ଏଚଆଇଭି ଓ ଏଡ୍ସ ସଚେତନତା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ଏଡସ୍ ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ୍ (ଡାପ୍ସୁ) ପକ୍ଷରୁ ଆଜି ସ୍ଥାନୀୟ ରେମୁଣା ଡିଗ୍ରୀ କଲେଜଠାରେ ଏଚଆଇଭି ଓ ଏଡ୍ସ ସଚେତନତା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ I ଏହି ପ୍ରତିଯୋଗିତାକୁ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ୍ ଜଗଦ୍ଦେବ ଉଦ୍ଘାଟନ କରିଥିବା ବେଳେ ଡିଏନଓ (ଡାପ୍ସୁ) ଡ଼. ମନୋଜ କୁମାର ସାହୁ ଓ ଡିପିଏମ (ଡାପ୍ସୁ) ଶ୍ରୀମତୀ ରଶ୍ମିତା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ I ନାଟକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନେ ଏଚଆଇଭି ଓ ଏଡ୍ସର ଭୟାବହତା ବିଷୟରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ I ଏଡସ୍ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସଚେତନତା ସୃଷ୍ଟି ତଥା ଏକ ସହାୟକ ପରିବେଶ ପ୍ରତିପାଦନ କରିବା ପାଇଁ ସାମୂହିକ ପ୍ରତିବଦ୍ଧତାକୁ ଦର୍ଶାଇ ଥିଲେ ଏହି ପ୍ରତିଯୋଗୀମାନେ I ନାଟକ ପ୍ରତିଯୋଗିତାରେ ରେମୁଣା ଡିଗ୍ରୀ କଲେଜ ପ୍ରଥମ ସ୍ଥାନ ଅଧିକାର କରି ୫,୦୦୦ ଟଙ୍କାର ଅର୍ଥରାଶି ସହିତ ପୁରସ୍କୃତ ହୋଇଥିଲେ I ସେହିଭଳି ସୋରସ୍ଥିତ କୁଡେ଼ଇ ମହିଳା କଲେଜ ଦ୍ଵିତୀୟ ସ୍ଥାନ ଅଧିକାର କରି ୩,୦୦୦ ଟଙ୍କାର ଅର୍ଥରାଶିରେ ପୁରସ୍କୃତ ହୋଇଥିବା ବେଳେ ବର୍ତ୍ତନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ୨,୦୦୦ ଟଙ୍କାର ଅର୍ଥରାଶୀରେ ପୁରସ୍କୃତ ହୋଇଥିଲା I ଉପସ୍ଥିତ ଅତିଥିବୃନ୍ଦଙ୍କ ଦ୍ୱାରା ସମସ୍ତ ପୁରସ୍କୃତ ଦଳଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଯୋଗୀ କଲେଜର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଡିପିଏମ (ଡାପ୍ସୁ) ଶ୍ରୀମତୀ ରଶ୍ମିତା ମହାନ୍ତି ସୁପରିଚାଳନା କରିଥିବା ବେଳେ ପରିଶେଷରେ ରେମୁଣା ଡିଗ୍ରୀ କଲେଜର ଯୁବ ରେଡ କ୍ରସର କାଉନସିଲର ଶ୍ରୀମତୀ ପୁଷ୍ପିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I