ଦକ୍ଷିଣ ଓଡ଼ିଶାର ପାରମ୍ପରିକ ପର୍ବ ଗହ୍ମାଡିଆଁ ହଜିଗଲାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡ଼ିଶାର ଅନେକ ପାରମ୍ପରିକ ଲୋକ ସଂସ୍କୃତି ଓ ପର୍ବ ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି। ଅନ୍ୟତମ ଗଣପର୍ବ ଗହ୍ମା ପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଦିନେ ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡି ହୋଇଥିଲା I ଏହା ଏକ କୃଷି ଭିଭିକ ପର୍ବ ଥିଲେ ହେଁ ଆଜିକାଲି ତାହା ହଜିବାକୁ ବସିଛି। ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡ଼ିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଲକ୍ଷ୍ୟ ଥିଲା | ଚାଷୀ ମାନେ ସେମାନଙ୍କ ଚାଷବାସ କାମ ସାରି ଆଜି ଦିନରେ ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥିଲେ ହେଁ ଆଜିକାଲି ଏ ପର୍ବ ରାକ୍ଷୀ ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି । ପ୍ରଭୁ ବଳଭଦ୍ରଙ୍କ ହାତରେ ଗହ୍ମାସୁରର ମୃତ୍ୟୁ ହେବା ପରେ ପୃଥ୍ବୀ ପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମା ଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକକଥା ରହିଛି । ପ୍ରାୟ ପାଞ୍ଚ ଫୁଟ ଉଚ୍ଚତା ବିଶିଷ୍ଟ ମାଟି, ବାଲିରେ ତିଆରି ହୋଇଥିବା ଗହ୍ମାକୁଦା ଉପରେ ଯୁବକ ମାନେ ଡେଇଁ ଏହି ଖେଳ ଖେଳି ଖୁସି ମନାଇଥାନ୍ତି । ଏଥିରେ ଅନେକ ପ୍ରତିଦ୍ବନ୍ଦୀ ଉତ୍ସାହର ସହିତ ଭାଗ ନେଇଥାନ୍ତି । ଯେଉଁ ପ୍ରତଦ୍ବନ୍ଦୀ କୃତିକାର୍ଯ୍ୟ ହୁଅନ୍ତି ସେମାନେ ଲମ୍ବା ବାଉଁଶରେ ବନ୍ଧା ଯାଇଥିବା ବିଭିନ୍ନ ସାମଗ୍ରୀ ନେଇ ଯାଇଥାନ୍ତି | ଆଜିକାଲି ସହରାଞ୍ଚଳ ଠାରୁ ଆରମ୍ଭ କରି ଗାଁ ଗହଳି ସବୁଠି ଚାରିଆଡ଼େ ସିମେଣ୍ଟ ରାସ୍ତା ନିର୍ମାଣ ଯୋଗୁଁ ଏପରି ଭାଇଚାରାର ପର୍ବ ହଜି ଯାଇଥିବା ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ