ଗହ୍ମାପୂର୍ଣ୍ଣିମା ଦିନ ହୁଏ ଝୁଲଣ ଉତ୍ସବ ଅନନ୍ତ ବାସୁଦେବ ମନ୍ଦିରରେ
ନିମାପଡ଼ା,(ସନ୍ତୋଷ ଦାଶ):ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଓ ରାଜ୍ଯର ବିଭିନ୍ନ ମଠ ଓ ମନ୍ଦିର ମାନଙ୍କ ରେ ପବିତ୍ର ଶ୍ରାବଣ ମାସର ଶୁକ୍ଲ ଦଶମୀ ତିଥି ଠାରୁ ଗହ୍ମା ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇଥାଏ। କିନ୍ତୁ ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ସିଂଘପାନିଆ ଗ୍ରାମର ଆରାଧ୍ୟା ଦେବତା ପ୍ରଭୂ ଶ୍ରୀ ଅନନ୍ତ ବାସୁଦେବଙ୍କ ମନ୍ଦିର ରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ।ଏଠାରେ କେବଳ ଗହ୍ମାପୂର୍ଣ୍ଣିମା ଦିନ
ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇଥାଏ।ମନ୍ଦିର ପରିଚାଳନା କମିଟି ସଭାପତି
ଗୋବିନ୍ଦ ଚନ୍ଦ୍ର ସାହୁ କୁହନ୍ତି, ଗହ୍ମାପୂର୍ଣ୍ଣିମା ଦିନ ସଂଧ୍ୟା ଆଳତୀ ପରେ ରତ୍ନ ସିଂହାସନ ଉପରେ ପୂଜା ପାଉଥିବା ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଏକ ପଟୁଆରରେ ହରିବୋଲ ହୁଳହୁଳି ଶବ୍ଦରେ ଅଣାଯାଇ ମନ୍ଦିର ଜଗମୋହନ ଠାରେ ପୂର୍ବରୁ ନିର୍ମିତ ସଜ୍ଜିତ ଝୁଲଣ ମଣ୍ଡପରେ ଉପବେଶନ କରାଯାଇଥାଏ। ଠାକୁର ମାନଙ୍କ ସମ୍ମୁଖରେ ଭକ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ମାନେ ଭଜନ, ଜଣାଣ, କୀର୍ତ୍ତନ କରାଯାଇଥାଏ। ବିଳମ୍ବିତ ରାତିରେ ଠାକୁରଙ୍କ ନିକଟରେ ପୂଜକ ଆଳତୀ, ବାଳଭୋଗ ଲାଗି କରିବାପରେ ପୁଣି ଶୋଭାଯାତ୍ରାରେ ମନ୍ଦିରର ସିଂହାସନ ଉପରକୁ ବିଜେ କରାଯାଇଥାଏ। ଠାକୁରଙ୍କ ଝୁଲଣ ଉତ୍ସବ ଦେଖିବାକୁ ପ୍ରବଳ ଭିଡ଼ ହୁଏ।