ଚୋରି ବାଇକ ଜବତ ୩ ଅଭିଯୁକ୍ତ ଗିରଫ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି କାନରା ବ୍ୟାଙ୍କ ସାମ୍ନା ରୁ ଚୋରି ହୋଇଥିବା ବାଇକ ନଂ. ଓଡ଼ି ୩୩ ଇ -୩୨୮୫ କୁ ପୋଲିସ ଜବତ କରିଛି। ଚୋରି ଘଟଣାରେ ସମ୍ପୃକ୍ତ ଦିଗପହଣ୍ଡି ସାହାଣୀ ସାହିର ଶିବ ଦାସ,ରିତୁ ଦାସ ଏବଂ ରିତେଶ ଦାସ ଙ୍କୁ ସୋମବାର ଦିଗପହଣ୍ଡି ପୋଲିସ ଥାନା ମାମଲା ନଂ.୧୭୯/୨୪ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ଗତ ଏପ୍ରିଲ ୧୬ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ପାଟପୁର ଥାନା ଲୁଣିନାଠି ଗ୍ରାମର ଆର.ରାଜେନ୍ଦ୍ର ରେଡ୍ଡୀ ଦିଗପହଣ୍ଡି କାନରା ବ୍ୟାଙ୍କ ସାମ୍ନା ରେ ତାଙ୍କ ବାଇକ ରଖି ବ୍ୟାଙ୍କ ଭିତରକୁ ଯାଇଥିଲେ।ବ୍ୟାଙ୍କ କାମ ସାରି ଫେରିବା ପରେ ବ୍ୟାଙ୍କ ସାମ୍ନା ରେ ତାଙ୍କ ବାଇକ ନଥିଲା। ବହୁ ଖୋଜାଖୋଜି କରିବା ପରେ ବାଇକ ର ସନ୍ଧାନ ନମିଳିବାରୁ ସେ ତାଙ୍କ ବାଇକ ଚୋରି ନେଇ ନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଚଳାଇଥିଲେ। ଅଭିଯୁକ୍ତ ମାନଙ୍କୁ ପୋଲିସ ଥାନାକୁ ଉଠାଇ ନେଇ ସେମାନଙ୍କୁ ପଚରା ଉଚୁରା କରିବା ପରେ ସେମାନେ ବାଇକ ଚୋରି କରିଥିବା ସ୍ବୀକାର କରିଥିଲେ। ଅଭିଯୁକ୍ତ ମାନେ ଚୋରି କରିବା ପରେ ପୋଲିସ ଖୋଜୁଥିବା ଜାଣିପାରି ବାଇକ ଟିକୁ ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟ ଏକ କୂଅ ରେ ପକାଇ ଦେଇଥିଲେ। ଘଟଣାର ୪ ଦିନ ପରେ ବାଇକ କୁ କୂଅ ଭିତରୁ କାଢି ନମ୍ବର ପ୍ଲେଟ ବଦଳାଇ ଅଭିଯୁକ୍ତ ମାନେ ନିର୍ଭୟରେ ବୁଲୁଥିଲେ। ସିସିଟିଭି ଫୁଟେଜ ଆଧାର ରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଥିଲା। ପୋଲିସ ସେମାନଙ୍କ ଠାରୁ ବାଇକ ଜବତ କରିଥିବା ଜଣାପଡିଛି।