ମହାବୋଧି ସୋସାଇଟି, ଓଡ଼ିଶା ଶାଖାର ମିଳିତ ସହଯୋଗରେ ସୋମବାର ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ତାଙ୍କର ସଫଳତା କାମନା କରି ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜଗନ୍ନାଥଙ୍କ ପତିତପାବନ ବାନା, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ମହାବୋଧି ସୋସାଇଟିର ଟ୍ରଷ୍ଟି, ଓଡ଼ିଶା ଶାଖା ତରଫରୁ ଡଃ ସୌରେନ୍ଦ୍ର ମହାପାତ୍ର ୨୫ ହଜାର ଟଙ୍କା ଏବଂ ଜଗବନ୍ଧୁ ଜରାଶ୍ରମର ଶୁଭେଚ୍ଛୁମାନଙ୍କ ତରଫରୁ ୭୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା ।ଏହି ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର, ଟାଟା ଷ୍ଟିଲ୍ ସିଏସ୍ଆର ଓଡ଼ିଶା ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, କୁମାର ସୌରଭ, ମହାବୋଧି ସୋସାଇଟିର ଟ୍ରଷ୍ଟି ଡଃ ସୌରେନ୍ଦ୍ର ମହାପାତ୍ର, ଜଗବନ୍ଧୁ ଜରାଶ୍ରମର ପ୍ରତିଷ୍ଠାତା ତଥା ଉତ୍ସବର ଆୟୋଜକ ଆଶୁତୋଷ ମିଶ୍ର, ସମାଜସେବୀ ଦିବ୍ୟଜ୍ୟୋତି ନାୟକ, ଦୀନେଶ କୁମାର ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ବୃନ୍ଦାବନ ବେହେରା, ସୀମାରାଣୀ ପାତ୍ର ପ୍ରମୁଖ ଯୋଗଦେଇ ବିଭାରାଣୀ ପାତ୍ରଙ୍କ ସଫଳତା କାମନା କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ଅମ୍ବିକା ପ୍ରସାଦ ନନ୍ଦ ବିଭାରାଣୀଙ୍କ ସମସ୍ତ ଯିବା ଆସିବା ଖର୍ଚ୍ଚ ସହିତ ଆବଶ୍ୟକ ସାମଗ୍ରୀ ପାଇଁ ୨ ଲକ୍ଷ ଟଙ୍କାର ଅର୍ଥରାଶି (ଟାଟାଷ୍ଟିଲ୍ ଫାଉଣ୍ଡେସନ ତରଫରୁ) ପ୍ରଦାନ କରିବେ ବୋଲି ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଏବଂ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କ ସାମ୍ନାରେ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ, ସମାଜସେବୀ, ସ୍ୱେଚ୍ଛାସେବୀ ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ରହି ତାଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । ସମାଜସେବୀ ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।