ଜିଲ୍ଲା ସ୍କୁଲ୍ ସଂପତ୍ତିର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ସିଭିଲ୍ ସୋସାଇଟି ପ୍ରତିନିଧି ଭେଟିଲେ
ବାଲେଶ୍ୱର, (ସରୋଜ ପଣ୍ଡା):ସିଭିଲ୍ ସୋସାଇଟି ପକ୍ଷରୁ ଏକ ପ୍ରତିନିଧିଦଳ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାସ୍କୁଲ୍ର ଭୂସମ୍ପତ୍ତିର ସୁରକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗତ ୧୮୫୩ ମସିହାରେ ପ୍ରତିଷ୍ଠିତ ଏହି ଗୌରବମୟ ତଥା ପ୍ରାଚୀନ ଶିକ୍ଷାନୁଷ୍ଠାନର ଦୀର୍ଘ ୧୭୧ ବର୍ଷ ମଧ୍ୟରେ ଅନୁଷ୍ଠାନ ନାମରେ କୌଣସି ଭୂସମ୍ପତ୍ତି ନଥିବାର ଦାବିପତ୍ରରେ ଅଭିଯୋଗ କରାଯାଇଛି । ସ୍କୁଲ୍ ପରିସରରେ ଥିବା ୧୨ ଏକରରୁ ଊର୍ଦ୍ଧ୍ୱ ଭୂସମ୍ପତ୍ତି ଶିକ୍ଷାନୁଷ୍ଠାନ ଦଖଲରେ ଥିଲେ ମଧ୍ୟ ଏହି ସମ୍ପତ୍ତିର ଅଦ୍ୟାବଧି ଜିଲ୍ଲାସ୍କୁଲ୍ ନାମରେ ଆବଶ୍ୟକୀୟ କାଗଜପତ୍ର ନାହିଁ । ପରମିଟ୍ ପଡ଼ିଆକୁ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଖେଳପଡ଼ିଆ ଭାବେ ଦୀର୍ଘବର୍ଷ ଧରି ବ୍ୟବହର କରିଆସୁଥିଲେ । ଗତ ୨୦୦୨ ମସିହାରେ ତତ୍କାଳୀନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ରାଜିନାମା ଅନୁଯାୟୀ ଜିଲ୍ଲା ସ୍କୁଲ୍ ସମ୍ମୁଖରେ ଥିବା ପୁରୁଣା ଷ୍ଟାଡିୟମ୍କୁ ଜିଲ୍ଲା ସ୍କୁଲ୍ ନାମରେ ଓ ପରମିଟ୍ ପଡ଼ିଆକୁ ଜିଲ୍ଲା କ୍ରୀଡ଼ା ସଂଘ ନାମରେ ବଦଳନାମା ନିମିତ୍ତ ନିଷ୍ପତ୍ତି ନିଆଯାଇଥିଲା । ସେବେଠାରୁ ପୁରୁଣା ଷ୍ଟାଡିୟମ୍କୁ ଜିଲ୍ଲା ସ୍କୁଲ୍ର ଛାତ୍ରଛାତ୍ରୀମାନେ ବ୍ୟବହାର କରି ଆସୁଛନ୍ତି । କିନ୍ତୁ ପୁରୁଣା ଷ୍ଟାଡିୟମ୍ର ଏ ୪-୬୨ ଡି. ପରିମିତ ସମ୍ପତ୍ତି ବାଲେଶ୍ୱର ପୌର ପରିଷଦ ନାମରେ ରହିଥିବାରୁ ଗତ ସପ୍ତାହରେ ଏଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଏହି କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଖେଳିବାର ସୁଯୋଗ ହରାଇବେ । ତେଣୁ ବାଲେଶ୍ୱର ଜିଲ୍ଲା ସ୍କୁଲ୍ ଅବସ୍ଥିତ ଥିବା ଭୂସମ୍ପତ୍ତି ସମେତ ପୁରୁଣା ଷ୍ଟାଡିୟମ୍ର ସମ୍ପତ୍ତି ଜିଲ୍ଲା ସ୍କୁଲ୍ ନାମରେ ରେକର୍ଡ଼ଭୁକ୍ତ କରିବା ସହ ନିର୍ମାଣାଧିନ କଲ୍ୟାଣମଣ୍ଡପ କାର୍ଯ୍ୟ ବନ୍ଦ କରିବାକୁ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କ ନିକଟରେ ଆବଶ୍ୟକୀୟ ଦସ୍ତାବିଜ ସହ ବଳିଷ୍ଠ ଯୁକ୍ତି ଉପସ୍ଥାପିତ କରିଥିଲେ । ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।ସ୍କୁଲ୍ ପରିଚାଳନା କମିଟିର ସଭାପତି ଓ ସଦସ୍ୟମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାସ୍କୁଲ୍ ବ୍ୟବହାର କରୁଥିବା ସମସ୍ତ ଭୂସମ୍ପତ୍ତି ବିଦ୍ୟାଳୟ ନାମରେ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଅଭିଯୋଗ ଉପରେ ଜିଲ୍ଲାପାଳ ସର୍ଜମିନ୍ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଉଭୟ ସଂଗଠନକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପ୍ରତିନିଧିମାନେ ପ୍ରକାଶ କରିଛନ୍ତି ।ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ସମ୍ପାଦକ ମନୋଜ ନାୟକଙ୍କ ସମେତ ସୀତାରାମ ପ୍ରଧାନ, ରଘୁନାଥ ଲେଙ୍କା, ଦାମୋଦର ନାୟକ, ବିପ୍ଳବ କୁମାର ମହାନ୍ତି, ଗୌରାଙ୍ଗ ପାଣିଗ୍ରାହୀ, ସନ୍ତୋଷ ସାହୁ, ଶ୍ୟାମସୁନ୍ଦର ଜେନା, କମଳାକାନ୍ତ ବେହେରା, ସୋମନାଥ ନାୟକ, ଗଙ୍ଗାଧର ଦଳେଇ, ଶରତ ଚନ୍ଦ୍ର ଦଳେଇ, ରାଜେଶ ଗିରି, ସନ୍ତୋଷ କୁମାର ମିଶ୍ର, ସୁଶାନ୍ତ କୁମାର ବେହେରା ଓ ଜ୍ଞାନାନନ୍ଦ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଓ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।