ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ଧନ୍ଦାମୂଳକ ପ୍ରଶିକ୍ଷକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଧନ୍ଦାମୂଳକ ପ୍ରଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମଗ୍ର ୩୦ଟି ଜିଲ୍ଲାରୁ ମହାସଂଘର କର୍ମକର୍ତ୍ତାମାନେ ଯୋଗଦେଇ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଧନ୍ଦାମୂଳକ ଶିକ୍ଷାକୁ ଉଦ୍ଧାର କରିବା ସହ ପ୍ରଶିକ୍ଷକମାନଙ୍କର ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା ଓ ପ୍ରଶିକ୍ଷକମାନଙ୍କୁ ସରକାର ନିଜ ଅଧିନରେ ନିଯୁକ୍ତି ଦେବା ଆଦି ୩ ଦଫା ଦାବି ପୂରଣ ପାଇଁ ନୂତନ ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଖୁବ୍ ଶୀଘ୍ର ଏଥିପାଇଁ ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ରାଜ୍ୟରେ ବର୍ତ୍ତମାନ ୨୧୨୦ଟି ହାଇସ୍କୁଲ୍ ଓ ହାଇଅର ସେକେଣ୍ଡାରୀ ସ୍କୁଲ୍‌ରେ ୨୦୧୬ ମସିହାରୁ ୧୫ଟି ଟ୍ରେଡ଼ରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଅଛି । ଓଡ଼ିଶା ସରକାର ଧନ୍ଦାମୂଳକ ଶିକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ ବିଭିନ୍ନ କମ୍ପାନୀମାନଙ୍କ ହାତକୁ ଟେକି ଦେଇଥିବାରୁ କମ୍ପାନୀମାନେ ମନଇଚ୍ଛା ପ୍ରଶିକ୍ଷକମାନଙ୍କୁ ନିଯୁକ୍ତି, ଛଟେଇ, ଦରମା ବନ୍ଦ ଏବଂ ୧୦୦ ମାର୍କର ମାଟ୍ରିକ ପରୀକ୍ଷା ବିଷୟ ନିଜ ହାତରେ ରଖି ପିଲା ଏବଂ ପ୍ରଶିକ୍ଷକମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି । ଯାହାର ଫଳସ୍ୱରୂପ ପ୍ରଶିକ୍ଷକମାନେ ବହୁ ସମୟରେ ମନସ୍ତାପରେ ରହି ନିଜର ଦାୟିତ୍ୱ ଠିକ୍ ଭାବେ ସମ୍ପାଦନ କରିପାରୁ ନଥିଲା ବେଳେ କମ୍ପାନୀମାନଙ୍କ ତରଫରୁ ପ୍ରଶିକ୍ଷକମାନଙ୍କୁ ବିଭିନ୍ନ କଥାରେ ନକଲି ଡକ୍ୟୁମେଣ୍ଟ କରିବା ପାଇଁ ବାଧ୍ୟ କରାଯାଉଥିବାରୁ ସଂଘ ତରଫରୁ ଘୋର ଅସନ୍ତୋଷ ପ୍ରକାଶ କରାଯାଇଛି । ସଂଘର ରାଜ୍ୟ ସଭାପତି ସୁନିଲ ଦେବତାଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଶିକ୍ଷକମାନେ ଧନ୍ଦାମୂଳକ ଶିକ୍ଷାରେ କମ୍ପାନୀମାନଙ୍କର ଅଯଥା ହସ୍ତକ୍ଷେପ ଦିନକୁ ଦିନ ବଢୁଥିବାରୁ ଏବଂ କମ୍ପାନୀମାନଙ୍କ ଲାଭଖୋର ମନୋବୃତ୍ତି ଯୋଗୁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି ବୋଲି ଅଭିଯୋଗ କରୁଛନ୍ତି । ଗତ ୮ ବର୍ଷ ହେଲା କମ୍ପାନୀମାନେ ସରକାରଙ୍କ ସହିତ କରୁଥିବା ବାରମ୍ବାର ଚୁକ୍ତିର ଖିଲାପ କରୁଥିବା ବେଳେ ଓସେପା କର୍ତ୍ତୃପକ୍ଷ ଦେଉଥିବା ଚିଠିଗୁଡ଼ିକୁ କମ୍ପାନୀମାନେ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି । ଏପରିକି ପ୍ରଶିକ୍ଷକମାନଙ୍କ ଦରମା, ଏରିଅର, ଇଣ୍ଡଷ୍ଟ୍ରି ଭିଜିଟ ଓ ଅତିଥି ଅଧ୍ୟାପକମାନଙ୍କର ପ୍ରାପ୍ୟ ନଦେଇ ରାତି ଅଧିଆ ପ୍ରକଳ୍ପ ଛାଡ଼ି ପଳାୟନ କରୁଥିବା ଖବର ମଧ୍ୟ ଓସେପା ପାଖରେ ରହୁନାହିଁ । ଏଭଳି ଅବ୍ୟବସ୍ଥା ଯୋଗୁ ପ୍ରଶିକ୍ଷକମାନେ ଠିକ୍ ଭାବେ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେଇପାରୁ ନାହାଁନ୍ତି । ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି ବୋଲି ପ୍ରଶିକ୍ଷକମାନେ ଆଲୋଚନା କରିଛନ୍ତି । ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଯାଇଥିବା ବେଳେ ୮ବର୍ଷ ହେବ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ କମ୍ପାନୀମାନେ ସାର୍ଟିଫିକେଟ ଦେଇପାରୁ ନାହାଁନ୍ତି ଏବଂ କୌଣସି ନିଯୁକ୍ତିର ବ୍ୟବସ୍ଥା କରୁନଥିବାରୁ ପାସ୍ କରି ପିଲାମାନେ ବେକାର ହୋଇ ବୁଲୁଥିବାରୁ ଏସବୁ ବିଷୟରେ ଯଦି ନୂତନ ସରକାର ତୁରନ୍ତ ବିଚାର ନ କରନ୍ତି, ତେବେ ମହାସଂଘ ତରଫରୁ ଅଗଷ୍ଟ ୩୧, ୨୦୨୪ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସଂଘର ରାଜ୍ୟ ସାଧାରଣ ସମ୍ପାଦକ ସେଖ୍ ବେଲାଲୁଦ୍ଦିନ ଅହମ୍ମଦ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ