ଉପକୂଳ ଦେଇ ବାଂଲାଦେଶୀ ଅନୁପ୍ରବେଶ ସମ୍ଭାବନାକୁ ନେଇ ବଢୁଛି ଚିନ୍ତା

ବାଲେଶ୍ୱର, (ସରୋଜ ପଣ୍ଡା):ବାଂଲାଦେଶର ଅଶାନ୍ତ ପରିସ୍ଥିତିରୁ ବର୍ତ୍ତିବା ପାଇଁ ସେଠାକାର ସଂଖ୍ୟାଲଘୁ ହିନ୍ଦୁମାନେ ଜୀବନ ବଂଚାଇ ଭାରତରେ ଶରଣ ପାଇଁ ସୀମାରେ ଭିଡ ଜମାଇଥିବା ବେଳେ ସଂଖ୍ୟାଧିକ ବାଂଲାଦେଶୀ ବେଆଇନ ଭାବେ ଅନୁପ୍ରବେଶ କରିବା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି ସମୁଦ୍ର ଉପକୂଳ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାକୁ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଅଧିକ ସଂଖ୍ୟାରେ ପ୍ରବେଶ କରିବାର ସମ୍ଭାବନା ରହିଛି । ସେଥିପାଇଁ ବାଲେଶ୍ୱର ଜିଲ୍ଲାର ଉପକୂଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଉପରେ ଗୁରୁତ୍ୱା ଦେଇଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ । ଏ ନେଇ ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କ ଆଲୋଚନା ମାଧ୍ୟମରେ ମେରାଇନ ଥାନାଗୁଡିକର ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଇଛନ୍ତି । ଭାଷାଗତ ସମସ୍ୟା ନଥିବା ତଥା ସମଦ୍ର ମାର୍ଗରେ ଦୁରତା କମ ଥିବା କାରଣରୁ କାରଣରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ବାଲେଶ୍ୱର ଜିଲ୍ଲା ଏକ ସୁରକ୍ଷିତ ସ୍ଥାନରେ ପରିଣତ ହୋଇଛି । ପୂର୍ବରୁ ଆସି ବସବାସ କରୁଥିବା ବାଂଲାଦେଶୀ ନୂଆ ଅନୁପ୍ରବେଶକାରୀଙ୍କ ପାଇଁ ମୁଣ୍ଡ ଗୁଞ୍ଜିବା ବ୍ୟବସ୍ଥା କରିଥାନ୍ତି । ତେଣୁ ଉପକୂଳ ଅଂଳରେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି । ସେ ଦିଗରେ ଉପକୁଳ ଅଂଚଳର ଜନସାଧାରଣଙ୍କୁ ନେଇ ଗୋଟିଏ ଗୋଟିଏ ପୋଲିସ-ନାଗରିକ ସହାୟତା ସମିତି ଗଢିବାକୁ ସେ ପରାମର୍ଶ ଦେଇଛନ୍ତି । ଫଳରେ ଉପକୂଳ ଅଂଚଳରେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ନଜର ଦିଆଯାଇପାରିବ ବୋଲି ଶ୍ରୀ ଦତ୍ତ କହିଛନ୍ତି ।ଏହି ସମୟରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଗ୍ରହଣ ହୋଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏସପି ଶ୍ରୀମତୀ ନାଥ ବିଧାୟକ ଶ୍ରୀ ଦତ୍ତଙ୍କୁ ଅବଗତ କରିଥିଲେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ସମୁଦ୍ରରେ ଗତିବିଧି ସହିତ ଉପକୂଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ଜିଲ୍ଲାରେ ରହିଥିବା ବଳରାମଗଡି, ବାହାବଳପୁର ଓ ତାଳସାରୀ ପ୍ରଭୃତି ୩ଟି ସାମୁଦ୍ରିକ ଥାନାରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯାଇଛି । ସେହିଭଳୀ ପ୍ରତ୍ୟେକ ସାମୁଦ୍ରିକ ଥାନା ସହିତ ବୋଟ ଯୋଗେ ଉପକୂଳ ଅଂଚଳରେ ପେଟ୍ରୋଲିଂ ଆରମ୍ଭ କରାଯାଇଛି । ସ୍ଥଳଭାଗରେ ମଧ୍ୟ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି ସହ ବେଆଇନ ଭାବେ ବସବାସ କରୁଥିବା ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗଭୀର ସମୁଦ୍ରରେ କୋଣସି ପ୍ରକାର ଗତିବିଧି ସମ୍ପର୍କରେ ଅନୁଧ୍ୟାନ ପାଇଁ କୋଷ୍ଟ ଗାର୍ଡ ସହିତ ଯୋଗାଯୋଗ ସ୍ଥାପନ କରାଯାଇଛି । ଏହା ସହିତ ସମସ୍ତ ମସ୍ୟଜୀବିଙ୍କୁ ସତର୍କ କରାଯାଇଥିବା ଏସପି ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସୁଜିତ ଦେବ, ସୀତାକାନ୍ତ ସ୍ୱାଇଁ, ଆଇନଜୀବି ବୈଲୋଚନ ଦାସ, ଅନନ୍ତ ନାୟକ, ସରପଞ୍ଚ ରବିନାରାୟଣ ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, ମନୋରଞ୍ଜନ ନନ୍ଦୀ, ରଞ୍ଜନ କୁମାର ଦାସ ଓ ପବନ କମିଳା ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହି ଉପକୂଳ ଅଂଚଳର ସୁରକ୍ଷା ପାଇଁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ