କୃଷି ଓ ଉଦ୍ୟାନ କୃଷି ବିଭାଗର ସମୀକ୍ଷା କଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟରେ ନବଗଠିତ ଭାରତୀୟ ଜନତା ପାର୍ଟି ସରକାରଙ୍କ ପ୍ରଥମ ବଜେଟ କୃଷି ଓ କୃଷକଙ୍କ ପ୍ରତି ସମର୍ପିତ ହୋଇଥିବା ବେଳେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ କୃଷି ବିଭାଗ ଅନ୍ତର୍ଗତ ପ୍ରତ୍ୟେକ ଯୋଜନାର କାର୍ଯ୍ୟକାରିତା ଓ ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଦତ୍ତ ଯୋଗଦେଇ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାକୁ ତୃଣମୂଳସ୍ତର ପ୍ରତ୍ୟେକ ଚାଷୀଭାଇଙ୍କ ନିକଟରେ ପହଂଚାଇବା ଉପରେ ଗୁରୁତ୍ୱ ଦେଇଥିଲେ । ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତରେ ଏବେ ବି ବହୁ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପଞ୍ଜିକୃତ ହୋଇନପାରି ସମ୍ମାନ ନିଧି ପାଇବାରୁ ବଂଚିତ ହୋଇଚାଲିଛନ୍ତି । ପୂର୍ବରୁ ଚାଲିଥିବା ଦଳୀୟ ମନୋବୃତି ଛାଡି ପ୍ରକୃତ ହିତାଧିକାରୀଙ୍କ ସ୍ୱାର୍ଥରକ୍ଷା ପାଇଁ କାର୍ଯ୍ୟକରିବାକୁ ବିଧାୟକ ଶ୍ରୀ ଦତ୍ତ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଲାଗୁରେ ପାରଦର୍ଶିତା ବଜାୟ ରଖିବା ଉପରେ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଥିଲେ । ତେବେ ସମ୍ପ୍ରତି ଦେଖାଦେଇଥିବା ଆଳୁ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ ସହ ପୂର୍ବ ସରକାରଙ୍କ ଅମଳରେ ଆରମ୍ଭ ହୋଇଥିବା ଆଳୁ ମିଶନର ବାସ୍ତବିକ ସ୍ଥିତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ବାଲେଶ୍ୱର ଜିଲ୍ଲାର ନଦୀ ଉପକୂଳବର୍ତ୍ତୀ ଚାଷ ଜମିରେ ବ୍ୟାପକ ଆଳୁ ଚାଷର ସମ୍ଭାବନା ଥିବାରୁ ଏ ଦିଗରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଧାୟକ ଶ୍ରୀ ଦତ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଣୟନ କରୁଥିବା ସଂଖ୍ୟାଧିକ ଯୋଜନା ଲାଗୁ ବେଳେ କୌଣସି ପ୍ରକାର ଆପତ୍ତି ଅଭିଯୋଗକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ରୋକଠୋକ୍ ଜଣାଇ ଦେଇଥିଲେ । କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ କର୍ତ୍ତବ୍ୟ ପରାୟଣତାରେ ତୃଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ଦତ୍ତ ଚେତାବନୀ ଦେଇଥିଲେ । ଏହି ଅବସରର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତି ତୁଙ୍ଗ ଓ ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେକ ତପନ ମହାନ୍ତି, ବ୍ଲକ କୃଷି ଅଧିକାରିଣୀ ଅଳକା ସାହୁ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଲୋକ ଅଧିକାରୀଙ୍କ ସମେତ ବିଭାଗୀୟ ବହୁ ଅଧିକାରୀ ଉପସ୍ଥିତ ରହି ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବା ସହିତ ବିଭିନ୍ନ ଯୋଜନାରେ କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ରବିନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସଦର ନିର୍ବାଚନମଣ୍ଡଳୀରେ କୃଷକମାନେ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।