ସ୍ୱଚ୍ଛତା ହିଁ ପବିତ୍ରତା ଶ୍ରାବଣୀ ଜଳଲାଗିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରମଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରାବଣୀ ଜଳଲାଗି ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସର ମଧ୍ୟରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁମାନେ ତୀର୍ଥଜଳ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମସ୍ତକରେ ଲାଗି କରିବା ପରେ ମନ୍ଦିର ପରିସର ମଧ୍ୟରେ ଛାଡ଼ି ଚାଲି ଯାଇଥିବା ଫୁଲ, ବାହୁଙ୍ଗୀ, ସାଲୁକନା, ଚିକିଟା ମାଟି, ପଲିଥିନ୍, ପ୍ଲାଷ୍ଟିକ୍ କଳସ, ବେଲପତ୍ର ଆଦିକୁ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଶ୍ରମଦାନ କରି ସେଗୁଡ଼ିକୁ ମନ୍ଦିର ଚତୁଃପାଶ୍ୱର୍ରୁ ଉଠାଇ ପରିଷ୍କାର ପରିଚ୍ଛନ୍ନ କରିଥିଲେ । “ସ୍ୱଚ୍ଛତା ହିଁ ପବିତ୍ରତା” ଏହି ମନ୍ତ୍ରକୁ ଆପଣେଇ ନେଇଥିବା ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ୍, ସୁରେନ୍ଦ୍ରନାଥ ଜେନା ଟ୍ରଷ୍ଟ, ଏନ୍.ଏସ୍.ଏସ୍. ଧଉଳି ଚାରୁକଳା ମହାବିଦ୍ୟାଳୟ, ମାଇଣ୍ଡ ଏମ୍ପାୱାରମେଣ୍ଟ ଫାଉଣ୍ଡେସନ୍, ବୁଲ୍ସଆଇ, ମିସିଂ ଫାଉଣ୍ଡେସନ୍, ଲୋଟସ୍ ୱାନ୍ ପ୍ରମୁଖ ସାମାଜିକ ସଂଗଠନ ଏହି ଶ୍ରମଦାନ ଶିବିରରେ ସାମିଲ ହୋଇଥିଲେ । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦନ କୁମାର ସାମଲ, ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୋପୀମୋହନ ପଟ୍ଟନାୟକ, ଆଶୁତୋଷ ପରମଗୁରୁ, ସତ୍ୟଜିତ୍ ତ୍ରିପାଠୀ, ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଶ୍ରମଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜାତୀୟ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ସହ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏହି ଶ୍ରମଦାନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ । ଉକ୍ତ ଶିବିରରେ ୫୦ଜଣ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ମନ୍ଦିର ପରିସରରୁ ସଫେଇ ସମୟରେ ପୁଳାପୁଳା ଧାରୁଆ ବ୍ଲେଡ୍ ଓ ଛୁରି ବାହାରିଥିଲା । ଏହି ବ୍ଲେଡ୍ ଗୁଡ଼ିକ ବୋଲବମ୍ ଭକ୍ତମାନେ ଶିକା କାଟି ମନ୍ଦିର ପରିସର ମଧ୍ୟରେ ଏଣେତେଣେ ଫୋପାଡ଼ି ଚାଲିଯାଇଥିଲେ । ଏଭଳି ଆପତ୍ତିଜନକ ସାମଗ୍ରୀ ମନ୍ଦିର ଭିତରକୁ ବାହାରିବାକୁ ନେଇ ସାମାଜିକ କର୍ମୀମାନେ ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଅଭିନବ ଢ଼ଙ୍ଗରେ ନିଷିଦ୍ଧ ପାଇଁ ଦାବି କରିଥିଲେ ।