ଜିଲ୍ଲାପାଳଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ କଲେକ୍ଟୋରେଟ ଷ୍ଟଫ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଷ୍ଟାଫ କମିଟିର ସଦସ୍ୟମାନେ ଯୋଗଦେଇ ଜିଲ୍ଲାପାଳଙ୍କ ସ୍ୱଳ୍ପ କାର୍ଯ୍ୟକାଳ ସମୟର ମଧୁର ସ୍ମୃତିଚାରଣ କରିବା ସହ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ବୋଲି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । ୨୦୧୮ବ୍ୟାଚର ଓଡିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମୟୁର ବିକାଶ ସମ୍ବଲପୁରର ଉପଜିଲ୍ଲାପାଳ ପରେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରିଥିବା ବେଳେ ଜିଲ୍ଲାପାଳ ଭାବେ କେନ୍ଦ୍ରାପଡାରେ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜ୍ଜନ କରିଥିଲେ । ସେ ଏବେ ବାଲେଶ୍ୱର ଜିଲ୍ଲାପାଳ ଭାବେ ଯୋଗଦାନ କରିବେ । ଶ୍ରୀ ମୟୁର ବିକାଶ ଗତ ୨୦୨୩ମସିହା ଜାନୁଆରୀମାସ ୩୦ତାରିଖରେ ଏଠାରେ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ । ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟୀ କଲେକ୍ଟର, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ, ତହସିଲଦାର, ଷ୍ଟଫ କମିଟିର କର୍ମକର୍ତ୍ତା, ସଦସ୍ୟ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ବିଦାୟୀ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତବ୍ୟ ପରାୟଣତା ଓ ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ ସମସ୍ତେ ତାଙ୍କ ଚିନ୍ତା ଓ ଚେତନାରେ ରହିବେ ବୋଲି ମତ ପ୍ରକାଶ କରିଥିଲେ ।