ନାଉଗାଁ ବ୍ଳକରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ବୁଧବାର ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଉକ୍ତ ଶୋଭାଯାତ୍ରାକୁ ବିଡିଓ ତପନ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପଂଚାୟତ ସମିତି କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ନାଉଗାଁ ବ୍ଳକଛକ, ବଜାର ଆଦି ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଯୋଗ ଦେଇଥିବା ସମସ୍ତ ସଦସ୍ୟ ଜୟ ହିନ୍ଦ୍, ଘରେ ଘରେ ତ୍ରିରଙ୍ଗା ଆଦି ନାରା ଦେଇଥିଲେ । ଶୋଭାଯାତ୍ରା ପରେ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ହର ଘର ତ୍ରିରଙ୍ଗାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବିଡିଓ ମହାପାତ୍ରଙ୍କ ନେତୃତ୍ୱରେ ଏକ ଦସ୍ତଖତ ଅଭିଯାନର ଆୟୋଜନ କରାଯାଇଥିଲା । ଆୟୋଜିତ ଶୋଭାଯାତ୍ରାରେ ବିଡିଓ ମହାପାତ୍ରଙ୍କ ସମେତ ଏବିଡିଓ ଦେବେନ୍ଦ୍ର ପ୍ରଧାନ, ଜିପିଇଓ ଦିନେଶ ରାୟ, ବ୍ଲକ ସମାଜମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌରଜିତ ମହାପାତ୍ର,ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ଯୁବନେତା ଦିଲ୍ଲିପ ଲେଙ୍କାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱୟଂ ସହାୟୀକା ଗୋଷ୍ଠୀ, ମିଶନ ଶକ୍ତି ମହିଳା, ଏମବିକେ, ସିଆରପି ଆଦି ଯୋଗ ଦେଇଥିଲେ । ସେହିପରି ଭାଜପା ପକ୍ଷରୁ ଅଲଣା ପଂଚାୟତରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା କୁଣ୍ଡେଶ୍ୱରର ତ୍ରିଲୋଚନେଶ୍ୱର ମନ୍ଦିର ପରିସରରୁ ବାହାରିଥିଲା । ଏହି ଶୋଭାଯାତ୍ରାରେ ପଂଚାୟତର ପ୍ରଶାନ୍ତ କୁମାର ମିଶ୍ର, ସଂଜୟ ଶେଖର କାଣ୍ଡି,ପୂର୍ବତନ ସରପଂଚ ସୁଶାନ୍ତ କୁମାର ମଲ୍ଲିକ, ଶିବ ମଲିକ,ପ୍ରଦ୍ୟୁମ୍ନ ମାଝୀ, ବିର କିଶୋର ଶତପଥୀ,ସୁମନ ସ୍ୱାଇଁଙ୍କ ସମେତ ସଚେତନ ନାଗରିକ, ବରିଷ୍ଟ ନାଗରିକ ଆଦି ଯୋଗ ଦେଇଥିଲେ । ସମସ୍ତେ ହାତରେ ଜାତୀୟ ପତାକା ଧରି ପଂଚାୟତ ପରିଭ୍ରମଣ କରିଥିଲେ । ତ୍ରିରଙ୍ଗା ଶୋଭା ଯାତ୍ରା ଗାଁ ଗଣ୍ଡାରେ ସମସ୍ତଙ୍କ ମନରେ ରାଷ୍ଟ୍ରୀପ୍ରେମ ଭରି ଦେଇଥିଲା ।