ଠକାମୀ ପଇସା ମେଡିକାଲ ଖାଏ

ଦିପ୍ତିମୟୀ ନାୟକ
ଯେତେ ଧନ ସେତେ ଲୋଭ ଅର୍ଥାତ ଆଜିକାଲି ଯାହାର ଯେତେ ଅଧିକ ଧନ ଅଛି ସେ ସେତେ ଅଧିକ ଅନ୍ୟର ଧନ ଉପରେ ଲୋଭ ବଳାଇଥାଏ | ସେଥିପାଇଁ ଆଜିର ଦୁନିଆରେ ଧନ ବଳରେ ମାନ କମେଇ ହେଉଛି କିନ୍ତୁ ମାନବିକତା ରହୁନି | ସବୁ ଲୋକ ସମାନ ନୁହଁନ୍ତି କିନ୍ତୁ କିଛି ଲୋକ ଅନ୍ୟର ଧନ ଉପରେ ଆଖି ବଳାଇ ନିଜକୁ ପ୍ରତିଷ୍ଠିତ ବ୍ୟକ୍ତି ସଜାଉଛନ୍ତି | ହେଲେ ଏହି ପ୍ରତିଷ୍ଠିତ ବ୍ୟକ୍ତିମାନେ ଅନ୍ୟର ଧନ କେତେ ଲୁଟିଛନ୍ତି ତାହାର ହିସାବ ନଥାଏ | ଧନୀ ବ୍ୟକ୍ତିଙ୍କ ତାଲିକା ବଢିଲେ କଣ ହେଲା ଆଜିବି କିଛି ଧନୀ କାଙ୍ଗାଳଙ୍କ ଭଳି ହେଉଛନ୍ତି | ତେଣୁ ଏମାନଙ୍କୁ କାଙ୍ଗାଳଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଗଲେ କିଛି ଭୁଲ ହେବନି କାହିଁକି ନା ଯିଏ ଅନ୍ୟର ପାରିଶ୍ରମିକ ଖାଏ ସେ କେବେ ଧନୀ ହୋଇପାରେନି ବରଂ ସେ ଜଣେ ଟଙ୍କା କାଙ୍ଗାଳ ହୋଇଥାଏ | ନିଜ ରୋଜଗାରକୁ ଖାଇ ଅନ୍ୟର ରୋଜଗାରକୁ ମଧ୍ୟ ଖାଇଦିଏ ଆଉ ମନେ ମନେ ଭାରି ଖୁସି ହୁଏ ଅନ୍ୟର ଟଙ୍କାକୁ ନିଜ ପକେଟରେ ସାଇତି ରଖିଛି କିନ୍ତୁ ସେ ଭୁଲିଯାଏ ଯିଏ ଅନ୍ୟକୁ ଠକେ ସେ ସେହି ଠକାମୀର ଶିକାର ହୁଏ | ଆଜିକାଲି ଦୁନିଆରେ ଯେତିକି ଦରଦାମ ବଢିଛି ପରିବାର ଚଳେଇବା ବହୁତ କଷ୍ଟକର ହୋଇପଡୁଛି | ମଣିଷର ଆବଶ୍ୟକତା ଅନୁଯାୟୀ ଦରଦାମର କିଛି ତାଳମେଳ ରହୁନି | ତଥାପି ମଣିଷ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରୁଛି | ଦୁଇପଇସା ରୋଜଗାର ଆଶାରେ କେତେ ପରିଶ୍ରମ କରୁଛି କେବଳ କଷ୍ଟ କରୁଥିବା ମଣିଷ ହିଁ ଜାଣିଛି | ହେଲେ ଧନ ମାନ ଥିବା ଲୋକ କେତେ ଛୋଟ କାମ କରନ୍ତି ତାହା ଅନ୍ୟମାନେ ନୁହେଁ ଯେଉଁମାନେ ଠକାମୀର ଶିକାର ହୋଇଥାନ୍ତି ସେହିମାନେ ହିଁ ଜାଣିଥାନ୍ତି କାରଣ ଏ ଧନୀ ଲୋକ କିଛି ନିରୀହ ଲୋକଙ୍କ ସରଳତାର ସୁଯୋଗ ନେଇ ଠକି ଚାଲନ୍ତି ଆଉ ବାହାରକୁ ବାହାରିଲେ ମୁଣ୍ଡ ଉପରକୁ କରି ନିଜ ଷ୍ଟାଟସ ମେଣ୍ଟେନ କରି ବାଟ ଚାଲନ୍ତି | ଥରେ ଭାବନ୍ତୁ ଯେଉଁ ଧନୀ ଲୋକମାନେ ନିଜକୁ ଧନୀ କହି ଅନ୍ୟକୁ ଠକନ୍ତି ସେମାନେ ସତରେ କଣ ଧନୀ ହୋଇପାରନ୍ତି ମୁଁ ତ କହିବି ଏମାନେ ଜଣେ ଜଣେ ଲୁଟେରା | ଗରିବଙ୍କୁ ଲୁଟି ନିଜର ପଦ ମର୍ଯ୍ୟାଦା ବଢ଼େଇଛନ୍ତି | ନହଲେ ଏମିତି ଏମାନେ ଏତେ ଛୋଟ କାମ କରିପାରନ୍ତେ ଆଉ କାହିଁକି ଗରିବ ଟଙ୍କାକୁ ଲୁଟି ଖାଆନ୍ତେ | ଗରିବ ଲୋକ ତ କେବେ ଅନ୍ୟକୁ ଲୁଟେନି ବରଂ ସେ ଯେତିକି ରୋଜଗାର କରେ ସେତିକିରେ ସନ୍ତୁଷ୍ଟ ଥାଏ କିନ୍ତୁ ଧନୀ ଯେତେ ଗରିବଙ୍କୁ ଲୁଟେ ସେ ସେତିକି ଅସନ୍ତୁଷ୍ଟ ଥାଏ | ତେବେ ଗରିବ ହୁଅନ୍ତୁ କି ସାଧାରଣ ଲୋକ କିଛି ଧନୀ କେବଳ ଲୁଟିବା ପାଇଁ ଅଛନ୍ତି | ଧନର ଆବଶ୍ୟକତା ସମସ୍ତଙ୍କର ଥାଏ କିନ୍ତୁ କାହା ଆବଶ୍ୟକତାକୁ ଜାଣି ମଧ୍ୟ ସେମାନଙ୍କୁ ଲୁଟି ନିଜ ପକେଟ ଗରମ କରିବା କେତେ ଠିକ ଏକଥା ଆପଣମାନେ ବିଚାର କରନ୍ତୁ |
କିଛି ଦିନ ତଳେ ଜଣେ କର୍ମଚାରୀଙ୍କ ସହ ଭେଟ ହେଲା ଏବଂ ତାଙ୍କ ସହ ଅନେକ କଥା ହେବାପରେ ଜାଣିବାକୁ ପାଇଲି ମାଲିକ ଟିକେ ଟାଉଟର ଲୋକ | ମାଲିକ ପିଲାଙ୍କୁ ଚାକିରୀ ଦେବା ପୂର୍ବରୁ ପିଲାଙ୍କ ଚାହିଦା ଅନୁଯାୟୀ ଦରମା ଦେଵେ ବୋଲି କହିଥାନ୍ତି ଆଉ ପିଲା ଚାକିରୀ କରି ସାରିବା ପରେ ଦରମାର ୨୫ ପ୍ରତିଶତ ଦେଵେ ବୋଲି କହିଥାନ୍ତି ଯାହାଫଳରେ ନା ଏଥିରେ ନିଜ ଆବଶ୍ୟକତା ପୂରଣ କରିହେବ ନା ପରିବାର ପାଇଁ ସମସ୍ତଙ୍କ ମନ ପସନ୍ଦର ଜିନିଷ ନେଇ ହେବ କିନ୍ତୁ ଚାକିରୀ ଛାଡ଼ିବା ଛଡା ଅନ୍ୟ କିଛି ରାସ୍ତା ନଥାଏ ଆଉ ସେ କର୍ମଚାରୀ ଜଣକ ଚାକିରୀ ଛାଡିଲେ | ଗୋଟେ ଦୀର୍ଘ ନିଶ୍ୱାସ ନେଇ କହିଲେ ହେ ପ୍ରଭୁ, ମୁଁ ଏତେ କଷ୍ଟ କଲି ହେଲେ ଦରମା ଦେଲା ବେଳକୁ କିଛି ନାହିଁ | ଲୋକ ଏମିତି ଅନ୍ୟକୁ କାହିଁକି ଠକନ୍ତି | ଯଦି ମାଲିକର ସେତିକି ଦରମା ଦେବା ସମ୍ଭବ ନଥିଲା ତେବେ ମାଲିକ ଏତେ ବଢ଼େଇ ଚଢେଇ କହିକି କାହିଁକି ମୋତେ ଠକିଦେଲା ତେବେ ଏ ଠକାମୀ ପଇସା ସେ ଯେମିତି ଉପଭୋଗ କରିନପାରୁ ଏ ପଇସା ମେଡିକାଲ ଖାଉ | ତେବେ କଥାରେ ଅଛି ଠକାମୀ ପଇସା ମେଡିକାଲ ଖାଏ ଆଉ ସତକୁ ସତ ସେୟା ହିଁ ହେଲେ ମାଲିକଙ୍କ ପୁଅର ଦୁର୍ଘଟଣା ହେଲା କଟକ ମେଡିକାଲରେ ଚିକିତ୍ସା ହେଉଥିଲା ମାଲିକ ଆଖିରେ ମଧ୍ୟ ଲୁହବି ଥିଲା କିନ୍ତୁ ଯେତେବେଳେ ଏହି ଖବର ସେହି କର୍ମଚାରୀ ଜଣକ ଶୁଣିଲେ ତାଙ୍କୁ ଦୁଃଖ ଲାଗିଲା | ତଥାପି ସେ ଅନ୍ୟ ଜଣେ କର୍ମଚାରୀଙ୍କୁ କହିଲେ ମୋ ଦରମା ସିନା କାଟିଦେଲେ ବିଲକୁଲ ଦେଲେନି ହେଲେ ଏବେ ଦେଖ ମୋ ଦରମା ପଇସା ତାଙ୍କ ପୁଅ ଚିକିତ୍ସାରେ ଲାଗୁଛି | ସେଇଠୁ ଅନ୍ୟଜଣେ କର୍ମଚାରୀ କହିଲେ ଦେଖ ସେମିତି କହନି କାହା ଦୁଃଖ ବେଳେ ଏମିତି କଥା କହିବା ଆଦୌ ଉଚିତ ନୁହେଁ | ହେଲେ ସେ କର୍ମଚାରୀ ଜଣକ କହିଲେ ଆରେ ମୋତେ ବି ଦୁଃଖ ଲାଗୁଛି କିନ୍ତୁ ମୁଁ ବାଧ୍ୟ ହେଉଛି ଏ କଥା ଏଠି କହିବା ପାଇଁ ଯିଏ ଅନ୍ୟର ଅର୍ଥ ଠକେ ନିଜେ ସେହି ଠକାମୀର ଶିକାର ହୁଏ | କେହି କାହାକୁ ଠକିଦେଲେ ସେ କୋଟିପତି ହୋଇଯାଏନି ବରଂ ମାଲିକ ବଦଳେ ହେଲେ ମାଲିକ କିଭଳି ଠକ ଲୋକ ଥିଲା ସେଟା ମନେ ରହିଯାଏ | ଯେତେବେଳେ ମୁଁ ଏକଥା ଶୁଣିଲି ସେତେବେଳେ ମୁଁ ମଧ୍ୟ କହିଲି ହଁ ଆପଣ ଠିକ କହିଛନ୍ତି ଯିଏ ଅନ୍ୟକୁ ଅଶାନ୍ତି ଦିଏ ସେ କେବେ ଶାନ୍ତିରେ ରହିପାରେନି | ସବୁବେଳେ ସମସ୍ତେ ଅନ୍ୟକୁ ଶାନ୍ତିରେ ରଖିଲେ ନିଜେ ଶାନ୍ତିରେ ରହିବ | କେହି କାହାକୁ ଠକିବେନି ଯଦି ଏ କର୍ମଚାରୀ ମଧ୍ୟ କହିବନି ଆମ ମାଲିକ ଠକ ଲୋକ ଥିଲା | ମାଲିକ କର୍ମଚାରୀଙ୍କୁ ଠକୁଛି ବୋଲି ମାଲିକ ଠକ ମାଲିକର ଉପାଧି ପାଇଛି | ନଚେତ ଆଜିର ଦୁନିଆରେ ଏମିତି କିଛି ମାଲିକ ଅଛନ୍ତି ଯେଉଁମାନଙ୍କ ପାଖରେ ଅର୍ଥ ବଳ ଥାଏ ସେମାନେ ଏମିତି ଅନ୍ୟକୁ ଛୋଟ କର୍ମଚାରୀ ଭାବନ୍ତିନି ବରଂ ସେହି କର୍ମଚାରୀ ମାନଙ୍କୁ ଗୋଟେ ପରିବାରର ସଦସ୍ୟ ବୋଲି ଭାବିଥାନ୍ତି ସେହିପାଇଁ ତ ଏ ମାଲିକ ମାନଙ୍କ ମନରେ କର୍ମଚାରୀଙ୍କ ଗୋଟେ ଅନନ୍ୟ ଭଲପାଇବା ଥାଏ କିନ୍ତୁ ଠକ ମାଲିକଙ୍କ ପାଇଁ କେବଳ ଘୃଣା ରହିଥାଏ | କିଏ ମାନିଲେ ମାନନ୍ତୁ ନହଲେ ନାହିଁ କିନ୍ତୁ କିଛି ଠକ ମାଲିକଙ୍କ ପାଇଁ ଆଜିବି ଅନେକ କର୍ମଚାରୀ ଠକାମୀର ଶିକାର ହେଉଛନ୍ତି | ତେଣୁ ଏହିଭଳି ଠକ ଲୋକ ଠକ ସଂସ୍ଥା ଠାରୁ ଦୂରେଇ ରୁହନ୍ତୁ | ଅନ୍ୟକୁ ସତର୍କ କରୁଥାଆନ୍ତୁ ଯେମିତି ଆପଣଙ୍କ ପରେ ଆଉ କୌଣସି କର୍ମଚାରୀ ଠକାମୀର ଶିକାର ନହୁଅନ୍ତୁ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ