ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସନ୍ଧ୍ୟାରେ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ଉପ ଉସଭାପତି ମମତା ମହାପାତ୍ର ମଞ୍ଚ ପରିଚାଳନା କରିଥଲେ । ଭାରତ ମାତାଙ୍କ ବନ୍ଦନା ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ ଦତ୍ତ ପ୍ରମୁଖ ମଞ୍ଚାସିନ ବକ୍ତା ସେମାନଙ୍କର ଓଜସ୍ବୀ ବ୍ଯକ୍ତବ୍ଯରେ ଦେଶ ବିଭାଜନର ବିଭୀଷିକାର ସ୍ମୁତି ଚାରଣ କରିଥିଲେ। କ୍ଷମତାଲିପ୍ସୁ ଶକ୍ତିଙ୍କ ପାଇଁ ଅଖଣ୍ଡ ଭାରତକୁ ଖଣ୍ଡବିଖଣ୍ଡିତ କରି ଦିଆଯାଇଥିଲା। ବିଭାଜନ କାରଣରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ହିନ୍ଦୁଙ୍କୁ ହତ୍ୟାର ଶିକାର ହୋଇଥିଲେ। ଲକ୍ଷ ଲକ୍ଷ ମହିଳାଙ୍କ ଅସ୍ମିତା ଲୁଟ୍ ହୋଇଥିଲା। ଦେଶକୁ ଭଲପାଇବା, ଦେଶମାତୃକା ପାଇଁ ତ୍ୟାଗ ବଳିଦାନ କରିବା ପାଇଁ ସମାଜର ସମସ୍ତ ବର୍ଗର ନାଗରିକମାନଙ୍କର କର୍ତ୍ତବ୍ୟ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ। ଦେଶର ଆବାଳବୃଦ୍ଧବନିତାଙ୍କୁ ଜାତୀୟତା ବୋଧରେ ଉଦବୁଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ଵାନ ଦେଇଥିଲେ। ସମସ୍ତ କାର୍ଯ୍ୟ ସରକାର କରିପାରିବେ ନାହିଁ, ନାଗରିକଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହିଛି। ଆମେ ଯେମିତି ଆମ ଅଧିକାର ପାଇଁଁ ଯତ୍ନବାନ୍ ହୋଇଥାଉ ସେମିତି ରାଷ୍ଟ୍ର ପାଇଁ ଆମ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଯତ୍ନଶୀଳ ହେବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ଗଣମାଧ୍ୟମର ସଂଯୋଜକ ଶ୍ରୀନିବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଗଣମାଧ୍ୟମ ସହସଂଯୋଜକ ରଣଜିତ ପୁଷ୍ଟି, ସମ୍ପାଦିକା ମହୁଆ ପ୍ରଧାନ ଓ ସସ୍ମିତା ଚାନ୍ଦ ସଭା ପରିଚାଳନା କରିଥିଲେ।