ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବରପୁତ୍ରଙ୍କୁ ଅସମ୍ମାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଭିନ୍ନ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି । କିନ୍ତୁ କିଛିଦିନ ପରେ ଏହି ପ୍ରତିମୂର୍ତ୍ତି କେଉଁ ଅବସ୍ଥାରେ ରହୁଛି ତାହାକୁ କେହି ନଜର ଦେଉ ନାହାଁନ୍ତି । ସମସ୍ତେ ନିଜ ନିଜ ସ୍ୱାର୍ଥରେ ବୁଡି ରହୁଛନ୍ତି । ଫଳରେ ବରପୁତ୍ରମାନଙ୍କୁ ଅସମ୍ମାନ କରାଯାଉଥିବା ନେଇ ଅଭିଯୋଗ ହେଉଛି । କେବଳ ଲୋକଦେଖାଣିଆ ଭାବେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି । ହେଲେ ବାସ୍ତବରେ ଅନୁଷ୍ଠାନର ମୁଖ୍ୟମାନଙ୍କର ଏଥିପ୍ରତି କୌଣସି ଆନ୍ତରିକତା ରହୁନାହିଁ । ଏହା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ଙ୍କୁ ଭୀଷଣ ଭାବରେ ଆନ୍ଦୋଳିତ କରିଛି । ସେହିଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଥାପନ କରାଯାଇଥିବା ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରତିମୂର୍ତ୍ତିଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ଏହି ପ୍ରତିମୂର୍ତ୍ତିର କେତେକ ସ୍ଥାନ ଭାଙ୍ଗିରୁଜି ଗଲାଣି । ପ୍ରତିମୂର୍ତ୍ତି ଯେଉଁଠାରେ ସ୍ଥାପନ କରାଯାଇଛି ତାହା ଉପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନଜର ପଡୁନାହିଁ । ଅନୁଷ୍ଠାନ ଓ କାର୍ଯ୍ୟାଳୟର ମରାମତି ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ଆସୁଛି । ହେଲେ ଏହାକୁ ଅନୁଷ୍ଠାନର ମୁଖ୍ୟ, କିରାଣୀ ଓ ଅନ୍ୟ କର୍ମଚାରୀମାନେ ଭାଗବାଣ୍ଟି ଖାଇ ଯାଉଛନ୍ତି । ଅଥଚ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଅବହଳିତ ଅବସ୍ଥାରେ ପଡି ରହିଲେ ମଧ୍ୟ ତାହାକୁ କିପରି ମରାମତି ଓ ରଙ୍ଗ କରାଯିବ ତାହା ସେମାନେ ଭୁଲି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷାବିତ ଡ. ଚୈତନ୍ୟଚରଣ ପରିଡ଼ା । ସେ କହିଛନ୍ତି ଏକ ଅନୁଷ୍ଠାନର ମୁଖ୍ୟଙ୍କ ଆର୍ଥିକ କ୍ଷମତା ରହିଛି । ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିକୁ ମରାମତି କରିବା ଓ ଏଥିରେ ରଙ୍ଗ ଦେବା । ଏହାଦ୍ୱାରା ବର୍ତ୍ତମାନର ପିଢିମାନେ ବରପୁତ୍ରମାନଙ୍କର ମୂଲ୍ୟବୋଧକୁ ବୁଝି ପାରିବେ । କିନ୍ତୁ ଅନୁଷ୍ଠାନର ମୁଖ୍ୟମାନେ ଯଦି ଏଥିପ୍ରତି ଧ୍ୟାନ ନଦେବେ ଓ କେବଳ ନିଜ ସ୍ୱାର୍ଥ ପାଇଁ ଲାଗିଯିବେ ତେବେ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଆଗାମୀ ପିଢି ବୁଝି ପାରିବେ ନାହିଁ । ଏହାଦ୍ୱାରା ସେମାନଙ୍କ ଆଦର୍ଶ ଓ ଚିନ୍ତାଧାରା ମଳିନ ପଡିଯିବ ବୋଲି ସେ କହିଛନ୍ତି । ଏ ସଂକ୍ରାନ୍ତରେ ଡେରାବିଶ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରାଙ୍କୁ ପଚାରିବାରୁ ସେ କହିଲେ ସେ ଯୋଗଦେବା ପୂର୍ବରୁ ଏହି ଅବସ୍ଥା ସେ ଦେଖିଛନ୍ତି । କିନ୍ତୁ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୁଦର୍ଶନ ବିଦ୍ୟାଳୟ ପରିସରରେ କାର୍ଯ୍ୟ କରୁଛି । ଏ ନେଇ ସେ ସୁଦର୍ଶନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇଛନ୍ତି । ସରକାର ବିଦ୍ୟାଳୟର ମରାମତି ପାଇଁ ଯେଉଁ ବାର୍ଷିକ ଅନୁଦାନ ଦେଉଛନ୍ତି ସେଥିରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ମରାମତି ଓ ରଙ୍ଗ କରିବା ପାଇଁ ତାଙ୍କୁ କହିଛି । ତଥାପି ଏ ଦିଗରେ ସେ ନିଜେ ଉଦ୍ୟମ କରିବେ ବୋଲି କହିଛନ୍ତି ।