କେନ୍ଦ୍ର ଶ୍ରମ ଆଇନ ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ଚେତାବନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସର୍ବଭାରତୀୟ ଶ୍ରମିକ ସଂଗଠନ ହିନ୍ଦୁ ମଜଦୁର ସଭା, ଓଡ଼ିଶା ଶାଖାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଭୁବନେଶ୍ଵରସ୍ଥ ଲୋହିଆ ଏକାଡେମୀ ସଭାଗୃହରେ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଚ୍ଏସ୍ଏସ୍ ପକ୍ଷରୁ ରାଜନୈତିକ ପ୍ରସ୍ତାବରେ କୁହାଯାଇଛି ଯେ ଆମ ଦେଶ ଓ ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟକୁ ଲକ୍ଷ୍ୟ କଲେ ସମୁଦାୟ ଶ୍ରମିକ, କର୍ମଚାରୀମାନଙ୍କୁ ହତାଶ ହେବାକୁ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସଂଗଠିତ ଓ ଅସଂଗଠିତ ଶ୍ରମିକ, କର୍ମଚାରୀ ମାନଙ୍କୁ ଶୋଷଣ କରିବା ଉଦ୍ଦେଶ୍ୟରେ ପ୍ରଚଳିତ ଶ୍ରମ ଆଇନଗୁଡ଼ିକୁ ଚାରୋଟି କୋର୍ଡରେ ଅନ୍ତର୍ଭୁକ୍ତ କରି ଶ୍ରମିକ କର୍ମଚାରୀ ବିରୋଧୀ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ବଦ୍ଧ ପରିକର । ଏହି ଶ୍ରମିକ ବିରୋଧୀ ଆଇନକୁ ପ୍ରତ୍ୟାହାର କରି ଦେଶର ପ୍ରଗତି ଓ ବିକାଶର ବାହକ ଶ୍ରମିକ ସମାଳର ହକ୍ ଓ ନ୍ୟାର୍ଯ୍ୟ ଦାବି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ନଦେଲେ ଦେଶର ଶ୍ରମଜୀବୀ ଜନତା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଏଚ୍ଏସ୍ଏସ୍ ପକ୍ଷରୁ ଏହି ପ୍ରସ୍ତାବରେ କୁହାଯାଇଛି । ଦ୍ଵିତୀୟ ପ୍ରସ୍ତାବରେ ଏଚଏମ୍ଏସ୍ ରାଜ୍ୟ ସାଂଗଠନିକ ବ୍ୟବସ୍ଥାର ସମୀକ୍ଷା କରାଯାଇ ଆଗାମୀ ଦିନରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସେହିଭଳି ଏଚ୍ଏସ୍ଏସ୍ ଯୁବ ଓ ମହିଳା ହିନ୍ଦୁ ମଜଦୁର ଓଡିଶା ରାଜ୍ୟ କାର୍ଯ୍ୟକର୍ତ୍ତା ଶାଖାକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଠିକଣା ଭାବରେ ସଂଗଠିତ କରିବା ପାଇଁ ଏକ ପ୍ରସ୍ତୁତି କମିଟି ଗଠନ କରାଯାଇଥିଲା । ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସାଧାରଣ ସଂପାଦକ ପ୍ରଭାତ କୁମାର ତ୍ରି ପାଠୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ବିଶିଷ୍ଟ ଶ୍ରମିକ ନେତା ବିଜୟ କୁମାର ମହାନ୍ତି ଏହି କମିଟିର ସଦସ୍ୟ ରୂପେ କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଆଲୋଚ ନାରେ ଅଂଶ ଗ୍ରହଣ କରି ସଭାର ଏଚ୍ଏମ୍ଏସ୍ ସଂଗଠନର କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟମାନଙ୍କ ମଧ୍ୟରୁ ସଂକିତ ମହାନ୍ତି, ଲକ୍ଷ୍ମୀପ୍ରିୟା ମହାନ୍ତି, ଗୁଣନିଧି ବଳ, ଦିଗମ୍ୱର ମହାନ୍ତି, ବିଏନ୍ ଦାସ, ଶଙ୍କର ବେହେରା, ବିଜୟ କୁମାର ପତି, ଉପସଭାପତି ରବି ରଥ ଅଂଶଗ୍ରହଣ କରିଥିଲେ।