ଭିଜିଲାନ୍ସ କବଜାରେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଂଜନ ନାୟକ ଶୁକ୍ରବାର ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାଯାଇଛି । ସୂଚନାନୁସାରେ କନିଷ୍ଠ ଯନ୍ତ୍ରୀ ନାୟକ ଜାମୁଗାଁ ପଂଚାୟତ ଜଳେଶ୍ୱରପଡା ଗ୍ରାମର ଶ୍ମଶାନ ଗୃହ ନିର୍ମାଣର ବିଲ୍ କରିବା ପାଇଁ ୨୫ହଜାର ଟଙ୍କା ଲାଂଚ ମାଗିଥିଲେ । ଏସଂକ୍ରାନ୍ତରେ ଗ୍ରାମର ପ୍ରତାପ କାଣ୍ଡି ଭଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଜଗତସିଂହପୁର ଭିଜିଲାନ୍ସ ଡିଏସପି ଅନୁପମା ସାହୁଙ୍କ ନେତୃତ୍ୱରେ କଟକ ଭିଜିଲାନ୍ସ ଟିମ ଓ ଜଗତସିଂହପୁର ଭିଜିଲାନ୍ସ ଟିମ୍ ପୂର୍ବ ପ୍ରସ୍ତୁତି ଅନୁସାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଜଗି ରହିବା ସହିତ କନିଷ୍ଠ ଯନ୍ତ୍ରୀଙ୍କୁ ୨୫ଟଙ୍କା ଦେବା ପାଇଁ ପ୍ରତାପକୁ ସୂଚନା ଦେଇଥିଲେ । ପ୍ରତାପ ଟଙ୍କା ଦେବା ପାଇଁ ଯନ୍ତ୍ରୀଙ୍କୁ ଫୋନ କରିଥିଲେ । କିନ୍ତୁ ଯନ୍ତ୍ରୀ ନାୟକ ସିଧାସଳଖ ନ ଆସି ବଛାଳୋ ଗ୍ରାମର ବାପିନା ଦାସଙ୍କୁ ପଠାଇଥିଲେ । ବାପିନା ଟଙ୍କା ଆଣି ବ୍ଲକର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପହଁଚିବା ବେଳେ ଭିଜିଲାନ୍ସ ଟିମ୍ ତାକୁ କାବୁ କରିଥିଲେ । ପରେ କନିଷ୍ଠ ଯନ୍ତ୍ରୀ ନାୟକଙ୍କୁ ତାଙ୍କ କ୍ୱାଟରରୁ ଆଣି ରାଜୀବଗାନ୍ଧୀ ସେବା କେନ୍ଦ୍ର ସମ୍ମୁଖରେ ତଦନ୍ତ କରିଥିଲେ । ବାପିନାଙ୍କ ଠାରୁ ନଗଦ ୨୫ ହଜାର ଟଙ୍କା ଜବତ କରାଯାଇଥିଲା । ଜବତ ହୋଇଥିବା ଟଙ୍କାରେ ରାସାୟନିକ ପଦାର୍ଥ ଲାଗିଥିବାରୁପାଣିରେ ହାତ ବୁଡାଇବା ପରେ ହାତ ରଙ୍ଗ ହୋଇଯାଇଥିବା ଜଣାଯାଇଛି । ଏହା ପରେ ଭିଜିଲାନ୍ସ ଟିମ୍ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରିବା ସହିତ ଯନ୍ତ୍ରୀ ନାୟକଙ୍କ କ୍ୱାଟରରେ ଥିବା ଆଲମାରୀ ଆଦିକୁ ଯାଂଚ କରିଥିଲେ । ଉଭୟଙ୍କୁ ଜଗତସିଂହପୁର ଭିଜିଲାନ୍ନ କାର୍ଯ୍ୟାଳୟକୁ ନିଆଯାଇଥିଲା । ଯନ୍ତ୍ରୀ ନାୟକ ୨୦୧୯ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ର ଗ୍ରାମପଂଚାୟତ ବୈଷୟିକ ସହାୟକ ଭାବେ ଏହି ବ୍ଳକରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପରେ ୨୦୨୨ମସିହାରେ ପଦୋନ୍ନିତ ହୋଇ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ । ବର୍ତମାନ ବ୍ଲକର ଜାମୁଗାଁ, ରୋହିଆ, ଘୋଡାଂଶ, କୋରୁଅ ପଂଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଥିଲେ ।