ବାଲେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ବିଧାୟକ ଓ ଜିଲ୍ଲାପାଳଙ୍କୁ କ୍ରିୟାନୁଷ୍ଠାନ ସମିତିର ଦାବିପତ୍ର ପ୍ରଦାନ ଓ କ୍ରିୟାନୁଷ୍ଠାନ ସମିତିର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରର ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଗତ ୩ବର୍ଷ ଧରି ଦାବି ଓ ଗଣତାନ୍ତ୍ରିକ ଆନ୍ଦୋଳନ ହୋଇଆସୁଛି । ସମିତିର ସଭାପତି ଡକ୍ଟର କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ଅଭୟ ଚନ୍ଦ୍ର ମିଶ୍ର ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ଭାସ୍କର ଚନ୍ଦ୍ର ପାଢ଼ୀ ଗତ ଆର୍ଥିକବର୍ଷର ଆୟବ୍ୟୟ ବୈଠକରେ ଉପସ୍ଥାପନା କରିଥିଲେ । ସଭାପତି ଡ. ପଣ୍ଡା ଉକ୍ତ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଗଠିତ କ୍ରିୟାନୁଷ୍ଠାନ ସମିତି ପକ୍ଷରୁ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଅଛି । ସଦର ବିଧାୟକ ଶ୍ରୀଯୁକ୍ତ ଦତ୍ତ ଏକ ସର୍ଭେ ପାର୍ଟି ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ପଠାଇବା ପାଇଁ ଅନୁରୋଧ କରିବେ ବୋଲି ସଭାରେ ସଭାପତି ଜଣାଇଥିଲେ । ସେହିପରି ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଅଛି । ସ୍ମାରକପତ୍ରର ଏକ କପି ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ମଧ୍ୟ ଦିଆଯାଇଛି । ବୈଠକର ନିଷ୍ପତ୍ତି ଅନୁସାରେ ଆଗାମୀ ମାସରେ ଆଞ୍ଚଳିକ ବୈଠକ ପରେ ଜିଲ୍ଲା ବାର୍ଷିକ ସମ୍ମିଳନୀ ସେପ୍ଟେମ୍ବର ମାସର ଶେଷ ସପ୍ତାହରେ ହେବାପାଇଁ ସ୍ଥିରୀକୃତ ହୋଇଛି । ଏହି ବୈଠକରେ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା, ଡକ୍ଟର କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ହରନାରାୟଣ ମଢ଼ୁଆଳ, ଭୂପତି କୁମାର ପାତ୍ର, ଅନନ୍ତ କୁମାର ଦତ୍ତ, ମନୋଜ କୁମାର ବେହେରା, ମନ୍ମଥ ପାତ୍ର, ମନୋଜ କୁମାର ଦାସ, ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ, ରବି କୁମାର ପାଣିଗ୍ରାହୀ ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଅକ୍ଷୟ କୁମାର ତ୍ରିପାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।