ପୋଖରୀ ପାଣିରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
ହିଞ୍ଜିଳିକାଟୁ,(ସେସଦେବ ସାହୁ): ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଟୁନା ଖଣ୍ଡାଳ (୩୭) । ଏ ନେଇ ହିଞ୍ଜିଳି ଥାନାରେ କେସ ନ°- ୨୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବୁଧବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ତମ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ମଙ୍ଗଳବାର ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଟୁନା ଘରୁ ବାହାରକୁ ଆସି କେଉଁଆଡେ ଚାଲି ଯାଇଥିଲେ। ଦୀର୍ଘ ସମୟ ଧରି ଟୁନା ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କରି କୈାଣସି ସନ୍ଧାନ ମିଳିନଥିଲା। ମଙ୍ଗଳବାର ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ସଂପୃକ୍ତ ଗ୍ରାମର କିଛି ଲୋକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ପୋଖରୀ ପାଣିରେ ଭାସୁଥିବା ଦେଖି ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ ଓ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ପାଣ୍ଠିରୁ ମୃତଦେହକୁ ଉଦ୍ଧାର କରିଥିଲେ। ଯୁବକଙ୍କ ମୁଣ୍ଡ ପଛପଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା। ସଂପୃକ୍ତ ଯୁବକ ଜଣଙ୍କ ପୋଖରୀ ପାହାଚରେ ବସି ମଦ୍ୟପାନ କରୁଥିବା ନେଇ ଗ୍ରାମର କିଛି ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। ମଦ୍ୟପାନ ପରେ ଯୁବକ ଜଣଙ୍କ ପୋଖରୀ ପାହାଚରେ ପଡି ମୁଣ୍ଡଫାଟି ରକ୍ତସ୍ରାବ ହେବା ସହ ପୋଖରୀ ଭିତରକୁ ଖସି ପଡିଥିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେହି ସଂପୃକ୍ତ ଯୁବକଙ୍କୁ ହତ୍ୟା କରିବା ପରେ ପୋଖରୀ ପାଣିରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ପୁଲିସ କହିଛି ।