ଯବାନଙ୍କ ପାଇଁ ରାକ୍ଷୀ ପଠାଇଲେ ଛାତ୍ରୀ
ନିମାପଡ଼ା,(ସନ୍ତୋଷ ଦାଶ):ଆଉ ଅଳ୍ପ ଦିନ ପରେ ସ୍ନେହ ଓ ବନ୍ଧନର ପର୍ବ ରକ୍ଷାବନ୍ଧନ ପର୍ବ । ଏହି ଦିନ ଭଉଣୀ ନିଜ ସୁରକ୍ଷା ପାଇଁ ଭାଇ ହାତରେ ବାନ୍ଧେ ରାକ୍ଷୀ । ଯେଉଁ ଯବାନ ମାନେ ଦେଶ ମାତୃକାର ଦିନରାତି ରକ୍ଷା କରୁଛନ୍ତି ସେମାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି କୁନି କୁନି ଛାତ୍ରୀ ମାନେ । ଆମ ଦେଶର ବୀର ଯବାନ ମାନଙ୍କୁ ବଡ଼ ଭାଇର ସମ୍ମାନ ଜଣାଇ ସେମାନଙ୍କ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟର ଛାତ୍ରୀ ମାନେ ରାକ୍ଷୀ ଦୋକାନରୁ ନିଜ ମନପସନ୍ଦର ରାକ୍ଷୀ କିଣି ସୀମାରେ ରହୁଥିବା ଯବାନଙ୍କ ପାଖକୁ ଡାକ ଯୋଗେ ପଠାଇ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ଭାରତ ସୀମାରେ ଶତ୍ରୁଙ୍କ ସହ ଲଢେଇ କରି ଆମ ମାନଙ୍କୁ ସୁରକ୍ଷା ଦେଉଥିବା ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି ଏହି ଛାତ୍ରୀ ମାନେ। ସେମାନଙ୍କୁ ପ୍ରକୃତ ଭାଇ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି ଛାତ୍ରୀ। ଏଥିପାଇଁ ବିଦ୍ୟାଳୟର ଛାତ୍ରୀ ମାନେ ରକ୍ଷା ବନ୍ଧନର ଗୀତଗାଇ ସୀମା ସରହଦ ରେ ରହୁଥିବା ସେହି ଯବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି ଯେଉଁ ମାନେ ଦେଶର ସୁରକ୍ଷା ଦେଉଛନ୍ତି ।ସେମାନେ ବିଭିନ୍ନ ପର୍ବପର୍ବାଣି ରେ ସାମିଲ ହୋଇପାରନ୍ତି ନାହିଁ ସେହି ବୀର ଯବାନ ଙ୍କ ପ୍ରତି ସମ୍ମାନ ଓ ଭଲ ପାଇବାର ନିଦର୍ଶନ ଦେଖାଇଛନ୍ତି ନୋଡାଲ ବିଦ୍ୟାପୀଠର ୧୬୦ରୁ ଉର୍ଦ୍ଧ ଛାତ୍ରୀ । ସମସ୍ତେ ନିଜ ନିଜ ମନପସନ୍ଦର ରାକ୍ଷୀ କିଣି ଡାକ ଯୋଗେ ଭାରତୀୟ ସେନା କାର୍ଯ୍ୟାଳୟକୁ ପଠାଇଛନ୍ତି। ଏହି ରାକ୍ଷୀ ପଠାଇ ଯବାନ ଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି। ଅସ୍ତରଙ୍ଗ ନୋଡାଲ ଉପ୍ରା ବିଦ୍ୟାଳୟର ଛାତ୍ରୀ ମାନଙ୍କ ଏଭଳି ଉଦ୍ୟମ ଯବାନ ମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ ବୋଲି କହିଛନ୍ତି ଉକ୍ତ ବିଦ୍ୟାଳୟ ର ଶିକ୍ଷୟତ୍ରୀ ରଙ୍ଗ ଲତା ସ୍ଵାଇଁ। ଛାତ୍ରୀ ମାନଙ୍କ ଏହି ମହତ କାର୍ଯ୍ୟ କୁ ସବୁ ମହଲ ରେ ପ୍ରଶଂସା କରାଯାଇଛି।