ବିଧାନସଭାର ବିଭିନ୍ନ ବିଭାଗ ସମ୍ପର୍କୀତ ଦୁଇଟି ଷ୍ଟାଣ୍ଡିଂ କମିଟିର ସଦସ୍ୟ ହେଲା ସଦର ବିଧାୟକ ମାନସ ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ବିଧାନସଭା ପକ୍ଷରୁ ଗଠିତ ବିଭିନ୍ନ ବିଭାଗ ସମ୍ପର୍କୀତ ଦଶଟି ଷ୍ଟାଣ୍ଡିଂ କମିଟିରୁ ଦୁଇଟି କମିଟି ପାଇଁ ନିର୍ବାଚିତ ହୋଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ପୂର୍ତ୍ତ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ, ଗୃହ ଓ ସହରବିକାଶ ଏବଂ ସୂଚନା ଓ ଲୋକସମ୍ପର୍କ ପ୍ରଭୃତି ବିଭାଗକୁ ନେଇ ଗଠିତ ୩ନଂ ଷ୍ଟାଣ୍ଡିଂ କମିଟିର ସଦସ୍ୟଭାବେ ବିଧାୟକ ଶ୍ରୀ ଦତ୍ତ ନିର୍ବାଚିତ ହୋଇଥିବା ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭୂବନେଶ୍ୱରର ଏକାମ୍ର ବିଧାୟକ ବାବୁ ସିଂଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ବାଚସ୍ପତି ମନୋନୀତ କରିଛନ୍ତି । ଏଥିରେ ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ କୁମାର ଜଗଦେବ, ପଦ୍ମଲୋଚନ ପଣ୍ଡା, ଆକାଶ ଦାସ ନାୟକ, ନିହାର ରଞ୍ଜନ ମହାନନ୍ଦ, କେ ଅନୀଲ କୁମାର, ସୁନୀଲ କୁମାର ମହାନ୍ତି ଓ ସୋଫିଆ ଫିରଦୌସ ପ୍ରମୁଖ ବିଧାୟକ ଓ ବିଧାୟିକା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ସେହିପରି ସହଭାଗିତା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ସାଧାରଣ ଯୋଗାଣ ତଥା ଖାଉଟି କଲ୍ୟାଣ ପ୍ରଭୃତି ବିଭାଗକୁ ନେଇ ଗଠିତ ୬ନଂ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଛନ୍ତି ବିଧାୟକ ଶ୍ରୀ ଦତ୍ତ । ବିଧାନସଭାରେ କଂଗ୍ରେସ ଦଳର ନେତା ରାମ ଚରଣ କଦମ ଏହି କମିଟିର ନେତୃତ୍ୱ ନେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପୁଜାରୀ, ସାରଦା ପ୍ରସାଦ ନାୟକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରଘୁନାଥ ଜଗଦଳ, କୃଷ୍ଣଚନ୍ଦ୍ର ନାୟକ, ସାରଦା ପ୍ରସାଦ ପ୍ରଧାନ, ନବୀନ କୁମାର ଜୈନ, ଉପାସନା ମହାପାତ୍ର, ଲକ୍ଷ୍ମଣ ବାଗ ପ୍ରମୁଖ ବିଧାୟକ ଓ ବିଧାୟିକା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଦୁଇଟି ଷ୍ଟାଣ୍ଡିଂ କମିଟିରେ ବିଧାୟକ ଶ୍ରୀ ଦତ୍ତଙ୍କ ସମେତ ସମସ୍ତ ସଦସ୍ୟ ବର୍ଷେ ପାଇଁ ବିଭିନ୍ନ ବିଭାଗର କାର୍ଯଶୈଳୀ ସମ୍ପର୍କରେ ସମୀକ୍ଷା କରିବେ ।