ବାଲେଶ୍ୱର ଜିଲ୍ଲା ସ୍କୁଲ୍ର ସମ୍ପତ୍ତିର ସୁରକ୍ଷା ଦାବି କଲା ସିଭିଲ୍ ସୋସାଇଟି
ବାଲେଶ୍ୱର, (ସରୋଜ ପଣ୍ଡା):ଐତିହ୍ୟସଂପର୍ଣ୍ଣ ବାଲେଶ୍ୱର ଜିଲ୍ଲା ସ୍କୁଲ୍ ପରିସର ଓ ଏହାର ଖେଳପଡ଼ିଆ ସଂପତ୍ତିର ସୁରକ୍ଷା ଓ ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରିବା ନିମିତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୭୧ ବର୍ଷର ଅନ୍ୟତମ ତଥା ସର୍ବପୁରାତନ ଶିକ୍ଷାନୁଷ୍ଠାନ ବାଲେଶ୍ୱର ଜିଲ୍ଲା ସ୍କୁଲ୍ ପରିସରର ଭୂସଂପତ୍ତି ଏ୧୨.୬୧ଡେ. ବାରମ୍ବାର ଦାବି ସତ୍ୱେ ଅଦ୍ୟାବଧି ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ ହୋଇପାରିନାହିଁ । ଏପରିକି ବିଦ୍ୟାଳୟର ଖେଳପଡ଼ିଆ ଭାବେ ଥିବା ଏ୪.୭୨ ଡେ. ସମ୍ପତ୍ତି ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ ହୋଇନାହିଁ । ସବୁଠାରୁ ବିସ୍ମୟକର ବିଷୟ ଯେ, ପୂର୍ବରୁ ପରମିଟ୍ ପଡ଼ିଆ ଜିଲ୍ଲା ସ୍କୁଲ୍ର ଖେଳପଡ଼ିଆ ଭାବେ ବ୍ୟବହୃତ ହେଉଥିଲା ଏବଂ ବାଲେଶ୍ୱର ଜିଲ୍ଲା କ୍ରୀଡ଼ାସଂଘ ପୌରପରିଷଦ ନାମରେ ଥିବା ପୁରୁଣା ଷ୍ଟାଡିୟମ୍କୁ ଜିଲ୍ଲାସ୍ତରରେ ଖେଳପଡ଼ିଆ ଭାବେ ବ୍ୟବହାର କରୁଥିଲା । ଜିଲ୍ଲା ସ୍କୁଲ୍ ଓ ଜିଲ୍ଲା କ୍ରୀଡ଼ା ସଂଘର ହିତକଳ୍ପେ ବାଲେଶ୍ୱରର ବହୁ ଚିନ୍ତାଶୀଳ ବ୍ୟକ୍ତି, ଜିଲ୍ଲା ପ୍ରଶାସନ ଓ ଉଭୟ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମିଳିତ ବୈଠକ ଜିଲ୍ଲାପାଳ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଗତ ତା ୧୨-୦୪-୨୦୦୨ରିଖରେ ଏକ ଲିଖିତ ବଦଳନାମା ସ୍ୱାକ୍ଷରିତ ହୋଇଥିଲା । ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ପୂର୍ବତନ ବିଧାୟକ ତଥା ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ରବିନ୍ଦ୍ର ମୋହନ ଦାସ, ଓକିଲ ସଂଘର ସଭାପତି ନିରଞ୍ଜନ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ବାଲେଶ୍ୱର ତହସିଲଦାର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲେଶ୍ୱର ଜିଲ୍ଲା ଏଜୁକେସନ୍ ଫାଉଣ୍ଡେସନ୍ର ସଭାପତି, ଜିଲ୍ଲାସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ଓ ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ପ୍ରମୁଖଙ୍କ ସ୍ୱାକ୍ଷରମୂଳେ ଏହି ସଂପତ୍ତି ବଦଳିନାମା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ଭିତ୍ତି କରି ଜିଲ୍ଲା କ୍ରୀଡ଼ା ସଂଘ ନାମରେ ପରମିଟ୍ ପଡ଼ିଆ କାଗଜପତ୍ରରେ ବଦଳିନାମା ହୋଇଥିବାବେଳେ ଅଦ୍ୟାବଧି ପୁରୁଣା ଷ୍ଟାଡିୟମ୍ ସଂପତ୍ତି ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ ହୋଇପାରିଲା ନାହିଁ । ଇତିମଧ୍ୟରେ ପୁରୁଣା ଷ୍ଟାଡିୟମ୍ର ତିନିପାଶ୍ୱର୍ରୁ କେତେକ ବ୍ୟକ୍ତି ବେଆଇନ୍ ଦଖଲ କରିନେଇଛନ୍ତି । ଗତ ସପ୍ତାହରେ ଏହି ଷ୍ଟାଡିୟମ୍ ପରିସରରେ ବେଆଇନଭାବେ ଏକ କଲ୍ୟାଣମଣ୍ଡପ ନିର୍ମାଣକାର୍ଯ୍ୟ ହେଉଥିବା ସଂପର୍କରେ ସୋସାଇଟିର ସଂପାଦକ ମନୋଜ ନାୟକ ବୈଠକରେ ଉପସ୍ଥାପିତ କରିଥିଲେ ।ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲା ସ୍କୁଲ୍ ପରିଚାଳନା କମିଟିର ସଭାପତି ସଂଜୀବ ମିଶ୍ର, ସମାଜସେବୀ ରଘୁନାଥ ଲେଙ୍କା, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଦାମୋଦର ନାୟକ, ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ଜିଲ୍ଲା ସଂପାଦକ କମଳାକାନ୍ତ ବେହେରାଙ୍କ ସମେତ ଜ୍ୟୋତ୍ସ୍ନା ସେନାପତି, ସୀତାରାମ ପ୍ରଧାନ, ସୁରେନ୍ଦ୍ର ପଣ୍ଡା, ଶ୍ରମିକନେତା ଭାଗବତ ପ୍ରତିହାରୀ ଓ ଭରତ ସେଠୀ, ଆଇନଜୀବୀ ଜ୍ଞାନ ମିଶ୍ର, ଅରୁଣ ଜେନା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଅରୁଣ ଜେନା ଓ ଚନ୍ଦ୍ରଶେଖର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ ଘଟଣାରେ ଉଦ୍ବେଗ ପ୍ରକାଶ କରିଥିଲେ । ସରକାର ଓ ଜିଲ୍ଲା ପ୍ରଶାସନର ଚରମ ଅବହେଳାକୁ ଉପସ୍ଥିତମାନେ ଦୃଢ଼ ସମାଲୋଚନା କରିଥିଲେ । ଆସନ୍ତା ବୁଧବାର ଦିନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଭାବେ ଜିଲ୍ଲା ସ୍କୁଲ୍ର ସମସ୍ତ ସଂପତ୍ତି ସ୍କୁଲ୍ ନାମରେ ପଞ୍ଜୀକୃତ କରିବାକୁ ଓ ବେଆଇନ ନିର୍ମାଣ ବନ୍ଦ ସହ ବେଆଇନ ଦଖଲକୁ ତୁରନ୍ତ ଉଚ୍ଛେଦ ପାଇଁ ଅନୁରୋଧ କରାଯିବ । ଯଦି ଅନ୍ୟଥା ହୁଏ ତେବେ ଆସନ୍ତା ୧୫ ଦିନ ପରେ ଜିଲ୍ଲାର ପ୍ରମୁଖ ସାମାଜିକ ସଂଗଠନମାନଙ୍କ ସମେତ ପୁରାତନ ଛାତ୍ର, ଅଭିଭାବକ ପ୍ରମୁଖଙ୍କ ସହଯୋଗରେ ସିଭିଲ୍ ସୋସାଇଟି ଗଣତାନ୍ତ୍ରିକ ଆନ୍ଦୋଳନ ପନା୍ଥ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସୋସାଇଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ୟାମସୁନ୍ଦର ଜେନା ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ ।