ବାଲେଶ୍ୱର ଚାଷୀଙ୍କ ସୁବିଧା ପାଇଁ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ ମାନସ ଦତ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶାରେ ସାଧାରଣତଃ ଧାନକୁ ପ୍ରମୁଖ ଚାଷ ଭାବେ ଗ୍ରହଣ କରାଯାଇଥିବା ବେଳେ ଅଣଧାନ ଚାଷରେ ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସମଗ୍ର ରାଜ୍ୟରେ ଆବଶ୍ୟକ ପଡୁଥିବା ଅଣଧାନ ସଂଗ୍ରହରେ ଜିଲ୍ଲାର ଯୋଗଦାନ ସର୍ବାଗ୍ରେ । ଜିଲ୍ଲାର ବିହନ ଉତ୍ପାଦନକାରୀ ଚାଷୀଙ୍କ ଠାରୁ ପ୍ରାୟ ୪୦ପ୍ରତିଶତ ଅଣଧାନ ଜାତୀୟ ଅଧିକ ଅମଳକ୍ଷମ ବିହନ ସଂଗୃହିତ ହୋଇଥାଏ । ତେବେ ବର୍ଷତମାମ ଚାଷୀମାନେ ଉତ୍ପାଦନ କରୁଥିବା ଉଚ୍ଚ ମାନଯୁକ୍ତ ବିହନର ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ବିଧାନସଭାର ପ୍ରଶ୍ନକାଳରେ ଜାଣିବାକୁ ଚାହିଁଥିଲେ ସଦର ବିଧାୟକ ମାନସ କୁମାର ଦତ୍ତ । ଏଥିପାଇଁ ଆଦ୍ରତା ଓ ଉତ୍ତାପ ନିୟନ୍ତ୍ରିତ ଗୋଦାମ (ଡି ହ୍ୟୁମିଡିଫାୟାର ଗୋଡାଉନ) ଆବଶ୍ୟକ ଥିବା ବେଳେ ରାଜ୍ୟର ଏକକ ଗୋଦାମ ଭାବେ ଭୂବନେଶ୍ୱରର ଚନ୍ଦକା ଠାରେ ପ୍ରତିଷ୍ଠା ହୋଇଛି । ମାତ୍ର ସେଠାରେ ବିହନ ସଂରକ୍ଷଣ ପାଇଁ ବାଲେଶ୍ୱରର ଚାଷୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ଏହି ଭଳି ଏକ ଗୋଦାମ ବାଲେଶ୍ୱର ଜିଲ୍ଲା ସମେତ ଉତ୍ତର ଓଡିଶାର ଚାଷୀଙ୍କ ପାଇଁ ପ୍ରତିଷ୍ଠା ବାବଦରେ ସରକାରଙ୍କ ଯୋଜନା ସମ୍ପର୍କରେ ଜାଣିବାକୁ ଶ୍ରୀ ଦତ୍ତ ପ୍ରଶ୍ନ ଉତ୍ଥାପନ କରିଥିଲେ ।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦାୟିତ୍ୱରେ ଥିବା ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ସମ୍ପ୍ରତି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ଶେରଗଡ ଠାରେ ୨୦୨୧ ମସିହା ଠାରୁ ଘଂଟା ପ୍ରତି ୮ଟନ କ୍ଷମତା ବିଶିଷ୍ଟ ଏକ ବିଭିନ୍ନ ଅଣଧାନ ବିହନ ପ୍ରକ୍ରିୟାକରଣ କାରଖାନା କାର୍ଯ୍ୟକ୍ଷମ ରହିଛି । ଏହା ବ୍ୟତିତ କେବଳ ଚିନାବାଦାମ ବିହନ ପ୍ରକ୍ରିୟାକରଣ ପାଇଁ ଘଂଟା ପ୍ରତି ୨ଟନ କ୍ଷମତା ବିଶିଷ୍ଟ ଏକ ଭ୍ରାମ୍ୟମାଣ ଯନ୍ତ୍ର ବ୍ୟବସ୍ଥା ମଧ୍ୟ ଶେରଗଡ ଠାରେ ରହିଛି । ଏହି ଦୁଇ ବ୍ୟବସ୍ଥାରେ ପ୍ରକ୍ରିୟାକୃତ ବିହନର ସଂରକ୍ଷଣ ପାଇଁ ଶେରଗଡ ଠାରେ ୧୫ଶହ କ୍ୟୁଂଟାଲ କ୍ଷମତା ସମ୍ପନ୍ନ ଗୋଦାମ ଘର ମଧ୍ୟ ଶେରଗଡ ଠାରେ ନିର୍ମାଣ କରାଯାଇଛି । ତେବେ ଭବିଷ୍ୟତରେ ଅଧିକ ଅମଳକ୍ଷମ ଅଣଧାନ ବିହନର ସଂରକ୍ଷଣ ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲାରେ ଆଦ୍ରତା ଓ ଉତ୍ତାପ ନିୟନ୍ତ୍ରିତ ଗୋଦାମ (ଡି ହ୍ୟୁମିଡିଫାୟାର ଗୋଡାଉନ) ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିଚାର କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି ।