ମୁଖ୍ୟ ରାସ୍ତା ମଝିରେ ଖାଲ ଯାତ୍ରୀ ଓ ପର୍ଯ୍ୟଟକ ହନ୍ତସନ୍ତ

ନିମାପଡା,(ସନ୍ତୋଷ ଦାଶ):ରାଜ୍ୟ ରାଜପଥକୁ ସୁଦୃଢ ଓ ଉର୍ନ୍ନତିକରଣ ନିମନ୍ତେ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ କିଛି ଅସାଧୁ ବିଭାଗୀୟ ଅଧିକାରୀ ଓ ଅର୍ଥପିପାସୁ ଠିକାଦାରଙ୍କ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ରାସ୍ତା ନିର୍ମାଣର ବର୍ଷେ ନ ପୁରୁଣୁ ପୁଣି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ୁଛି। ଏହି କାରଣରୁ ନିମାପଡା-କୋଣାର୍କ ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ପିପିଲି ଠାରୁ କୋଣାର୍କ ରାଜ୍ୟ ରାଜପଥ ରାସ୍ତାକୁ ଚାରି ଥାକିଆ ବିଶିଷ୍ଟ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ହୋଇଥିଲେ ମଧ୍ୟ ନିମାପଡା ଠାରୁ କୋଣାର୍କ ରାସ୍ତା କାର୍ଯ୍ୟକାରୀ ହେଲାନାହିଁ । ଯାହାଫଳରେକି ଏବେ ଉକ୍ତ ରାସ୍ତାଟି ଶୋଚନୀୟ ହୋଇ ପଡ଼ିଛି।ଗୋପ ମୁଖ୍ୟ ରାସ୍ତାର ମେଡିକାଲ ଛକ ପାଖରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ଓ ସେଥିରେ ବର୍ଷା ପାଣି ଜମି ରହିଥିବାରୁ କୋଣାର୍କକୁ ଆସୁଥିବା ଯାତ୍ରୀ, ପର୍ଯ୍ୟଟକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରୁ ବର୍ତ୍ତିବାପାଇଁ ସ୍ଥାନୀୟ ଅଟୋ ବ୍ୟବସାୟୀ ମାନେ ରାସ୍ତା ଉପରେ ଦୁଇଟି ଗଛର ଡାଳକୁ ମଝିରେ ପୋତିଛନ୍ତି । ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ଗାଡି ର ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପାଇଁ ଏ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ରାସ୍ତାର ଉଭୟ ପାର୍ଶ୍ଵ ରେ ଡ୍ରେନେଜ ବ୍ୟବସ୍ଥା ନଥିବା ଫଳରେ ରାସ୍ତା ଉପରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁଛି । ଆଉ ରାସ୍ତାରେ କେଉଁଠି ଖାଲ ଖମା ଜଣାପଡ଼ୁନାହିଁ । ଯାହାଫଳରେ ଗାଡି ଚାଳକ ମାନଙ୍କୁ ବାଧ୍ୟ ହୋଇ ଆସ୍ତେ ଆସ୍ତେ ଗାଡି ଚଳାଇବାକୁ ପଡୁଛି ଯେଉଁମାନେ ଦ୍ରୁତଗତିରେ ଗାଡି ଚଳାଉଛନ୍ତି ସେମାନଙ୍କର ଦୈନିକ ଦୃଘଟଣା ଘଟୁଛି । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ବର୍ଷା ଜଳ ଜମି ରହୁଛି । ନିକଟସ୍ଥ ବସ୍ତିରୁ ବର୍ଷା ମଧ୍ୟ ବର୍ଷା ଜଳ ନିଷ୍କାସନ ହୋଇପାରୁନି । ସେଥିପାଇଁ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି ଗୋପର ସାଧାରଣ ଜନତା । ଗୋପରେ ଥିବା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଟି ବର୍ଷକ ବାରମାସ ତାଲା ପଡ଼ିଥିବା ଦେଖିବାକୁ ମିଳୁଛି।ଜଣେ ଖଲାସୀଙ୍କ ଉପରେ କାର୍ଯ୍ୟାଳୟ ନିର୍ଭର କରୁଥିବାବେଳେ ବିଭାଗୀୟ ଯନ୍ତ୍ରୀଙ୍କୁ ଏଠାରେ ଦେଖିବାକୁ ମିଳୁନି। ତୁରନ୍ତ ଗୋପ ମୁଖ୍ୟ ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତ ସବୁକୁ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ