ଏଡ୍ସ ସଚେତନତା ସହ ଫାଇଲେରିଆ,ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଔଷଧ ବଣ୍ଟନ

ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ ଅଗଷ୍ଟ ୧୨ ତାରିଖ ଦିନ କଲେଜ ପରିସରରେ ଏଡ଼ସ ସଚେତନତା ସହ ଫାଇଲେରିଆ, ଡେଙ୍ଗୁ ଓ ମ୍ୟାଲେରିଆର ନିରାକରଣ ଏବଂ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରିନ୍ସପାଲ ରବୀନ୍ଦ୍ରନାଥ ପାଳ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଏଥିରେ ବିଷୟ ବିଶାରଦ ଭାବେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଇ.ସି.ଟି.ସି. ସଂଯୋଜକ ମନୋଜ କୁମାର ଜେନା ଏଡ଼ସ ରୋଗର ଭୟାଭୟତା, କାରଣ, ନିରାକରଣ ଓ ସଚେତନତା ବିଷୟରେ ପୁଙ୍ଖାନୂପୁଙ୍ଖ ଆଲୋଚନା କରିଥିଲେ। ଅନ୍ୟତମ ବିଷୟ ବିଶାରଦ ଭାବେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୂଜା ପରିଡ଼ା (ସି.ଏଚ.ଓ.) ଫାଇଲେରିଆ, ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ନିରାକରଣ ଓ ଏହାର ସଚେତନତା ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏଥିରେ ଅନିଲ ମଲ୍ଲିକ (ଏମ.ପି.ଏଚ୍.ଡବ୍ଲୁ) ଓ ସରସ୍ଵତୀ ଶବର ( ମହିଳା ସ୍ୱାସ୍ଥ୍ୟ କର୍ମୀ ) ଙ୍କ ମିଳିତ ଉଦ୍ୟମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଔଷଧ ସେବନ କରାଯାଇଥିଲା। ଅରୁଣା ଟିମ୍ (ବ୍ରହ୍ମପୁର) ମଧ୍ୟ ଏସବୁ କାର୍ଯ୍ୟରେ ସହଯୋଗର ହାତ ବଢାଇ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ। ଯୁବ ରେଡ୍ କ୍ରସ୍ ର ସଦସ୍ୟ ପ୍ରାଧ୍ୟାପକ ରୁଦ୍ରପ୍ରସଦ ଗୌଡ଼ ଓ ଯୁବ ରେଡ୍ କ୍ରସ ର ପୂର୍ବତମ ସଂଯୋଜକ ଅଧ୍ୟାପକ ଶେଖ୍ ଫରିଦ୍ ସଂକ୍ଷିପ୍ତରେ ଉପୋରକ୍ତ ବିଷୟବସ୍ତୁକୁ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ଓ ରେଡ୍ ରିବନ କ୍ଲବର ସଂଯୋଜକ ଅଧ୍ୟାପକ ବିଶ୍ଵନାଥ ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ