ଅବ୍ୟବସ୍ଥା ନେଇ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକଙ୍କ ଧାରଣା ଫେରାଇଦେଲେ ମଧ୍ୟାହ୍ନଭୋଜନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବିଦ୍ୟାଳୟର ପାଠପଢା ସମୟରେ ଫାଟକରେ ଝୁଲୁଛି ତାଲା I ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ବସିବା ବଦଳରେ ନିଜ ଅଭିଭାବକଙ୍କ ସହ ବସିଛନ୍ତି ବିଦ୍ୟାଳୟ ସମ୍ମୁଖରେ I ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କୁ ମଧ୍ୟ ଶ୍ରେଣୀ ଗୃହ ଭିତରକୁ ଯିବାକୁ ଦେଉ ନାହାଁନ୍ତି ଅଭିଭାବକ ମାନେ I ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ଗୋପନଗର ପ୍ରାଥମିକ ବିଦ୍ୟାଳୟରେ ପାଠପଢା ସମୟରେ ଫାଟକରେ ଝୁଲିଥିଲା ତାଲା I ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ବସିବା ବଦଳରେ ନିଜ ଅଭିଭାବକଙ୍କ ସହ ବସିଥିଲେ ବିଦ୍ୟାଳୟ ସମ୍ମୁଖରେ I ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କୁ ମଧ୍ୟ ଶ୍ରେଣୀ ଗୃହ ଭିତରକୁ ଯିବାକୁ ଦେଇନଥିଲେ ଅଭିଭାବକ ମାନେ I ଏପରିକି ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ଣଭୋଜନକୁ ମଧ୍ୟ ଗ୍ରହଣ ନକରି ଫେରାଇ ଦେଇଥିଲେ ସେମାନେ I ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କୌଣସି ସରକାରୀ ସୁବିଧା ମିଳୁନଥିବା ନେଇ ଅଭିଯୋଗ ଆଣି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବିଦ୍ୟାଳୟରେ ତାଲା ଝୁଲାଇ ଧାରଣା ଦେଇଥିଲେ ବିଦ୍ୟାଳୟ ସମ୍ମୁଖରେ I ଅଭିଭାବକଙ୍କ ଅଭିଯୋଗ ପ୍ରକାରେ ବିଦ୍ୟାଳୟକୁ ତିନି ବର୍ଷ ଧରି କୌଣସି ଅନୁଦାନ ଆସିନାହିଁ I ଫଳରେ ବିଦ୍ୟାଳୟରେ କୌଣସି ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୋଇପାରୁ ନାହିଁ I ଏପରିକି ଚକ୍ କି ଡଷ୍ଟର୍ ଖଣ୍ଡେ ମଧ୍ୟ କିଣିବା ପାଇଁ ବିଦ୍ୟାଳୟକୁ ଟଙ୍କାଟିଏ ଆସୁନଥିବାରୁ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି I ଆଜି ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଧାରଣା ସମୟରେ ସବୁଠାରୁ ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେ ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଚିରାଫଟା ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସୁଛନ୍ତି I ଅଭିଭାବକଙ୍କୁ ପଚାରି ବୁଝିବାରୁ ଜଣା ପଡିଲା ଯେ ବିଦ୍ୟାଳୟକୁ ଦୁଇ ବର୍ଷ ହେବ ପୋଷାକ ଅନୁଦାନ ଆସୁନଥିବାରୁ ପିଲାଙ୍କୁ ଜୋତା କିମ୍ବା ପୋଷାକ ମିଳିନାହିଁ I ନିକଟ ବିଦ୍ୟାଳୟ ଗୁଡ଼ିକର ପଢୁଥିବା ଛାତ୍ରଛାତ୍ରୀଙ୍କ ନୂଆଁ ପୋଷାକ ଏବଂ ଜୋତା ଦେଖି ଏହି ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀ ମାନସିକ ସ୍ତରରେ ଭାଙ୍ଗି ପଡୁଛନ୍ତି I କିନ୍ତୁ ଏଥିପ୍ରତି କୌଣସି ଅଧିକାରୀଙ୍କ ଭ୍ରୂକ୍ଷେପ ନାହିଁ I ଅନ୍ୟପଟେ ବିଦ୍ୟାଳୟରେ ଦୁଇ ବର୍ଷ ହେବ ସ୍ଥାୟୀ ଶିକ୍ଷକ ପଦବୀ ଖାଲି ପଡିଛି I ବେଲଗୁଣ୍ଠା ବ୍ଳକ୍ ର ଖାରୀଗୁଡା ପ୍ରାଥମିକ ବିଦ୍ୟାଳୟରୁ ଜଣେ ମାତ୍ର ଶିକ୍ଷକ ଏଠାରେ ଡେପୁଟେସନ୍ରେ କାର୍ଯ୍ୟ ତୁଲାଉଛନ୍ତି I ବିଦ୍ୟାଳୟରେ 32 ଜଣ ଛାତ୍ର ଛାତ୍ରୀ ଏକ ମାତ୍ର ଭଙ୍ଗା ଘରେ ବିପଜ୍ଜନକ ଅବସ୍ଥାରେ ବସି ପାଠ ପଢୁଛନ୍ତି I ଏହି ସବୁ ଅବ୍ୟବସ୍ଥାରେ ଅତିଷ୍ଠ ହୋଇ ଅଭିଭାବକ ମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ସହ ପିଲାଙ୍କ ପାଇଁ ଆସିଥିବା ମଧ୍ୟାହ୍ନଭୋଜନ ଗାଡିକୁ ମଧ୍ୟ ଫେରାଇ ଦେଇଛନ୍ତି I ବିଦ୍ୟାଳୟକୁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଆସି ବିଦ୍ୟାଳୟର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ସେମାନେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିବେ ବୋଲି ଅଭିଭାବକ ମାନେ ଜିଦ୍ ଧରିଥିବା ବେଳେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଅଧିକାରୀଙ୍କ ଦେଖା. ମିଳିନଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ