କାଶୀନଗର ଡାକ୍ତରଖାନାରେ ଡାକ୍ତର ମରୁଡି, ରୋଗୀସେବା ବିପର୍ଯ୍ୟସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଓ ଏନ୍ଏସିରେ ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି. ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ବିଶେଷଜ୍ଞ ଡାକ୍ତର ଓ ଡେଣ୍ଟାଲ ସର୍ଜନ ପଦବୀ ଖାଲି ପଡିଛି.କହିବାକୁ ଗଲେ କାଶୀନଗର ଡାକ୍ତରଖାନାରେ ଡାକ୍ତରଙ୍କ ପଦବୀ ଖାଲି ରହି ଡାକ୍ତର ମରୁଡି ଦେଖାଦେଇଛି. କୌଣସି କାରଣରୁ ଏହି ଡାକ୍ତରମାନେ ଅନୁପସ୍ଥିତ ରହିଲେ ଆୟୁଷ ଡାକ୍ତର ସ୍ୱାସ୍ଥ୍ୟକେନ୍ଦ୍ର ଚଳାଉଛନ୍ତି . ଜଣେ ମାତ୍ର ଫାର୍ମାସିଷ୍ଟ ଉଭୟ ଔଷଧ ଭଣ୍ଡାର ପରିଚାଳନା ଓ ଔଷଧ ବିତରଣ ଦାୟିତ୍ୱରେ ଥିବାରୁ ରୋଗୀମାନଙ୍କୁ ଆଶାନୁରୂପକ ସେବା ମିଳିବାରେ ଅସୁବିଧା ସୃଷ୍ଟି ହେଉଛି . ଏହାଛଡା ସ୍ୱାସ୍ଥ୍ୟକେନ୍ଦ୍ରର ଅଫିସ , ଔଷଧ ବିତରଣ କେନ୍ଦ୍ର ଓ ଇନ୍ଡୋର ଓ ଆଉଟଡୋର ଗୋଟିଏ କ୍ୟାମ୍ପସ ଭିତରେ ନାହିଁ . ଟ୍ରେନ ଲାଇନ ନିକଟରେ ଅଫିସ ଥିବା ବେଳେ ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଆଉଟଡୋର ଇନ୍ଡୋର ଓ ଅନ୍ୟ ସ୍ଥାନରେ ଔଷଧ ବିତରଣ କେନ୍ଦ୍ର ରହିଛି . ଔଷଧ ବିତରଣ କେନ୍ଦ୍ର ସମ୍ମୁଖରେ ଅପେକ୍ଷାରତ ରୋଗୀମାନଙ୍କୁ ଖରା ବର୍ଷାରୁ ରକ୍ଷା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ . ସ୍ୱାସ୍ଥ୍ୟକେନ୍ଦ୍ରର ନୂଆ ବିଲଡିଙ୍ଗ ନିର୍ମାଣ ହେବା ପରେ ପ୍ରାୟ ଏକବର୍ଷ ବିତି ଯାଇଥିଲେ ବି ତାହା ଏଯାଏଁ କାର୍ଯ୍ୟରେ ନଲାଗିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି . ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କୁ ଅଧିକ ଅସୁବିଧାର ହେବାକୁ ପଡୁଛି ବୋଲି କିଡିଗାଁ , ସିଧାମଡଙ୍ଗ ପ୍ରଭୃତି ଗ୍ରାମବାସୀଙ୍କ ସୂତ୍ରରୁ ଜଣା ପଡିଛି . କେତେକ ଗ୍ରାମରେ ନିୟମିତ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ ହେଉନାହିଁ ଓ ରୋଗୀଙ୍କୁ ମାଗଣା ଔଷଧ ଯେପରି ଠିକ୍ ସମୟରେ ମିଳିବ , ସେଥିପ୍ରତି ଯଥୋଚିତ ଦୃଷ୍ଟି ଦିଆ ଯାଉନାହିଁ ବୋଲି ଅଭିଯୋଗ ହୋଇଛି . ଗ୍ରାମବାସୀ ଦୁର୍ନୀତି ପ୍ରତି ବି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି . ଏନେଇ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ଏକାଧିକ ବାର ଅବଗତ କରା ଯାଇଥିଲେ ବି ସେଥିରୁ କିଛି ସୁଫଳ ମିଳିନଥିବା ଜଣା ପଡିଛି . ତେବେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି . ତୁରନ୍ତ ରୋଗୀମାନଙ୍କୁ ଯେପରି ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିବ , ସେ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରା ନଗଲେ କ୍ରମବର୍ଦ୍ଧିଷ୍ଣୁ ଜନଅସନ୍ତୋଷ ଆନ୍ଦୋଳନର ରୂପ ନେବା ଆଶଙ୍କାକୁ ଏଡାଇ ଦେଇ ହେବନାହିଁ ବୋଲି ମତ ପ୍ରକାଶ ପାଇଛି .