ନୃତ୍ୟଧାମର ଜାତୀୟସ୍ତରୀୟ ସପ୍ତମ ଗୁରୁନମନ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସର୍ବଭାରତୀୟ ଓଡିଶାନୃତ୍ୟ ଅନୁଷ୍ଠାନ ନୃତ୍ୟଧାମ ପକ୍ଷରୁ ଜାତୀୟ ସ୍ତରୀୟ ସମସ୍ତ ଲବ୍ଧପ୍ରତିଷ୍ଠିତ ଓଡିଶୀ ନୃତ୍ୟ ଗୁରୁମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୨୦ ଓ ୨୨ ତାରିଖ ଦିନ ରବିନ୍ଦ୍ର ମଣ୍ଡପରେ ନୃତ୍ୟଧାମର ସପ୍ତମ ଶାସ୍ତ୍ରୀୟ ନୃତ୍ୟ ଓ ଗୁରୁନମନ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଦୁଇ ଦିନବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଜାତୀୟସ୍ତରୀୟ ନୃତ୍ୟ ସମାରୋହରେ ଅଗଷ୍ଟ ୨୦ ତାରିଖ ଦିନ ପଦ୍ମଶ୍ରୀ ରଞ୍ଜନା ଗୌହର, ପଦ୍ମଶ୍ରୀ ଅରୁଣା ମହାନ୍ତି, ଉସ୍ତାଦ ବିସ୍ମିଲାଖାଁ ସମ୍ମାନିତ ବିନୋଦ କେଭିନ ବଚନ ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଜୀବନବ୍ୟାପୀ ସାଧନା ନିମନ୍ତେ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ‘ନୃତ୍ୟଧାମ ଜୀବନବ୍ୟାପୀ ସାଧନା ସମ୍ମାନ-୨୦୨୪’ ପ୍ରଦାନ କରାଯିବ । ସେହିପରି ଅଗଷ୍ଟ ୨୨ ତାରିଖ ଦିନ ପଦ୍ମଶ୍ରୀ ଗୀତା ମହାଲିକ, ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ଆଲୋକା କାନୁନ୍ଗୋ, ଗୁରୁ ସୁଜତା ମହାପାତ୍ର ଓ ଡଃ ଶୁଭଶ୍ରୀ ପଟ୍ଟନାୟକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିବେ । ଏହି ପରିପ୍ରେକ୍ଷୀରେ ପଦ୍ମଶ୍ରୀ ଗୀତା ମହାଲିକ ଓ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଗୁରୁ ନମନ ଜୀବନ ବ୍ୟାପୀ ଓଡିଶୀ ନୃତ୍ୟ ସାଧନା ନିମନ୍ତେ ୨୦୨୪ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ନୃତ୍ୟଧାମ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ଡଃ ଶୁଭଶ୍ରୀ ପଟ୍ଟନାୟକ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି ।