ପାରଳା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସରକାରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀସେବା ସମ୍ପୂର୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି. ଏହି ଡାକ୍ତରଖାନାକୁ ଯେକୌଣସି ରୋଗୀ ଆସିଲେ ଡାକ୍ତର ନ ଥିବା ଯୋଗୁଁ ସେମାନଙ୍କୁ ବ୍ରହ୍ମପୁର କିମ୍ବା ବିଶାଖାପାଟଣା ଘରୋଇ ଡାକ୍ତରଖାନାକୁ ରେଫେର କରାଯାଉଛି. ଏହି ଘରୋଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ନାମରେ ରୋଗୀମାନଙ୍କ ଅର୍ଥକୁ ବିଭିନ୍ନ ଉପାୟରେ ଶୋଷଣ କରାଯାଉଛି. ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ ବିଶେଷ କରି ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ପାରଳା ସହର ସମେତ ସମଗ୍ର ଗଜପତି ଜିଲ୍ଲା ଏବଂ ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଗୁଣୁପୁର ଅଞ୍ଚଳର ବାସିନ୍ଦା, ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା, ମେଳିଆପୁଟି, ଚାପରା ଅଞ୍ଚଳର ଲୋକେ ଚିକିତ୍ସା ନିମନ୍ତେ ନିର୍ଭର କରି ଆସୁଛନ୍ତି. କିଛି ଡାକ୍ତରଙ୍କ ବଦଳି ହେବା ସହ କିଛି ଡାକ୍ତର ଅବସର ନେବା ଏବଂ ଆଉ କିଛି ପାଳି କରି ଆସୁଥିବା ହେତୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯେଉଁ ରୋଗୀ ଏଠାକୁ ଗୁରୁତର ଅବସ୍ଥାରେ ଆସୁଛନ୍ତି, ସେମାନଙ୍କୁ ସିଧାସଳଖ ବ୍ରହ୍ମପୁର କିମ୍ବା ଅନ୍ୟ ହସ୍ପିଟାଲ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ରୋଗୀ ଓ ସମ୍ପର୍କୀୟମାନେ ମଧ୍ୟ ଯିବା ପାଇଁ ବାଧ୍ୟ ହେଉଛନ୍ତି। କିଛିଦିନ ହେଲା ରୋଗୀମାନେ ଆଉ ବ୍ରହ୍ମପୁର ଯାଉନଥିବା ବେଳେ କିଛି ଦଲାଲଙ୍କ ପ୍ରରୋଚନାରେ ପଡ଼ି ଆନ୍ଧ୍ରପ୍ରଦେଶର ବିଭିନ୍ନ ଘରୋଇ ହସ୍ପିଟାଲକୁ ଯାଇ ସେଠାରେ ଚିକିତ୍ସା କରାଇବା ଆଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ବିଭିନ୍ନ ଭାବେ ଓ ବିଭିନ୍ନ ଆଳରେ ଚିକିତ୍ସା ନାମରେ ସେମାନଙ୍କ ଠାରୁ ମାତ୍ରାଧିକ ଅର୍ଥ ଆଦାୟ କରାଯାଉଛି. କିଛି ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା ବେଳେ ସେମାନେ କହିଥିଲେ ଯେ ଦଲାଲମାନେ ରୋଗୀମାନଙ୍କୁ ଭୁଆଁ ବୁଲାଉଛନ୍ତି। ବ୍ରହ୍ମପୁର ବଡ଼ ମେଡ଼ିକାଲରେ ବର୍ତ୍ତମାନ ରୋଗୀଙ୍କୁ ଉନ୍ନତସେବା ଯୋଗାଇ ଦିଆଯାଉନାହିଁ କହି ସେମାନେ ଜାଣିଶୁଣି ରୋଗୀମାନଙ୍କୁ ଅନ୍ୟତ୍ର ପଠାଇ ଦେଉଛନ୍ତି। ବ୍ରହ୍ମପୁର ନ ଯାଇ ଆନ୍ଧ୍ର ପ୍ରଦେଶର ଘରୋଇ ହସ୍ପିଟାଲରେ କମ୍ ଖର୍ଚ୍ଚରେ ଉତ୍ତମ ଚିକିତ୍ସା ପାଇବେ ବୋଲି କହି କୌଶଳରେ ଆନ୍ଧ୍ରର ଶିକାକୁଲମ, ବିଜୟନଗର ଓ ବିଶାଖାପାଟଣାର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଶାରୀରିକ ପରୀକ୍ଷା ନାମରେ ଲକ୍ଷ ଲକ୍ଷ ଟଙ୍କା ଜବରଦସ୍ତି ଆଦାୟ କରୁଛନ୍ତି. ରାଜ୍ୟ ସରକାର ଅତି ତୁରନ୍ତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଥିବା ସରକାରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନର ସମସ୍ତ ଡାକ୍ତର ପଦବୀ ପୂରଣ କରିବା ସହ ରୋଗୀ ସେବା ପାଇଁ ଆବଶକ୍ୟ ଥିବା ସମସ୍ତ ସୁବିଧା ସୁଯୋଗ ପାରଳାଖେମୁଣ୍ଡି ଡାକ୍ତରଖାନାରେ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରି ଉଚିତ ରୋଗୀ ସେବା ପ୍ରଦାନ କଲେ ଘରୋଇ ଡାକ୍ତରଖାନାର ଶୋଷଣ ଓ ଠକାମୀରୁ ଲୋକେ ନିଶ୍ଚିତ ମୁକ୍ତି ପାଇବେ ବୋଲି ସାଧାରଣରେ ସରକାରଙ୍କୁ ନିବେଦନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ