ନିଖୋଜ ଯୁବତୀଙ୍କ ଜଙ୍ଗଲରୁ ବର୍ଷେ ପରେ କଙ୍କାଳ ଜବତ ପୋଲିସର ତଦନ୍ତ ଜାରି
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମ ନିକଟସ୍ଥ ଖାରୀ ପାହାଡ଼ ଜଙ୍ଗଲରୁ ରବିବାର ସକାଳୁ ପୋଲିସ ଜଣେ ଯୁବତୀଙ୍କ ନର କଙ୍କାଳ ଏକ ବର୍ଷ ପରେଉଦ୍ଧାର କରିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ଏକ ସାଇକେଲ ଜବତ କରିଥିବା ବେଳେ ଯୁବତୀକୁ ହତ୍ୟା ଦିଆଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅପରପକ୍ଷରେ ମୃତକଙ୍କ ଶବ ଚିହ୍ନଟ ହୋଇଥିବା ବେଳେ ମୃତକ ହେଲେ ବୃନ୍ଦାବନପୁର ଗ୍ରାମର ସନାତନ ନାୟକଙ୍କ ଝିଅ ଅନୀତା ନାୟକ(୧୯) ବୋଲି ଜଣାପଡିଛି । ଖବରପ୍ରକାରେ, ପୂର୍ବରୁ ବୃନ୍ଦାବନପୁର ଗ୍ରାମର ସନାତନ ଓ ଋବି ନାୟକଙ୍କ ଝିଅ ଅନୀତା ନିଖୋଜ ନେଇ ଗତ ୨୦୨୩ ଅଗଷ୍ଟ ୨୯ ତାରିଖରେ ଥାନାରେ ଏତଲା ହୋଇଥିଲା । ଘଟଣା ଦିନ ଅନୀତା ପୋଡାମାରୀ କଲେଜ ଯାଇ ଘରକୁ ଫେରି ନଥିଲେ । ଯାହାଫଳରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ତେବେ ଶନିବାର ଦିନ ଗ୍ରାମର କିଛି ଲୋକ ନିକଟ ଜଙ୍ଗଲ ସଫା କରୁଥିବା ସମୟରେ ଜଙ୍ଗଲରେ ଖପୁରି ଓ ଲେଡିସ ସାଇକେଲ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମକୁ ଆସି ଘଟଣା ଜଣାଇବା ସହ ପାଟପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖପୁରି ସହ ସାଇକେଲ ଜବତ କରିଥିଲା । ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ ଟିମ୍ ଓ ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାର ଖୋଳତାଡ଼ କରିଥିଲା । ଏହାପରେ ସନାତନ ଝିଅର ସାଇକଲ ଚିହ୍ନି ମୋର ଝିଅକୁ ଗ୍ରାମର କିଛି ଯୁବକ ହତ୍ୟା କରିଛନ୍ତି ବୋଲି ପୋଲିସ ନିକଟରେ କହିଛନ୍ତି । ଏନେଇ ପୋଲିସ ଉଦ୍ଧାର କଙ୍କାଳ ଓ ସାଇକେଲ ଜବତ କରି ଥାନା ମାମଲା ନଂ ୩୮୫/୨୪ ଅନୁଯାୟୀ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଏହାପୂର୍ବରୁ ଗତ ୨୦୨୩ ସେପ୍ଟେମ୍ବର ୨୪ ତାରିଖରେ ସନାତନଙ୍କ ପୁଅ ସୁନୀଲ ନାୟକ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କୁ ଦୁବୃର୍ତ୍ତଙ୍କ ଦ୍ବାରା ହତ୍ୟା ପରେ ଫୋପାଡି ଦିଆଯାଇଥିଲା । ପୋଲିସ ଘଟଣାରେ ଥାନା କେସ୍ ନଂ ୬୧୦/୨୩ ପ୍ରକାରେ ପୋଡାମାରୀ ଗ୍ରାମର ଏସ୍. ମାଲେସୁ ପାତ୍ର ଏବଂ ବୃନ୍ଦାବନପୁର ଗ୍ରାମର କୁନା ଦଳାଇକୁ ଗିରଫ କରି ଜେଲ୍ ପଠାଇଥିଲା । ତେବେ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ ମାନେ ପ୍ରଥମେ ଝିଅ ଅନୀତା ଓ ପରେ ପୁଅ ସୁନୀଲକୁ ହତ୍ୟା କରିଥିବା ପୋଲିସ ଆଗରେ କହିଥିବା ଜଣାପଡ଼ିଛି । ଏନେଇ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ କହିଛନ୍ତି ହାଡ଼ କଙ୍କାଳ ପଠା ଯାଇଛି ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏବଂ ଏହାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।